ଦ୍ୱିତୀୟ ଡୋଜ୍ ନେବା ପରେ କରୋନାରେ କାହିଁକି ସଂକ୍ରମିତ ହେଉଛନ୍ତି ଲୋକେ? କେତେଜଣ ଗୁରୁତର ହୋଇ ମେଡିକାଲରେ ହେଉଛନ୍ତି ଭର୍ତ୍ତି ? ଅନୁଧ୍ୟାନ ପାଇଁ ଆରଏମଆରସିକୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ

502

କନକ ବ୍ୟୁରୋ : ଟିକାର ଦୁଇଟି ଡୋଜ୍ ନେବା ପରେ ବି କିଛି ଲୋକ କରୋନା ସଂକ୍ରମିତ ହେଉଛନ୍ତି । ଏଭଳି ମାମଲା ବାରମ୍ବାର ସାମନାକୁ ଆସିବା ପରେ ଅନୁଧ୍ୟାନ ପାଇଁ ଆରଏମଆରସିକୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ବିଭାଗ । ଚିଠିରେ ଲେଖାଯାଇଛି ମେ ୨୬ ତାରିଖ ସୁଦ୍ଧା ଓଡିଶା ସରକାର ୭୨ଲକ୍ଷରୁ ଅଧିକ ଟିକାର ଡୋଜ୍ ଦେଲେଣି । ସେଥିରୁ ୬୫ ଲକ୍ଷ କୋଭିସିଲ୍ଡ ଡୋଜ୍ ଦିଆଯାଇଥିବାବେଳେ ୭ ଲକ୍ଷ ୫୦ ହଜାର କୋଭାକ୍ସିନ ଡୋଜ୍ ଦିଆଯାଇଛି । କିନ୍ତୁ ଟିକାର ଦୁଇଟି ଡୋଜ୍ ନେବା ପରେ ବି କିଛି ଲୋକ କରୋନା ସଂକ୍ରମିତ ହେଉଥିବା ଖବର ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସାମନାକୁ ଆସୁଛି ।
ତେଣୁ ଟିକା ନେଇ ନଥିବା କରୋନା ସଂକ୍ରମିତଙ୍କ ତୁଳନାରେ, ଟିକା ନେବା ପରେ ସଂକ୍ରମିତ ହେଉଥିବା ରୋଗୀ କେତେ ମାତ୍ରାରେ ହସ୍ପିଟାଲରେ ଆଡମିସନ ହେଉଛନ୍ତି, କେତେ ଜଣ ଗୁରୁତର ହେଉଛନ୍ତି ତାହାର ଅନୁଧ୍ୟାନ ପାଇଁ ଚିଠିରେ ଅନୁରୋଧ କରିଛନ୍ତି । କରୋନାକୁ ରୋକିବା ପାଇଁ ଅଧିକରୁ ଅଧିକ ଲୋକଙ୍କୁ ଟିକା ଦେବାକୁ ଗୁରୁତ୍ୱ ଦେଉଛନ୍ତି ସରକାର । ଏଥିସହ ଟିକା ନେବା ଦ୍ୱାରା କରୋନା ଜନିତ ମୃତ୍ୟୁ ସଂଖ୍ୟା ଓ ଗୁରୁତରଙ୍କ ସଂଖ୍ୟା ମଧ୍ୟ କମିବ ବୋଲି କୁହାଯାଉଛି । ତେଣୁ ଏହି ଅନୁଧ୍ୟାନ ରାଜ୍ୟରେ ଟିକାକରଣକୁ ଆହୁରି ଆଗେଇ ନେବାରେ ବେଶ୍ ଗୁରୁତ୍ୱପୂର୍ଣ୍ଣ ।