ଅକ୍ସଫାମ ରିପୋର୍ଟରେ ସାଂଘାତିକ ସତ । ଦେଶରେ ଧନୀ ହାତରେ ଧନ, ଗରିବ ହାତ ଖାଲି । ବଡ କମ୍ପାନିର ସିଇଓଙ୍କ ରୋଜଗାର ସହ ସମକକ୍ଷ ହେବାକୁ ଜଣେ ଦିନ ମଜୁରିଆଙ୍କୁ ଲାଗିଯିବ ୨୨ ହଜାର ବର୍ଷ ।

541

କନକ ବ୍ୟୁରୋ : ଆମ ଅର୍ଥନୈତିକ ବ୍ୟବସ୍ଥାର ଏପରି ଏକ ଚିତ୍ର ସାମନାକୁ ଆସିଛି, ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଅକ୍ସଫାମର ରିପୋର୍ଟ କହୁଛି, ଭାରତର ବାର୍ଷିକ ବଜେଟ୍ ପରିମାଣରୁ ଅଧିକ ରହିଛି ମାତ୍ର ୬୩ ଜଣ କୋଟିପତିଙ୍କ ସଂପତି । ଦେଶର ୭୦ ପ୍ରତିଶତ ଲୋକଙ୍କ ସଂପତିର ୪ ଗୁଣରୁ ଅଧିକ ସଂପତି ରହିଛି ମାତ୍ର ୧ ପ୍ରତିଶତ ଧନୀ ଲୋକଙ୍କ ପାଖରେ । ସବୁଠୁ ଚିନ୍ତାଜନକ ତଥ୍ୟ ହେଉଛି, ଦେଶର ମହିଳା ଦିନକୁ ୩୨୬ କୋଟି ଘଣ୍ଟା ବିନା ମୂଲ୍ୟରେ ଖଟୁଛନ୍ତି । ଜଣେ ଟପ୍ କମ୍ପାନିର ସିଇଓ ବର୍ଷକୁ ଯେତିକି ରୋଜଗାର କରନ୍ତି, ଜଣେ ମହିଳା ଘରୋଇ ସହାୟକଙ୍କୁ ସେତିକି ରୋଜଗାର କରିବାକୁ ଲାଗିଯିବ ୨୨ ହଜାର ୨୭୭ ବର୍ଷ ।

ପୁଣି ଥରେ ଚିନ୍ତା ବଢ଼ାଇଛି ଅକ୍ସଫାମର ଭାରତ ଅସମାନତା ରିପୋର୍ଟ । ଭାରତର ୬୩ ଜଣେ କୋଟିପତିଙ୍କ ପାଖରେ ରହିଛି ୨୪ ଲକ୍ଷ ୪୨ ହଜାର କୋଟି ଟଙ୍କା । ଯାହା ୨୦୧୮- ୧୯ ଆର୍ଥିକ ବର୍ଷର ଭାରତୀୟ ବଜେଟ୍ ଠାରୁ ଅଧିକ । ଅର୍ଥାତ୍ କିଛି ମୁଷ୍ଟିମେୟ ଧନୀ ଲୋକଙ୍କ ପାଖରେ ସଂପତି ଠୁଳ ହେଉଛି । ଦେଶର ୭୦ ପ୍ରତିଶତ ଲୋକ ଅର୍ଥାତ୍ ୯୩ କୋଟି ୩୦ ଲକ୍ଷ ଲୋକଙ୍କ ପାଖରେ ଯେତିକି ସଂପତ୍ତି ରହିଛି, ତା’ର ୪ ଗୁଣରୁ ଅଧିକ ସଂପତ୍ତି ରହିଛି ମାତ୍ର ୧ ପ୍ରତିଶତ ଧନୀ କୋଟିପତିଙ୍କ ପାଖରେ ।

ଯାହା ପାଖରେ ଧନ ଅଛି, ତା’ର ଧନ ବଢ଼ୁଛି । ଗରିବ କିନ୍ତୁ ଗରିବ ହୋଇ ଚାଲିଛି । ଧନୀ-ଗରିବଙ୍କ ମଧ୍ୟରେ ଅସମାନତା ବଢ଼ି ବଢ଼ି ଚାଲିଛି । ସବୁଠୁ ଚିନ୍ତାଜନକ ହେଉଛି – ମହିଳାଙ୍କ ଶ୍ରମର ମୂଲ୍ୟ ମିଳୁନାହିଁ । ଏପରି ଏକ ହିସାବ ଅକ୍ସଫାମ ତା’ର ରିପୋର୍ଟରେ ଉଲ୍ଲେଖ କରିଛି, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏକ ଟପ୍ କଂପାନୀର ସିଇଓ, ପ୍ରତି ୧ ସେକେଣ୍ଡରେ ହାରାହାରି ୧୦୬ ଟଙ୍କା ରୋଜଗାର କରନ୍ତି । ତାଙ୍କର ୧୦ ମିନିଟର ଆୟ, ଘରୋଇ ସହାୟକ ଭାବେ କାର୍ଯ୍ୟ କରୁଥିବା ମହିଳାଙ୍କର ବର୍ଷକର ଆୟ ସହ ସମାନ । ଗୋଟିଏ ବର୍ଷରେ ଜଣେ ସିଇଓ ଯେତିକି ରୋଜଗାର କରନ୍ତି, ଜଣେ ଘରୋଇ ମହିଳା ସହାୟକଙ୍କୁ ସେତିକି ରୋଜଗାର କରିବା ପାଇଁ ୨୨, ୨୭୭ ବର୍ଷ ସମୟ ଲାଗିବ ।

ଅକ୍ସଫାମର ଏହି ରିପୋର୍ଟରେ କୁହାଯାଇଛି, ପ୍ରଚଳିତ ଅର୍ଥନୈତିକ ବ୍ୟବସ୍ଥାରେ ଗରିବ ମହିଳା ଓ ଯୁବତୀମାନେ ବିଭିନ୍ନ ରୂପରେ ଅର୍ଥନୈତିକ ଶୋଷଣର ଶିକାର ହୁଅନ୍ତି । ଭାରତୀୟ ମହିଳାମାନେ ଦିନକୁ ୩୨୬ କୋଟି ଘଂଟା ସମୟ ବିନା ପାରିଶ୍ରମିକରେ କାମ କରନ୍ତି । ଘରର ଯତ୍ନ ନେବା ପାଇଁ ସେମାନେ ବିନା ମୂଲ୍ୟରେ ଦୈନିକ ଘଣ୍ଟା ଘଣ୍ଟା କାର୍ଯ୍ୟ କରିଥାନ୍ତି । ଯଦି ସେମାନଙ୍କ ଶ୍ରମ ମୂଲ୍ୟକୁ ହିସାବ କରାଯାଏ, ତେବେ ବର୍ଷକୁ ଏହାର ପରିମାଣ ୯୧ ହଜାର କୋଟି ଟଙ୍କା । ଯାହା ପାଖାପାଖି ଭାରତର ବାର୍ଷିକ ଶିକ୍ଷା ବଜେଟ ପରିମାଣର ପାଖାପାଖି ।

ବିଶ୍ୱ ଅର୍ଥନୈତିକ ଫୋରମରେ ‘ଟାଇମ୍ ଟୁ କେୟାର’ ରିପୋର୍ଟ ଉନ୍ମୋଚନ ଉତ୍ସବରେ ଅକ୍ସଫାମ୍-ଭାରତ ପକ୍ଷରୁ କୁହାଯାଇଛି, ଆମ ଅର୍ଥନୈତିକ ବ୍ୟବସ୍ଥା ଏପରି ଯେ ଗରିବ ଲୋକଙ୍କ ପକେଟ୍ କାଟି ଧନୀ ଲୋକଙ୍କ ପକେଟକୁ ଭର୍ତି କରିବାରେ ଲାଗିଛି ।