ହାଇଦ୍ରାବାଦ ଟେଷ୍ଟରେ ବ୍ୟାକଫୁଟରେ ଇଂଲିଶ ଟିମ୍ । ଦ୍ୱିତୀୟ ଦିନରେ ଦମ୍ ଦେଖାଇଲେ ଜାଡେଜା, ଅକ୍ଷର । ପ୍ରଥମ ଇନିଂସରେ ୧୭୫ ରନରେ ଆଗୁଆ ଟିମ୍ ଇଣ୍ଡିଆ ।

188

କନକ ବ୍ୟୁରୋ: ହାଇଦ୍ରାବାଦରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ ମଜଭୁତ ସ୍ଥିତିରେ ଟିମ୍ ଇଣ୍ଡିଆ । ଇଂଲଣ୍ଡର ୨୪୬ ରନ୍ ଜବାବରେ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ପ୍ରଥମ ଇନିଂସରେ ୭ ୱିକେଟ୍ ହରାଇ ୪୨୧ ରନ୍ କରି ଦୃଢ଼ ସ୍ଥିତିରେ ରହିଛି । ଏଥିସହ ଭାରତ ଭାରତ ପକ୍ଷରୁ ଲୋକେଶ ରାହୁଲ, ଯଶସ୍ୱୀ ଜୈସୱାଲ ଓ ରବୀନ୍ଦ୍ର ଜାଡେଜା ଅର୍ଦ୍ଧଶତକ ମାରିଛନ୍ତି । ଦ୍ୱିତୀୟ ଦିନରେ ୧ ୱିକେଟରେ ୧୧୦ ରନର ଖେଳ ଆରମ୍ଭ କରିଥିବା ଭାରତ ଆରମ୍ଭରୁ ଜୈସୱାଲଙ୍କ ୱିକେଟ୍ ହରାଇଥିଲା । ୭୪ ବଲରେ ୮୦ ରନ୍ କରି ଆଉଟ୍ ହୋଇଥିଲେ ଏହି ଯୁବ ଓପ୍ନର । ଶୁବମନ ଗିଲ୍ ମଧ୍ୟ ନିରାଶ କରିଥିଲେ । ସେ ୨୩ ରନ୍ କରି ପ୍ୟାଭିଲିୟନ ଫେରିଥିଲେ ।

ରାହୁଲ ଓ ଶ୍ରେୟସ ଆୟାରଙ୍କ ଯୋଡ଼ି ଚତୁର୍ଥ ୱିକେଟ୍ ପାଇଁ ୬୪ ରନ୍ ଯୋଡ଼ିଥିଲେ । ଆୟାର ୩୫ ରନ୍ କରି ଆଉଟ୍ ହୋଇଥିଲେ । ଶତକ ଆଡ଼କୁ ଅଗ୍ରସର ହେଉଥିବା ରାହୁଲ ୮୫ ରନ୍ କରି ନିଜ ୱିକେଟ୍ ହରାଇ ବସିଥିଲେ । ଜାଡେଜା ଓ ଶ୍ରୀକର ଭରତଙ୍କ ମଧ୍ୟରେ ୬୮ ରନ୍ର ଭାଗିଦାରୀ ଯୋଗୁଁ ଭାରତ ୧୦୦ ରନ୍ର ଅଗ୍ରଣୀ ଲାଭ କରିଥିଲା । ୪୧ ରନ୍ କରିଥିବା ବେଳେ ଭରତଙ୍କୁ ପ୍ୟାଭିଲିୟନ ପଠାଇଥିଲେ ଜୋ ରୁଟ୍ । ଅଶ୍ୱିନ୍ ମାତ୍ର ୧ ରନ୍ କରି ରନଆଉଟ୍ ହୋଇଥିଲେ । ଜାଡେଜା ଓ ଅକ୍ଷର ପଟେଲ କ୍ରିଜରେ ଜମି ରହି ଭାରତକୁ ବଡ଼ ସ୍କୋରରେ ପହଂଚାଇଛନ୍ତି । ଜାଡେଜା ୮୧ ଓ ଅକ୍ଷର ୩୫ ରନ୍ କରି ଅପରାଜିତ ରହିଛନ୍ତି ।