ଅଲୋଡ଼ା ହୋଇଗଲେ ଇନ୍ଦ୍ରାବତୀ ବିସ୍ଥାପିତ: ଜଳଭଣ୍ଡାର ପାଇଁ ଭିଟାମାଟି ହରାଇ ପାହାଡ ଟାପୁରେ ରହୁଛନ୍ତି ୧୬ଟି ଗାଁର ଆଦିବାସୀ 

63

କନକ ବ୍ୟୁରୋ: ଅଖୋଜା ସଭ୍ୟତାରେ ହଜି ଯାଇଛି ଇନ୍ଦ୍ରାବତୀ ବିସ୍ଥାପିତଙ୍କ ଜୀବନ । ଜଳଭଣ୍ଡାରରେ ଜଳ ରହିବାକୁ ଗାଁ ଛାଡିଲେ, ସରକାରଙ୍କୁ ଜମି ଦେଲେ । ବିଜୁଳି ଉତ୍ପାଦନ କରି ସରକାର ମାଲେମାଲ ହେଲେ, କିନ୍ତୁ ବିସ୍ଥାପିତଙ୍କୁ ଭୁଲିଗଲେ । ଫଳରେ ଭିଟାମାଟି ହରାଇ, ଅଭିଶପ୍ତ ପ୍ରାୟ ଜଳବନ୍ଦୀ ଜୀବନ ଜିଉଁଛନ୍ତି କଳାହାଣ୍ଡି ଜିଲ୍ଲାର ଆଦିବାସୀ । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନରୁ ବଂଚିତ ବିସ୍ଥାପିତ ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ବାରମ୍ବାର ନିବେଦନ କଲେ ବି କେହି ଶୁଣୁନଥିବା ଅଭିଯୋଗ ହୋଇଛି ।

କଳାହାଣ୍ଡି ଇନ୍ଦ୍ରାବତୀ ଜଳରୁ ବିଜୁଳି ଉତ୍ପାଦନ ହେଲା, ଜଳଭଣ୍ଡର ଯୋଗୁଁ ଜିଲ୍ଲାର ଅନେକ ଅଂଚଳ ଶସ୍ୟଶାମଳା ହେଲା, ହେଲେ ଏଥିପାଇଁ ବିସ୍ଥାପିତ ହୋଇଥିବା ଗ୍ରାମବାସୀଙ୍କ ଜୀବନ ଅନ୍ଧାର ଭିତରକୁ ଢେଲି ହୋଇଗଲା । ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଗଲେ ଭିଟାମାଟି ଛାଡି ପାହାଡ ଟାପୁରେ ରହୁଥିବା ପୋଡାପଦର ପଂଚାୟତର ୧୬ଟି ଗାଁର ଆଦିବାସୀ ।

 ଥୁଆମୁଳରାମପୁର ସଦର ଠାରୁ ୭୫ କିଲୋମିଟର ଯିବା ପରେ ଡଙ୍ଗାରେ ପାଣି ପାରିିହେବାକୁ ପଡେ । ଜଳଭଣ୍ଡାରରେ ପ୍ରାୟ ୮ରୁ ୧୦ କିଲୋମିଟର ଯାତ୍ରା କରି ୭ କିଲୋମିଟର ପାହାଡ ଚଢିଲେ ଛୋଟ ଛୋଟ ଆଦିବାସୀ ବସ୍ତି ଦେଖିବାକୁ ମିଳେ । ଏମିତି ବସ୍ତିରେ ୧୬ଟି ଗାଁର ଲୋକେ ବସବାସ କରୁଛନ୍ତି । ଏଥିମଧ୍ୟରୁ ୨-୩ଟି ଗାଁର ବିସ୍ଥାପିତ କିଛି ସରକାରୀ ସୁବିଧା ପାଉଥିବା ବେଳେ ଅଧିକାଂଶ ଗାଁର ଆଦିବାସୀ ଆନ୍ଧାରୀ ଜୀବନ ବିତାଉଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନରୁ ବଂଚିତ ବିସ୍ଥାପିତ । ତେବେ ପାହାଡି ମୁଲକର ଏହି ଗାଁ ଗୁଡିକୁ ଭଲ ରାସ୍ତା ହେଲେ ଏମାନେ ସବୁ ପ୍ରକାର ମୌଳିକ ସୁବିଧା ସୁଯୋଗ ପାଇପାରନ୍ତେ ବୋଲି କହିଛନ୍ତି ।

ନିର୍ବାଚନ ସମୟରେ ଏଜେଂଟ ପଠାଇ କିଛି ଟଙ୍କା ଦେଇ ଲୋକଙ୍କୁ ପ୍ରଲୋଭିତ କରନ୍ତି ବିଭିନ୍ନ ଦଳର ନେତା । ସମସ୍ୟା ସମାଧାନ କରିବା ନେଇ କୁଢକୁଢ ପ୍ରତିଶ୍ରୃତି ଦେଇ ଭୋଟ ନେଇ ଯାଆନ୍ତି, ହେଲେ ନିର୍ବାଚନ ସରିଲେ, ଜନତାଙ୍କ ଦୁଃଖ ଭୁଲି ଯାଆନ୍ତି ଏଠାକାର ଜନ ପ୍ରତିନିଧି ।