ବିପଦରେ ଶ୍ରୀକ୍ଷେତ୍ରରେ ଐତିହ୍ୟ ପଞ୍ଚତୀର୍ଥ ପୁଷ୍କରିଣୀ। ଭୁଶୁଡ଼ିଲା ଇନ୍ଦ୍ରଦ୍ୟୁମ୍ନ ସୁରକ୍ଷା ପ୍ରାଚୀର

449

କନକ ବ୍ୟୁରୋ: ବିପଦରେ ପୁରୀର ପଞ୍ଚତୀର୍ଥ ପୁଷ୍କରଣୀ । ରକ୍ଷଣାବେକ୍ଷଣ ଅଭାବରୁ ଗୋଟିଏ ପରେ ଗୋଟିଏ ପଂଚତୀର୍ଥ ପୁଷ୍କରିଣୀର ସୁରକ୍ଷା ପାଚେରୀ ଭୁଶୁଡୁଛି । ଗତକାଲି ରାତିରେ ମାଟିଆପଡା ଅଚଂଳରେ ରହିଥିବା ଐତିହ୍ୟ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀର ପୂର୍ବପାଖ ପ୍ରାଚୀରର ପ୍ରାୟ କୋଡିଏ ଫୁଟ ଭୁଶୁଡିଛି । ଗତବର୍ଷ ମଧ୍ୟ ବର୍ଷାରେ କିଛି ଅଂଶ ପୁଷ୍କରିଣୀ ଭିତରକୁ ଭୁଶୁଡି ପଡିଥିବାବେଳେ ଏବେ ଆହୁରି ଅଧିକ କ୍ଷତିଗ୍ରସ୍ତ ହେବାରେ ଲାଗିଛି । ଏହା ପୂର୍ବରୁ ମାର୍କଣ୍ଡ ପୁଷ୍କରିଣୀର ପାଚେରୀ ମଧ୍ୟ ଭୁଶୁଡି ପଡିଥିଲା । ଏହା ପରେ ସରକାରଙ୍କ ପଂଚତୀର୍ଥ ପୁ୍ଷ୍କରିଣୀର ପୁନଃରୁଦ୍ଧାର ଯୋଜନା ଉପରେ ପ୍ରଶ୍ନଚିହ୍ନ ଲାଗିଛି ।

ସବୁଠୁ ବଡ଼ କଥା ହେଲା, ଭୁଶୁଡ଼ିଥିବା ପ୍ରାଚୀର କିଛି ଦିନ ତଳେ ନିର୍ମାଣ ହୋଇଥିଲା। ତଥାପି ଏହା ଭୁଶୁଡ଼ି ପଡ଼ିବା ନିମ୍ନମାନର କାମକୁ ସ୍ପଷ୍ଟ କରୁଛି। ଏହି ରାସ୍ତା ଦେଇ ଲୋକେ ମାଟିଆପଡ଼ା ମୁଖ୍ୟ ରାସ୍ତାରୁ ରାଧାକୃଷ୍ଣ ଲେନ୍, ଟିକରପଡ଼ା, ମଧୁବନ ଆଦି ସ୍ଥାନକୁ ଯା’ଆସ କରୁଥିଲେ। ରାସ୍ତାରେ ଫାଟ ସୃଷ୍ଟି ହେବା ପରେ ଏହି ରାସ୍ତା ଦେଇ ଯା’ଆସ ବନ୍ଦ ହୋଇଯାଇଛି। ସ୍ଥାନୀୟ ଲୋକେ ସୁରକ୍ଷା ଦୃଷ୍ଟିରୁ ଦୁଇପାର୍ଶ୍ବରେ ବାଉଁଶ ପକାଇ ରାସ୍ତା ଯାତାୟାତକୁ ବନ୍ଦ କରିଛନ୍ତି। ସମାନ ଧରଣର ଅବସ୍ଥା ମାର୍କଣ୍ଡ ପୁଷ୍କରିଣୀରେ ବି ଦେଖିବାକୁ ମିଳିଥିଲା। ଏଠାରେ ଏକାଧିକ ଥର ସୁରକ୍ଷା ପ୍ରାଚୀର ଭୁଶୁଡ଼ିଥିଲେ ବି ଆଜି ପର୍ଯ୍ୟନ୍ତ ପୁନରୁଦ୍ଧାର କାର୍ଯ୍ୟ କରାଯାଇଛି। କେବଳ ଇନ୍ଦ୍ରଦ୍ୟୁମ୍ନ ଓ ମାର୍କଣ୍ଡ ନୁହେଁ, ଅନ୍ୟ ପଞ୍ଚତୀର୍ଥ ପୁଷ୍କରିଣୀ ବି ବିପଦ ଭିତରେ ରହିଛି।

ସୂଚନାଯ‌ୋଗ୍ୟ, ଶ୍ରୀକ୍ଷେତ୍ରର ଇନ୍ଦ୍ରଦ୍ୟୁମ୍ନ, ମାର୍କଣ୍ଡ, ଶ୍ବେତଗଙ୍ଗା, ରୋହିଣୀକୁଣ୍ଡ ଓ ସମୁଦ୍ର ପଞ୍ଚତୀର୍ଥ ପୁଷ୍କରିଣୀ ଭାବେ ଜଣାଶୁଣା। ତୀର୍ଥ ଯାତ୍ରାରେ ବାହାରିଥିବା ଯାତ୍ରୀମାନେ ଏଠାରେ ସ୍ନାନ ନକଲେ ଯାତ୍ରା ଅଧୁରା ରହିଯାଏ ବୋଲି ବିଶ୍ବାସ ରହିଛି। ଏହି ଧାର୍ମିକ ବିଶ୍ବାସ ନେଇ ପ୍ରତ୍ୟହ ଶହ ଶହ ସଂଖ୍ୟାରେ ଭକ୍ତମାନେ ଏଠାକୁ ଦୌଡ଼ି ଆସନ୍ତି। କିନ୍ତୁ ପ୍ରାଶାସନିକ ଅବହେଳା ଏହି ପବିତ୍ର ପୁଷ୍କରିଣୀର ପ୍ରତିଷ୍ଠାକୁ ନଷ୍ଟ କରି ଦେବାକୁ ବସିଛି।