କନକ ବ୍ୟୁରୋ : ଚିରସ୍ରୋତା ନଦୀ ଇନ୍ଦ୍ରାବତୀ। କଳାହାଣ୍ଡି ଜିଲ୍ଲାରୁ ନବରଙ୍ଗପୁର ଜିଲ୍ଲା ଦେଇ ଛତିଶଗଡ଼କୁ ପ୍ରବାହିତ ହୋଇଛି। ନଦୀ ଅବବାହିକାରେ ଥିବା ନବରଙ୍ଗପୁର ଜିଲ୍ଲାର ଶତାଧିକ ଗାଁ ପାଇଁ ଏହି ନଦୀ ଦିନେ ଥିଲା ଜୀବନରେଖା। ବର୍ଷର ଦୁଇ ଥର ଚାଷ କରି ବେଶ୍ ସଶକ୍ତ ଥିଲେ ଏଠାକାର ଚାଷୀ। କିନ୍ତୁ ନଦୀ ଗର୍ଭରେ ଏବେ ଲୀନ ହୋଇଯାଇଛି ସେହି ସମୃଦ୍ଧ ଅର୍ଥନୀତି। ଶସ୍ୟ ଶାମଳା ଭୂଇଁକୁ ଅକ୍ତିଆର କରିଛି ଇନ୍ଦ୍ରାବତୀ ବହୁମୁଖୀ ପ୍ରକଳ୍ପ। ଏଥିପାଇଁ ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି, ନନ୍ଦାହାଣ୍ଡି ବ୍ଲକ୍ ସମେତ କଳାହାଣ୍ଡି ଓ କୋରାପୁଟ ଜିଲ୍ଲାର ୫ ହଜାରରୁ ଊର୍ଦ୍ଧ୍ବ ପରିବାର ବିସ୍ଥାପିତ ହୋଇଛନ୍ତି। ଜଳ, ଜମି, ଜଙ୍ଗଲ ଏବଂ ଜୀବିକା ଜଳମଗ୍ନ ହୋଇଯାଇଛି।
ଇନ୍ଦ୍ରାବତୀ ଜଳଭଣ୍ଡାର ନିର୍ମାଣ ହେବା ପୂର୍ବରୁ କୃଷି ଭିତ୍ତିକ ଅର୍ଥନୀତିରେ ବେଶ୍ ସମୃଦ୍ଧ ଥିଲା ନବରଙ୍ଗପୁର ଜିଲ୍ଲା। ତେଣୁ ବହୁ ଜାତୀୟ ତଥା ବିଦେଶୀ କଂପାନି ନବରଙ୍ଗପୁର ଜିଲ୍ଲାରେ କୃଷି ଭିତ୍ତିକ ଶିଳ୍ପ ସ୍ଥାପନ ପାଇଁ ଇଚ୍ଛୁକ ରହିଥିଲେ। କିନ୍ତୁ ଇନ୍ଦ୍ରାବତୀ ଜଳଭଣ୍ଡାର ନିର୍ମାଣ ପରେ ନଦୀ ଶୁଖିବା ଆରମ୍ଭ କରିଥିଲା ତେଣୁ ବହୁରାଷ୍ଟ୍ରୀୟ କଂପାନିଗୁଡ଼ିକ ମୁହଁ ଫେରାଇ ନେବାକୁ ବାଧ୍ୟ ହୋଇଥିଲେ। ଯାହାର ପରିଣାମ ସ୍ବରୂପ ଅନ୍ୟ କୌଣସି ଶିଳ୍ପ ବି ଏଠାରେ ପ୍ରତିଷ୍ଠା ହୋଇପାରିଲା ନାହିଁ। ସମୟକ୍ରମେ ଜିଲ୍ଲା ପାଇଁ ଜୀବନରେଖା ପାଲଟିଥିବା ଇନ୍ଦ୍ରାବତୀ ଏବେ ଦୁଃଖର କାରଣ ପାଲଟିବାକୁ ଯାଉଛି। ଯାହାର ବଡ଼ ଉଦାହରଣ ହେଲା ପଡ଼ୋଶୀ କଳାହାଣ୍ଡି ଜିଲ୍ଲା ପାଇଁ ଇନ୍ଦ୍ରାବତୀ ଜଳଭଣ୍ଡାର ଏବେ ଭାତହାଣ୍ଡି ପାଲଟିଛି। ଅନ୍ୟପଟେ ନବରଙ୍ଗପୁର ଜିଲ୍ଲାକୁ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ୁଥିବା ବେଳେ କିଛି ଅଞ୍ଚଳର ମରୁଭୂମୀ ପାଲଟି ଗଲାଣି।
Comments are closed.