ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଏକ ବିବ୍ରତ କଲାପରି ମାମଲା ସାମ୍ନାକୁ ଆସିଛି । ଏକ ଘରୋଇ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀରେ ପଢୁଥିବା ଛାତ୍ରମାନଙ୍କ ମଧ୍ୟରେ ଖେଳିବାବେଳେ ଝଗଡା ହୋଇଥିଲା । ଏହି ଝଗଡା ସମୟରେ ତିନିଜଣ ଛାତ୍ର ସେମାନଙ୍କର ଜଣେ ସହପାଠୀଙ୍କୁ କମ୍ପାସରେ ୧୦୮ ଥର ଭୂଷି ଦେଇଥିଲେ । ଖାଲି ଏତିକିରେ ସେମାନେ ଶାନ୍ତ ହେଇନଥିଲେ ତାପରେ ସେମାନେ ସହପାଠୀକୁ ଲାତ, ବିଧା ଗୋଇଠା ମାରି ଚାଲିଥିଲେ ଅନ୍ୟମାନେ ଆସି ନ ଛଡ଼େଇଲା ପର୍ଯ୍ୟନ୍ତ । ପୀଡିତ ଛାତ୍ରଙ୍କ ପିତାଙ୍କ ଅଭିଯୋଗକ୍ରମେ ପୋଲିସ ବର୍ତ୍ତମାନ ଘଟଣାର ତଦନ୍ତ କରୁଛି ।
ଗତ ଶୁକ୍ରବାର ଦିନର ଘଟଣା । ସ୍ଥାନ ସହରର ଏରୋଡ୍ରୋମ ପୋଲିସ ଷ୍ଟେସନ ଅଞ୍ଚଳ । ଗରିମା ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ । ଶ୍ରେଣୀଗୃହ ପିଲାମାନଙ୍କ ଦ୍ଵାରା ଭର୍ତ୍ତି ହେଇଥାଏ । କ୍ଳାସ ଟିଚର ଅନୁପସ୍ଥିତ ଥାଆନ୍ତି ତେଣୁ ପିଲାଙ୍କ ପାଟିରେ କ୍ଳାସରୁମ୍ ଫାଟି ପଡୁଥାଏ । ପିଲାମାନେ ନିଜନିଜ ଭିତରେ କଥାବାର୍ତ୍ତା ଖେଳାଖେଳିରେ ମସ୍ତ ଥାଆନ୍ତି । ହଠାତ କ୍ଳାସର ଶେଷ ଆଡୁ ଜୋର ପାଟିତୁଣ୍ଡ ଶୁଭିଲା । ଘଟଣା କଣ ଦେଖୁ ଦେଖୁ ତିନିଜଣ ପିଲା ତାଙ୍କର ଜଣେ ସହପାଠୀକୁ ଜ୍ୟାମିତି ବକ୍ସରେ ଆସୁଥିବା 'କମ୍ପାସ' ସାହାଯ୍ୟରେ ଆକ୍ରମଣ କରି ଚାଲିଥାନ୍ତି । ବିଚରା ପିଲାଟି ଯନ୍ତ୍ରଣାରେ ଚିତ୍କାର କରୁଥାଏ । ଅନ୍ୟ ପିଲାମାନେ ଭୟରେ ଜଡସଡ ହୋଇ ଶ୍ରେଣୀର ଗୋଟିଏ କଡକୁ ଆଉଜି ଯାଇଥାନ୍ତି । ଏତେ ଛୋଟ ଛୋଟ ପିଲାମାନେ ଯେମିତି ରକ୍ତମୁଖା ହେଇଯାଇଥାନ୍ତି । କମ୍ପାସ ଦ୍ଵାରା ଲଗାତାର ଆକ୍ରମଣ କରୁଥାନ୍ତି । ଏତିକିରେ ବି ସେମାନଙ୍କର ମନ ବୁଝିଲାନି ଯେ ତାକୁ ଲାତ, ବିଧା ଗୋଇଠା ମାରି ତଳେ ପକେଇଦେଲେ । ପାଟିତୁଣ୍ଡ ଶୁଣି ଅନ୍ୟ କ୍ଳାସରୁ ଶିକ୍ଷାକମାନେ ଦଉଡି ଆସି ସେମାନଙ୍କୁ ଅଲଗା କରିଥିଲେ । ନହେଲେ ସେଦିନ ଘଟଣା ଯେ କଣ ହେଇଥାନ୍ତା ତାହା କଳ୍ପନାର ବାହାରେ ।
ସ୍କୁଲ ଛୁଟି ପରେ ପିଲାଟି ଆସି ଘରେ ବାପା ମା' ଙ୍କୁ ସବୁ ଘଟଣା କହିବା ପରେ ତା ଆରଦିନ ସେମାନେ ସ୍କୁଲ ଯାଇ ପ୍ରଧାନଶିକ୍ଷକଙ୍କୁ ଏ ବାବଦରେ ଅଭିଯୋଗ କରିଥିଲେ । କିନ୍ତୁ ପ୍ରଧାନଶିକ୍ଷକ ପୁରା ଘଟଣାକୁ ଅସ୍ଵୀକାର କରିଦେଇଥିଲେ । ସ୍କୁଲ କର୍ତ୍ତୃପକ୍ଷ ନିଜ ଦାୟିତ୍ବ ମୁଣ୍ଡରୁ ଖସାଇଲା ପରି ଆଚରଣରେ ଅସନ୍ତୁଷ୍ଟ ହୋଇ ପିଲାର ଅଭିଭାବକ ପୋଲିସରେ ରିପୋର୍ଟ କରିଥିଲେ । ଯେହେତୁ ମାମଲାଟି ୧୦ ବର୍ଷ ବୟସ ପିଲାଙ୍କର ତେଣୁ ଘଟଣାର ଗୁରୁତ୍ବ ବୁଝି ପୋଲିସ ତୁରନ୍ତ ଜୁଭେନାଇଲ ଜଷ୍ଟିସ ଆକ୍ଟ ଅନ୍ତର୍ଗତରେ କମିଟି ଗଠନ କରିଥିଲା । ପୋଲିସ ସୂତ୍ରରୁ ପ୍ରକାଶ ଯେ ଆକ୍ରମଣ କରିଥିବା ସେହି ତିନିଜଣ ଛାତ୍ରଙ୍କର ଅଭିଭାବକମାନଙ୍କୁ ଡକାଇ ପଚରାଉଚୁରା କରାଯିବ ଏବଂ ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।