ଫୁଟପାଥରେ ପାଠ ପଢି ପରୀକ୍ଷାରେ ରଖିଲେ ପ୍ରଥମସ୍ଥାନ : ଭାରତୀଙ୍କ ଶିକ୍ଷାର ସାଥି ସାଜିଲା ଷ୍ଟ୍ରିଟଲାଇଟ୍ , ଝିଅର କୃତିତ୍ୱ ପାଇଁ ପରିବାରର ମୁଣ୍ଡ ଗୁଞ୍ଜିବାକୁ ମିଳିଲା ଛାତ 

810

ଅସୁବିଧାରେ ରହି ଆଲୁଅର ମାର୍ଗକୁ ଯିଏ ଖୋଜି ବାହାର କରେ ତାକୁ ହିଁ ତ କୁହନ୍ତି ବିଦ୍ୟାର୍ଥୀ । ଲକଡ଼ାଉନ୍ ସମୟରେ ଶିକ୍ଷକଙ୍କ ମାର୍ଗଦର୍ଶନରୁ ଦୂରରେ ରହି ମଧ୍ୟ କିଛି ଛାତ୍ରଛାତ୍ରୀଙ୍କ ପାଠରେ ଡ଼ୋର ବାନ୍ଧି ପାରିନି ଲକଡ଼ାଉନ୍ କରୋନା । ଲକଡ଼ାଉନ୍ ଭିତରେ ବି ହୋଇଛି ପରୀକ୍ଷା ଆଉ ଏବେ ବାହାରିଛି ଫଳାଫଳ । ମଧ୍ୟପ୍ରଦେଶରେ ଦଶମ ବୋର୍ଡ଼ ପରୀକ୍ଷାର ଫଳାଫଳ ବାହାରି ସାରିଛି । ଏହି ପରୀକ୍ଷାରେ ଅନେକ ଛାତ୍ରଛାତ୍ରୀ କୃତିତ୍ୱ ହାସଲ କରିଛନ୍ତି । ଆଉ ଏମାନଙ୍କ ଭିତରୁ ଜଣେ ହେଉଛନ୍ତି ଇନ୍ଦୋର ନିବାସୀ ଭାରତୀ ଖାଣ୍ଡେକର୍ । ଫୁଟପାଥରେ ଭାରତୀଙ୍କ ପରିବାର , ଆଉ ଏଭଳି ପ୍ରତିକୂଳ ପରିବେଶରେ ରହି ମଧ୍ୟ ଦଶମ ବୋର୍ଡ ପରୀକ୍ଷାରେ ଫାଷ୍ଟ୍ କ୍ଲାସ୍ ପାସ୍ କରିଛନ୍ତି ଭାରତୀ । ଏତେ ଅସୁବିଧା ପରେ ବି ସେ ପରୀକ୍ଷାରେ ୬୮ % ରଖିଛନ୍ତି । ମେଧାବୀ ଛାତ୍ରୀ ଭାରତୀଙ୍କୁ ନଗର ନିଗମ ପକ୍ଷରୁ ବଡ଼ ଉପହାର ଭେଟି ଦିଆଯାଇଛି । ଭାରତୀ ନିଜ ପରିବାର ସହିତ ଇନ୍ଦୋରର ଶିବାଜୀ ମାର୍କେଟ୍ ସ୍ଥିତ ଫୁଟପାଥରେ ରହୁଛନ୍ତି । ପାଠପଢିବା ପାଇଁ ତାଙ୍କୁ ସହାୟତା କରିଛି ଷ୍ଟ୍ରିଟ୍ ଲାଇଟ୍ । ଅହିଲ୍ୟାଶ୍ରମ ସ୍କୁଲରେ ପଢୁଥିବା ଏହି ଝିଅଙ୍କ ବାପା ଦିନମଜୁରିଆ କାମ କରୁଥିବା ବେଳେ ମା’ ପରଘରେ କାମ କରି ଗୁଜୁରାଣ ମେଣ୍ଟାଉଛନ୍ତି । କମ୍ ଦରମାରେ ଘର ଖଣ୍ଡିଏ ଭଡ଼ା ନେବାକୁ ବି ପରିବାର ପାଖରେ ସମ୍ବଳ ନାହିଁ ।

ଭାରତୀର ପରିବାର ଏକ କୁଡ଼ିଆ କରି ବେସରକାରୀ ସ୍ଥାନରେ ରହୁଥିଲେ ଯାହାକୁ ସରକାର ଜେସିବି ଲଗାଇ ଭାଙ୍ଗିଦେଲେ । ଏହାପରେ ଫୁଟପାଥ୍ ପାଲଟିଗଲା ଭାରତୀଙ୍କ ନୂଆ ଘର । ୨ ଛୋଟ ଭାଇଙ୍କ ସହ ଭାରତୀ ଷ୍ଟ୍ରିଟଲାଇଟରେ ପାଠପଢି ଭଲ ନମ୍ବର ଆଣିଛନ୍ତି । ତେବେ ଷ୍ଟ୍ରିଟ୍ ଲାଇଟର ସାହାରାରେ ପାଠ ପଢି ଭଲ ନମ୍ବର ଆଣିଥିବା ଝିଅଙ୍କ କଥା ଏବେ ପୁରା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ଭାରତୀଙ୍କ ଖବରକୁ ଶୁଣିବା ପରେ ବାଳ ଆୟୋଗ ମଧ୍ୟ ତାଙ୍କ ପରିବାର ଏବଂ ଭାରତୀଙ୍କ ଶିକ୍ଷାରେ ସହାୟତା କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଝିଅର କୃତିତ୍ୱ ପାଇଁ ପିଏମ୍ ଆବାସ ଯୋଜନାରେ ପରିବାରକୁ ମିଳିଲା ଫ୍ଲାଟ୍  । ଭାରତୀ ଏବଂ ତା’ ଭାଇମାନଙ୍କୁ ମିଳିଲା ପଢିବା ପାଇଁ ବହି ଏବଂ ପିନ୍ଧିମା ପାଇଁ ଡ୍ରେସ୍ । ତେବେ ଷ୍ଟ୍ରିଟ୍ ଲାଇଟକୁ ସାଥି କରି ପାଠ ପଢିଥିବା ଝିଅଟି ଆଗକୁ ଆଇଏଏସ୍ ହେବାକୁ ଇଚ୍ଛା ରଖିଛି ।