ଆସିଲା ସ୍ୱଚ୍ଛତା ସର୍ବେକ୍ଷଣ ରିପୋର୍ଟ-୨୦୨୧: ପଂଚମ ଥର ସ୍ୱଚ୍ଛତମ ସହର ସମ୍ମାନ ହାତେଇଲା ମଧ୍ୟପ୍ରଦେଶର ଇନ୍ଦୋର 

139

କନକ ବ୍ୟୁରୋ: ପ୍ରକାଶ ପାଇଲା ଚଳିତ ବର୍ଷର ଦେଶର ସ୍ୱଚ୍ଛ ରାଜ୍ୟ ସହର ତାଲିକା । ଆଉ ସ୍ୱଚ୍ଛତା ତାଲିକାର ଶୀର୍ଷରେ ପୁଣିଥରେ ନିଜ ସ୍ଥାନ ଅକ୍ତିଆର କରିଛି ମଧ୍ୟ ପ୍ରଦେଶର ଇନ୍ଦୋର । ପଂଚମ ଥର ପାଇଁ ଇନ୍ଦୋର ହାତକୁ ଯାଇଛି ଏହି ଟାଇଟଲ । ସେହିପରି ସ୍ୱଚ୍ଛ ରାଜ୍ୟ ତାଲିକାରେ ଶୀର୍ଷରେ ରହିଛି ଛତିଶଗଡ । ନୂଆଦିଲ୍ଲୀର ବିଜ୍ଞାନ ଭବନରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଦେଶର ସ୍ୱଚ୍ଛ ସହର, ରାଜ୍ୟ ଏବଂ ଗାଁକୁ ପୁରଷ୍କୃତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ଦେଶର ସ୍ୱଚ୍ଛ ସହର ତାଲିକା ରେ ଶୀର୍ଷ ସ୍ଥାନରେ ପୁଣି ଥରେ ରହିଛି ଇନ୍ଦୋର । ପଂଚମ ଥର ପାଇଁ କ୍ଲିନେଷ୍ଟ ସିଟି ର ଆୱାର୍ଡ ହାତେଇଛି ଇନ୍ଦୋର ସହର । ଏହାସହ ୧୨ କୋଟିର ସଫେଇ ମିତ୍ର ପୁରଷ୍କାର ବି ହାତେଇଛି ମଧ୍ୟପ୍ରଦେଶର ଇନ୍ଦୋର । ନୂଆଦିଲ୍ଲୀ ବିଜ୍ଞାନ ଭବନରରେ ଆୟୋଜିତ ସ୍ୱଚ୍ଛତା ସର୍ବେକ୍ଷଣ-୨୦୨୧ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, କେନ୍ଦ୍ର ସହର ବିକାଶ ମନ୍ତ୍ରୀ ହରଦୀପ ସିଂହ ପୁରୀ ଉପସ୍ଥିତ ରହି ମନୋନୀତ ରାଜ୍ୟ, ସହରକୁ ପୁରସ୍କୃତ କରିଛନ୍ତି । ସେପଟେ ପଂଚମ ଥର ଦେଶର ସ୍ୱଚ୍ଛତମ ପୁରସ୍କାର ହାତେଇବା ପରେ ଇନ୍ଦୋର ବାସୀ ଉତ୍ସବ ପାଳନ କରିଛନ୍ତି । ଫାଇବ ଷ୍ଟାର ରେଟିଂ ପାଇବା ପରେ ଇନ୍ଦୋର ବାସୀ କେକ୍ କାଟି ନାଚ ଗୀତ ସହ ଖୁସି ମନାଇଛନ୍ତି ।

ଇନ୍ଦୋର ପଛକୁ ସ୍ୱଚ୍ଛତା ତାଲିକାରେ ୨ୟ ଓ ୩ୟ ସ୍ଥାନରେ ରହିଛନ୍ତି ସୁରଟ ଓ ବିଜୟୱାଡା । ତେବେ ବାରାଣାସିକୁ କ୍ଲିନେଷ୍ଟ ଗଙ୍ଗା ଟାଉନ ଭାବେ ବଛାଯାଇଛି । ସେହିପରି ଶ୍ରେଷ୍ଠ ସ୍ୂଚ୍ଛ ରାଜ୍ୟ ତାଲିକାରେ ଶୀର୍ଷରେ ରହି ପୁରଷ୍କୃତ ହୋଇଛି ଛତିଶଗଡ । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ଭୁପେଶ ବାଘଲ ସ୍ୱଚ୍ଛତା ଦିଗରେ କାର୍ଯ୍ୟ କରୁଥିବା ପ୍ରତ୍ୟେକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରାଳୟ ଦ୍ୱାରା ହୋଇଥିବା ସର୍ଭେ ଜରିଆରେ ଏ ତାଲିକା ପ୍ରକାଶ ପାଇଛି । ଭାରତର ସ୍ୱଚ୍ଛ ସହର ରାଜ୍ୟ ଓ ଟାଉନ ଗୁଡିକୁ ନେଇ ଏହି ସର୍ଭେ କରାଯାଇଥିଲା ।