ବିଜେପିର ଇନ୍ଦୌର କନଫ୍ୟୁଜନ: କାହାକୁ କରିବ ପ୍ରାର୍ଥୀ ଦ୍ୱନ୍ଦ୍ୱରେ ଦଳ, ସେପଟେ ଟିକେଟ ଘୋଷଣାରେ ବିଳମ୍ବ ନେଇ ନିର୍ବାଚନ ଲଢିବାକୁ ମନା କଲେ ସୁମିତ୍ରା ମହାଜନ

191

କନକ ବ୍ୟୁରୋ: ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି ରହିଥିବା ବେଳେ ଟିକେଟକୁ ନେଇ ବିଭିନ୍ନ ରାଜନୈତିକ ଦଳମାନଙ୍କ ମଧ୍ୟରେ ଅସନ୍ତୋଷ ଭାବ ଦିନକୁ ଦିନ ତିବ୍ର ହେବାରେ ଲାଗିଛି । ଓଡିଶାରୁ ଆରମ୍ଭ କରି ଓଡିଶା ବାହାର ରାଜ୍ୟମାନଙ୍କରେ ବି ଦଳୀୟ ଟିକେଟକୁ ନେଇ ପ୍ରାର୍ଥୀ ତଥା ହେଭିୱେଟ ନେତାଙ୍କ ମଧ୍ୟରେ ଦଳକୁ ନେଇ କ୍ଷୋଭ ଜାତ ହୋଇଛି । ତେବେ ଏହି ତାଲିକାରେ ସବୁଠାରୁ ଶୀର୍ଷରେ ରହିଛି ବିଜେପି । ଯେଉଁଠି ଟିକେଟ୍ ପାଇବା ସତ୍ୱେ ବି ପ୍ରାର୍ଥୀ ମାନେ କୌଣସି ନା କୌଣସି ବାହାନା କରି ନିର୍ବାଚନ ଲଢିବାକୁ ପ୍ରତ୍ୟାଖ୍ୟାନ କରିଦେଉଛନ୍ତି । ଯାହାକି ବିଜେପି ପାଇଁ ଏକ ବଡ ସମସ୍ୟା ସୃଷ୍ଟି କରିଛି ।

ଲୋକସଭା ବାଚସ୍ପତି ତଥା ବିଜେପିର ଇନ୍ଦୋର ସାଂସଦ ସୁମିତ୍ରା ମହାଜନ ଶୁକ୍ରବାର ସ୍ପଷ୍ଟ କରିଛନ୍ତି ଯେ ସେ ୨୦୧୯ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ। ଏକ ଇସ୍ତାହାରରେ ମହାଜନ କହିଛନ୍ତି ଯେ ଦଳ ପକ୍ଷରୁ ଇନ୍ଦୋର ପ୍ରାର୍ଥୀ ତାଲିକା ଘୋଷଣାରେ ବିଳମ୍ବ ହେଉଛି। ସେ ଅନୁମାନ କରୁଛନ୍ତି ଯେ ଏଥର ଇନ୍ଦୋରରୁ ସାଂସଦ ପ୍ରାର୍ଥୀ ଭାବେ ତାଙ୍କ ନାମ ଘୋଷଣା କରିବାକୁ ବିଜେପି ବୋଧହୁଏ କୁଣ୍ଠାବୋଧ କରୁଛି। ଫଳରେ ସେ ନିଜ ଆଡୁ ନିର୍ବାଚନ ନ ଲଢ଼ିବା ନିଷ୍ପତ୍ତି ନେଇଛନ୍ତି।

୭୫ ବର୍ଷୀୟା ଏହି ବରିଷ୍ଠ ବିଜେପି ନେତ୍ରୀ ପୂର୍ବରୁ ବରିଷ୍ଠ ଦଳୀୟ ନେତାମାନଙ୍କୁ କହିଥିଲେ ଯେ ଇନ୍ଦୋର ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ ଘୋଷଣା କରିବାରେ ବିଜେପି ଏବେ ପୂର୍ଣ୍ଣ ସ୍ୱାଧୀନ। ଦଳ କାହାର ବି ନାମ ଘୋଷଣା କରିପାରେ, ସେଥିରେ ତାଙ୍କର କୌଣସି ଆପତ୍ତି ନାହିଁ।ଚଳିତ ମାସ ସୁମିତ୍ରା ମହାଜନ ୭୫ ବର୍ଷ ପାର୍‌ ୭୬ ବର୍ଷରେ ପାଦ ଦେଉଥିବା ହେତୁ ତାଙ୍କୁ ଟିକେଟ୍‌ ମିଳିବା ନେଇ ଦ୍ୱନ୍ଦ୍ୱ ଉପୁଜିଛି। ଇନ୍ଦୋରରୁ ସୁମିତ୍ରା ୮ ଥର ସାଂସଦ ହୋଇ ସାରିଲେଣି।

ଏଠାରେ ଆମେ କହି ରଖୁଛୁ କି, ଯଦି ମହାଜନଙ୍କୁ ଟିକେଟ ନମିଳେ । ତେବେ ଲାଲକୃଷ୍ଣ ଆଡବାଣୀ, ମୁରଲୀ ମନୋହର ଜୋସି ଏବଂ କଲରାଜ ମିଶ୍ରଙ୍କ ପରେ ସେ ବିଜେପିର ଚତୁର୍ଥ ବରିଷ୍ଠ ନେତା ହେବେ, ଯିଏକି ଚଳିତ ଥର ନିର୍ବାଚନ ଲଢିବାକୁ ବଂଚିତ ହେବେ ।