ଇଣ୍ଡୋନେସିଆର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ପ୍ରବୋବେ ସୁବିଆନ୍ତୋ ସରକାର ଗଠନ କରିବାକୁ ଯାଉଛନ୍ତି । ଇଣ୍ଡୋନେସିଆରେ ଭୋଟ୍ ଫଳାଫଳର ପ୍ରାରମ୍ଭିକ ସୂଚନା ଉପରେ ଆଧାର କରି ପ୍ରବୋବେ ତାଙ୍କ ବିଜୟ ଘୋଷଣା କରିଛନ୍ତି । ତେବେ ବିରୋଧୀଦଳ ତାଙ୍କୁ ନିର୍ବାଚନରେ ​​ଜାଲିଆତି କରିଥିବା ଅଭିଯୋଗ କରୁଛନ୍ତି । ପ୍ରବୋବେ ରାଜନୀତିକୁ ଆସିବା ପୂର୍ବରୁ ଜଣେ ସେନା ଜେନେରାଲ ଥିଲେ ଏବଂ ସେ ଇଣ୍ଡୋନେସିଆର ଏକ ପ୍ରଭାବଶାଳୀ ପରିବାରରୁ ଆସିଛନ୍ତି ।
ପୃଥିବୀର ସର୍ବାଧିକ ମୁସଲମାନ ଜନସଂଖ୍ୟା ଏବଂ ତୃତୀୟ ବୃହତ୍ତମ ଗଣତନ୍ତ୍ର ଇଣ୍ଡୋନେସିଆରେ ନୂତନ ରାଷ୍ଟ୍ରପତି ବାଛିବା ପାଇଁ ବୁଧବାର ମତଦାନ ଅନୁଷ୍ଠିତ ହୋଇଥିଲା । ଭୋଟ୍ ଗଣନା ଆରମ୍ଭ ହେବା ପରେ ପ୍ରବୋବେ ସୁବିଆନ୍ତୋ ପ୍ରାରମ୍ଭିକ ଦୌଡ଼ରେ ଆଗୁଆ ଅଛନ୍ତି । ଏହି ଧାରାକୁ ଆଧାର କରି ଇଣ୍ଡୋନେସିଆର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ନିଜର ତାଙ୍କ ବିଜୟ ଘୋଷଣା କରିଛନ୍ତି । ଅଣଆନୁଷ୍ଠାନିକ ଫଳାଫଳ ଅନୁଯାୟୀ, ପ୍ରାରମ୍ଭିକ ପର୍ଯ୍ୟାୟରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀମାନଙ୍କଠାରୁ ସେ ବହୁତ ଆଗରେ ଅଛନ୍ତି । ତୃତୀୟ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନରେ ନିଜର ଭାଗ୍ୟ ପରୀକ୍ଷା କରୁଥିବା ପ୍ରବୋବେ ସୁବିଆନ୍ତୋଙ୍କୁ ଗଣାଯାଇଥିବା ୮୫ ପ୍ରତିଶତ ଭୋଟରୁ ୫୮ ପ୍ରତିଶତ ପାଇଛନ୍ତି । ତେବେ ନିର୍ବାଚନ ଆୟୋଗ ଏପର୍ଯ୍ୟନ୍ତ କୌଣସି ସରକାରୀ ଘୋଷଣା କରିନାହାଁନ୍ତି ।
ତରବରିଆ ଭାବେ ବିଜୟ ଘୋଷଣା
ଅନ୍ୟ ଦୁଇ ପ୍ରାର୍ଥୀ ଗଞ୍ଜର ଏବଂ ଅନିସ୍, ସୁବିଆନ୍ତୋଙ୍କ ବିଜୟ ଘୋଷଣାକୁ ତରବରିଆ ଘୋଷଣା ବୋଲି କହିଛନ୍ତି ଏବଂ ଆନୁଷ୍ଠାନିକ ଫଳାଫଳକୁ ଅପେକ୍ଷା କରିବାକୁ ଜନସାଧାରଣଙ୍କୁ କହିଛନ୍ତି । ଉଭୟ ନେତାଙ୍କ ଦଳ ନିର୍ବାଚନ ଉଲ୍ଲଂଘନ ଘଟଣାର ଅନୁସନ୍ଧାନ କରୁଥିବାବେଳେ କୌଣସି ପ୍ରମାଣ ନ ଦେଇ ନିର୍ବାଚନରେ ​​ବଡ଼ ଧରଣର ଜାଲିଆତି ହୋଇଥିବାର ଅଭିଯୋଗ କରିଛନ୍ତି ।
ନିଜ ସମର୍ଥକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି
ନିଜ ବିଜୟ ଘୋଷଣା କରିବା ପରେ ସୁବିଆନ୍ତୋ ତାଙ୍କର ସମର୍ଥକଙ୍କୁ ଧନ୍ୟବାଦ ଜଣାଇଛନ୍ତି । "ଆମେ ଅହଂକାରୀ ହେବା ଉଚିତ୍ ନୁହେଁ, ଗର୍ବ କରିବା ଉଚିତ୍ ନୁହେଁ, ଅତି ଉତ୍ସାହିତ ହେବା ମଧ୍ୟ ଉଚିତ୍ ନୁହେଁ, ଶାନ୍ତ ରହିବା ଆବଶ୍ୟକ, ଏହି ବିଜୟ ନିଶ୍ଚିତ ଭାବରେ ସମସ୍ତ ଇଣ୍ଡୋନେସିଆର ବିଜୟ” ବୋଲି ସୁବିଆନ୍ତୋ ଜାତୀୟ ଟେଲିଭିଜନରେ ଦେଇଥିବା ବିବୃତ୍ତିରେ କହିଛନ୍ତି ।
ବିନା କୌଣସି ବାଧାବିଘ୍ନରେ ବୁଧବାର ଇଣ୍ଡୋନେସିଆ ନିର୍ବାଚନ ପାଇଁ ​​ମତଦାନ ସମାପ୍ତ ହୋଇଛି । ସରକାରୀ ଫଳାଫଳ ଆସିବା ପାଇଁ ଏହା ଏକରୁ ଦୁଇ ସପ୍ତାହ ଲାଗିପାରେ, କିନ୍ତୁ ଅନୌପଚାରିକ ଫଳାଫଳ ପରେ ଏହା ନିଶ୍ଚିତ ଯେ ସୁବିଆନ୍ତୋ ଦେଶର ଆଗାମୀ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି । ଏହି ନିର୍ବାଚନ ଉପରେ ଚୀନ୍ ଏବଂ ଆମେରିକା ମଧ୍ୟ ନଜର ରଖିଛନ୍ତି କାରଣ ଇଣ୍ଡୋନେସିଆ ଏକ ବୃହତ ଜନସଂଖ୍ୟା ବିଶିଷ୍ଟ ଦେଶ ଏବଂ ବିଶ୍ବର ବୃହତ ରପ୍ତାନୀକାରୀ ଦେଶ ମଧ୍ୟ । ତେଣୁ ସେମାନେ ଏହା ଉପରେ ନଜର ରଖିଛନ୍ତି । ଏହା ବ୍ୟତୀତ ଏଠାରେ ବହୁଳ ପରିମାଣରେ ନିକେଲ ଧାତୁ ଏବଂ ପାମତେଲ ପରି ପ୍ରାକୃତିକ ସମ୍ପଦ ମଧ୍ୟ ଉପଲବ୍ଧ।
ବିବାଦରେ ଘେରି ରହିଥିଲା ସୁବିଆନ୍ତୋଙ୍କ ଅତୀତ
ପ୍ରବୋବେ ସୁବିଆନ୍ତୋ ଇଣ୍ଡୋନେସିଆର ଏକ ଆଭିଜାତ୍ୟ ସମ୍ପନ୍ନ ପରିବାରରୁ ଆସିଛନ୍ତି, ତାଙ୍କ ଇତିହାସକୁ ଅନେକ ବିବାଦ ଘେରି ରହିଛି । ସୁରକ୍ଷା ମୁଖ୍ୟ ଥିବାବେଳେ ସେ ଅନେକ ମାନବିକ ଅଧିକାରର ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା, ବିଶେଷ କରି ସୁବିଆନ୍ତୋଙ୍କ ଶ୍ୱଶୁର ଡିକ୍ଟେଟର ସୁହାର୍ତ୍ତଙ୍କ କାର୍ଯ୍ୟକାଳ ସମୟରେ । ତାଙ୍କର ନିଷ୍ଠୁର ଅତୀତ ନିର୍ବାଚନ ପ୍ରଚାର ସମୟରେ ଜନସାଧାରଣଙ୍କ ସାମ୍ନାକୁ ଆସିଛି । ସୁବିଆନ୍ତୋଙ୍କ ପରିବାର ଦୀର୍ଘ ଦିନ ଧରି ଦେଶର କ୍ଷମତା ଦଖଲରେ ଅଛନ୍ତି । ତାଙ୍କ ପିତା ଦେଶର ପୂର୍ବତନ ଅର୍ଥ ଏବଂ ବାଣିଜ୍ୟ ମନ୍ତ୍ରୀ ଥିଲେ, ଷ୍ଟେଟ ବ୍ୟାଙ୍କ ଅଫ ନେଗାରା ଇଣ୍ଡୋନେସିଆ ମଧ୍ୟ ସୁବିଆନ୍ତୋଙ୍କ ଜେଜେବାପା ମାରଗୋନୋଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା ।
୧୯୭୦ ରେ, ସୁବିଆନ୍ତୋ ଇଣ୍ଡୋନେସିଆ ମିଲିଟାରୀ ଏକାଡେମୀରେ ନାମ ଲେଖାଇ ସେନାର କମାଣ୍ଡର ହୋଇଥିଲେ। କମାଣ୍ଡର ଭାବରେ ସେ ଇଣ୍ଡୋନେସିଆର ପୂର୍ବ ତିମୋର ଦଖଲକୁ ବିରୋଧ କରୁଥିବା ଆନ୍ଦୋଳନକୁ ଅତି ନିର୍ମମ ଭାବରେ ଦମନ କରିଥିଲେ । ତାଙ୍କ ଉପରେ ସୁହାର୍ତ୍ତଙ୍କ ଶାସନର ଶେଷ ମାସରେ ଗଣତନ୍ତ୍ର ସମର୍ଥକ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିବାର ଅଭିଯୋଗରେ ମଧ୍ୟ ହେଇଥିଲା । ସୁହାର୍ତ୍ତ ଶାସନର ପତନ ପରଠାରୁ ସେ ନିଜକୁ ଇଣ୍ଡୋନେସିଆର ଗଣତନ୍ତ୍ରର ସମର୍ଥକ ରୂପେ ରୂପାନ୍ତରିତ କରିଛନ୍ତି ଏବଂ ନିକଟରେ ନିଜ ଦାଦାଙ୍କ ପରି ଲୋକମାନଙ୍କ ପାଇଁ ବନ୍ଧୁତ୍ୱପୂର୍ଣ୍ଣ ଏବଂ ସାହାଯ୍ୟକାରୀ ଭାବମୂର୍ତ୍ତି ବିକଶିତ କରିଛନ୍ତି । ବିଗତ ଏକ ଦଶନ୍ଧି ଧରି ସୁବିଆନ୍ତୋ ରାଜନୀତିରେ ଏକ ପ୍ରମୁଖ ଖେଳାଳି ରହିଆସିଛନ୍ତି ଏବଂ ତାଙ୍କୁ ଇଣ୍ଡୋନେସିଆର ପୂର୍ବତନ ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କ ନିକଟତର ବୋଲି ବିବେଚନା କରାଯାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/02/indonesia.jpg)