ଇଣ୍ଡୋନେସିଆରେ ଦୁର୍ଘଟଣାଗ୍ରସ୍ଥ ବିମାନର ମିଳିଲା ବ୍ଲାକବକ୍ସ : ପୂର୍ବରୁ ଭଗ୍ନାବଶେଷ ସହ ଉଦ୍ଧାର ହୋଇଥିଲା କିଛି ମୃତଦେହ

୫୦ ଯାତ୍ରୀ ଓ ୧୨ କ୍ରୁ ମେମ୍ୱରଙ୍କ ସହ ସମୁଦ୍ର ମଧ୍ୟକୁ ଖସିପଡ଼ିଥିଲା ବିମାନ

439

କନକ ବ୍ୟୁରୋ : ଇଣ୍ଡୋନେସିଆରେ ଦୁର୍ଘଟଣାଗ୍ରସ୍ଥ ହୋଇ ସମୁଦ୍ର ମଧ୍ୟକୁ ଖସିପଡ଼ିଥିବା ବିମାନର ବ୍ଲାକ ବକ୍ସ ମିଳିଛି । ବିମାନର ବ୍ଲାକ ବକ୍ସ ଠାବ କରିଥିବା ଇଣ୍ଡୋନେସିଆ ନୌସେନା କହିଛି । ବ୍ଲାକ ବକ୍ସ ମିଳିବା ଫଳରେ ବିମାନଟି କାହିଁକି ଦୁର୍ଘଟଣଗ୍ରସ୍ତ ହୋଇଥିଲା, ତାର କାରଣ ଜଣାପଡ଼ିବ । ଏହାପୂର୍ବରୁ ସନ୍ଧାନକାରୀ ଦଳ ସମୁଦ୍ର ମଧ୍ୟରୁ ବିମାନର ଭଗ୍ନାବଶେଷ ଉଦ୍ଧାର କରିଥିଲା । ଏହାସହିତ କିଛି ଶବ ମଧ୍ୟ ଉଦ୍ଧାର କରାଯାଇଛି । ବିମାନରେ ଥିବା ସମସ୍ତ ୬୨ ଜଣ ଯାତ୍ରୀ ଓ ବିମାନ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ୧୨ ଜଣ କ୍ରୁ ମେମ୍ୱର ଓ ୫୦ ଜଣ ଯାତ୍ରୀ ଥିଲେ ଏହି ନିଖୋଜ ବିମାନରେ । ଯାତ୍ରୀଙ୍କ ମଧ୍ୟରେ ୭ ଜଣ ଶିଶୁ ମଧ୍ୟ ରହିଥିଲେ । ସମସ୍ତଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି ।

ଇଣ୍ଡୋନେସିଆର ଶ୍ରୀବିଜୟା ଏୟାରଲାଇନ୍ସର ବୋଇଂ ୭୩୭ ବିମାନଟି ଶନିବାର ନିଖୋଜ ହୋଇଯାଇଥିଲା । ଜାକର୍ତାରୁ ଉଡାଣ ଭରିବାର ମାତ୍ର ୪ ମିନିଟ ପରେ ଅର୍ଥାତ୍ ବିମାନ ୧୦ହଜାର ଫୁଟ ଉଚ୍ଚତାକୁ ଛୁଇଁବା ପରେ ଏୟାର ଟ୍ରାଫିକ କଂଟ୍ରୋଲ ସହ ଯୋଗାଯୋଗ ଚ୍ଛିନ୍ନ ହୋଇଯାଇଥିଲା । ଏହା ଜାକର୍ତାରୁ ପୋଂଟିୟାନକ ଅଭିମୁଖେ ଯାଉଥିଲା । ନିଖୋଜ ପର ଠାରୁ ନ୍ୟାସନାଲ ସର୍ଚ୍ଚ ଆଣ୍ଡ ରେସକ୍ୟୁ ଏଜେନ୍ସି ଓ ଦ ନ୍ୟାସନାଲ ଟ୍ରାନ୍ସପୋର୍ଟେସନ ସେଫ୍ଟି କମିଟି ମିଳିତ ଭାବେ ନିଖୋଜ ବିମାନକୁ ଠାବ କରିବା ପ୍ରୟାସରେ ଲାଗିପଡ଼ିଥିଲା । ବ୍ଲାକ୍ ବକ୍ସ ମିଳିବା ପରେ ଦୁର୍ଘଟଣାର କାରଣ ସ୍ପଷ୍ଟ ହେବ ବୋଲି କୁହାଯାଉଛି ।