ମହାକାଶରେ ପାଖାପାଖି ହେଲେ ଭାରତ-ରୁଷ କୃତ୍ରିମ ଉପଗ୍ରହ : କାର୍ଟୋସାଟ୍-ଟୁ ଏଫ ଓ କାନୁପସ୍-ଭି ଉପରେ ତୀକ୍ଷଣ ନଜର ରଖିଛନ୍ତି ଉଭୟ ଦେଶର ମହାକାଶ ସଂସ୍ଥା

241

କନକ ବ୍ୟୁରୋ : ମହାକାଶରେ ବିପଦପୂର୍ଣ୍ଣ ଭାବେ ପାଖାପାଖି ହୋଇଛନ୍ତି ଭାରତ ଓ ରୁଷର କୃତ୍ରିମ ଉପଗ୍ରହ । ଭାରତୀୟ ଉପଗ୍ରହ କାର୍ଟୋସାଟ୍-ଟୁ ଏଫ ଓ ରୁଷ୍ ଉପଗ୍ରହ କାନୁପସ୍-ଭି ଖୁବ୍ ପାଖାପାଖି ହୋଇଛନ୍ତି । ଉଭୟ ଦେଶର ମହାକାଶ ସଂସ୍ଥା ଏହି ସ୍ଥିତି ଉପରେ ତୀକ୍ଷଣ ନଜର ରଖିଛନ୍ତି । ରୁଷ୍ ମହାକାଶ ସଂସ୍ଥା ରସ୍କମୋଜ୍ ଅନୁସାରେ ଉଭୟ ଉପଗ୍ରହ ମଧ୍ୟରେ ଦୂରତା ୨୨୪ ମିଟର ରହିଥିଲା । ସେପଟେ ଭାରତୀୟ ମହାକାଶ ସଂସ୍ଥା ଇସ୍ରୋ ପକ୍ଷରୁ କୁହାଯାଇଛି ଯେ, କାର୍ଟେସୋଟ୍-ଟୁ ଏଫ ଉପରେ କଡ଼ା ନଜର ରଖାଯାଇଛି । ଗତ ୪ ଦିନ ହେଲା ଏହାକୁ ଟ୍ରାକ୍ କରାଯାଉଛି ।

ତେବେ ଉଭୟ ସାଟେଲାଇଟ୍ ମଧ୍ୟରେ ଦୂରତା ୪୨୦ ମିଟର ଦୂରତା ଥିବା ଇସ୍ରୋ ଚେୟାରମ୍ୟାନ କେ ଶିବନ ଜାତୀୟ ଗଣମାଧ୍ୟମକୁ କହିଛନ୍ତି । ଏହାସହ ସେ ସୂଚନା ଦେଇଛନ୍ତି ଯେ, ଉଭୟ ଉପଗ୍ରହ ୧୫୦ ମିଟର ଦୂରତା ମଧ୍ୟରେ ଆସିଗଲେ ଏହାର ଗତିପଥ ବଦଳାଯାଇପାରିବ । ନିକଟରେ ସ୍ପେନର ଏକ ଉପଗ୍ରହ ଏପରି ସ୍ଥିତିରେ ପହଂଚିଥିବା ବେଳେ ଏହାର ସମାଧାନ କରାଯାଇଥିବା ଇସ୍ରୋ ମୁଖ୍ୟ ଜଣାଇଛନ୍ତି । କାର୍ଟୋସାଟ୍-ଟୁ ଏଫକୁ ୨୦୧୮ ଜାନୁଆରୀ ୧୨ରେ ଶ୍ରୀହରିକୋଟାରୁ ମହାକାଶକୁ ଛଡ଼ାଯାଇଥିଲା । ଏହା ଏବେ ବି କାର୍ଯ୍ୟକ୍ଷମ ଅଛି ।