ବ୍ଲକ ଅଫିସରୁ ମିଳିଲା ନାହିଁ ଇନ୍ଦିରା ଆବାସ ବାବଦକୁ ବଳକା ଟଙ୍କା। ସାହୁକାର କରଜ ସୁଝି ପାରିଲେନି ଭଂଜନଗରର ହିତାଧିକାରୀ । ଟଙ୍କା ବଦଳରେ ପକ୍କା ଘରକୁ ବନ୍ଧକ ରଖିଲା ସାହୁକାର ।

152

କନକ ବ୍ୟୁରୋ: ଇନ୍ଦିରା ଆବାସ ଯୋଜନାରେ ପକ୍କା ଘର ତିଆରି ହୋଇଛି , କିନ୍ତୁ ଘରେ ତାଲା ପଡିଛି । ଆଉ ହିତାଧିକାରୀ ପୂର୍ବ ଭଳି ଏବେ ବି ସେହି କୁଡିଆ ଭିତରେ ରହୁଛନ୍ତି । ଏହାର କାରଣ ହେଉଛି ତାଙ୍କ ଇନ୍ଦିରା ଆବାସ ସାହୁକାର ପାଖରେ ବନ୍ଧା ପଡିଛି ।

ଅସଲ କଥା ହେଉଛି, ଇନ୍ଦିରା ଆବାସ ଘର ସଂପୂର୍ଣ୍ଣ କରିବା ପାଇଁ ସାହୁକାରଠାରୁ କରଜ ଆଣିଥିଲେ ଭଂଜନଗର ବ୍ଳକ୍ ରଙ୍ଗାମେରୁ ଗାଁର ବିନ ନାଇକ । ହେଲେ ଘର କାମ ସାରିବା ପରେ ବ୍ଲକ ପ୍ରଶାସନ ପକ୍ଷରୁ ବଳକା ଟଙ୍କା ତାଙ୍କୁ ମିଳିନାହିଁ । ଯାହା ଫଳରେ ସେ ବିନ ସାହୁକାର ଠାରୁ ଆଣିଥିବା ଟଙ୍କା ଫେରସ୍ତ କରି ପାରିଲେ ନାହିଁ, ତେଣୁ ସାହୁକାର ତାଙ୍କ ପକ୍କା ଘରକୁ ବନ୍ଧକ ରଖିଥିବା ଅଭିଯୋଗ ହୋଇଛି ।

ବିନ ନାୟକଙ୍କୁ ୨୦୧୪ ମସିହରେ ଇନ୍ଦିରା ଆବାସ ଯୋଜନା କାର୍ଯ୍ୟାଦେଶ ମିଳିଥିଲା । ପ୍ରଥମ କିସ୍ତିରେ ତାଙ୍କୁ ୩୦ ହଜାର ଟଙ୍କା ମିଳିଥିଲା । ଏବଂ ଘର ସାରିଲେ ବାକି ଟଙ୍କା ମିଳିବ ବୋଲି ବ୍ଲକ ପ୍ରଶାସନ ପକ୍ଷରୁ କୁହାଯାଇଥିଲା । ହେଲେ ଘର କାମ ସରିବାର ୩ରୁ ୪ ବର୍ଷ ଯାଏଁ ବଳକା ଟଙ୍କା ନମିଳିବାରୁ ବନ୍ଧା ପଡ଼ିଛି ବିନଙ୍କ ଘର । ଆଉ ବାସହରା ହୋଇ ଗାଁ ମୁଣ୍ଡରେ କୁଡ଼ିଆ କରି ଦୁଃଖରେ ଜୀବନ କାଟୁଛନ୍ତି ବନିଙ୍କ ପରିବାର ।

ଗରିବର ଆର୍ଥିକ ଅବସ୍ଥାକୁ ସୁଧାରିବା ପାଇଁ ସରକାର ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି । ହେଲେ ଅନେକ ସ୍ଥାନରେ ସରକାରୀ ଅର୍ଥ ଲୋକଙ୍କ କାମରେ ଆସୁନଥିବା ଦେଖିବାକୁ ମିଳୁଛି ।