କନକ ବ୍ୟୁରୋ : ଡିଜେଲ୍ ଚାଳିତ ଗାଡି ବ୍ୟବହାର କାରୀଙ୍କ ପାଇଁ ଖୁସି ଖବର । ବର୍ତ୍ତମାନ ଡିଜେଲ ଚାଳିତ ଗାଡି ଉପରେ ପ୍ରଦୂଷଣ ଟ୍ୟାକ୍ସ ବଢିବ ନାହିଁ । ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଡିଜେଲ୍ ଚାଳିତ ଗାଡିକୁ ନେଇ ବଡ ବୟାନ ଦେଇଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ୍ ଗଡକରୀ । ସେ କହିଛନ୍ତି, ବର୍ତ୍ତମାନ ଡିଜେଲ ଗାଡି ଉପରେ ଟ୍ୟାକ୍ସ ବଢିବ ନାହିଁ । କିନ୍ତୁ ଯଦି ଆଗାମୀ ଦିନରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣକୁ ନଆସେ ତାହେଲେ ଅଧିକ ୧୦ ପ୍ରତିଶତ ଟିକସ ଲଗାଯିବ ବୋଲି କହିଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ।

Advertisment

ଗତକାଲି ଗଡକରୀ ଏସଆଇଏଏମର ୬୩ତ୍ତମ ବାର୍ଷିକ ସମାରୋହରେ ଯୋଗ ଦେଇଥିଲେ । ଏହି ସମାରୋହରେ ସେ କହିଛନ୍ତି, ଡିଜେଲ ଚାଳିତ ଗାଡି ଏବଂ ଜେନେରେଟର ଆବଶାକତାଠୁ ଅଧିକମାତ୍ରାରେ ବ୍ୟବହାର ହେବାରେ ଲାଗିଛି । ଯାହାଦ୍ୱାରା ପ୍ରଦୂଷଣର ମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି । ତେଣୁ ଡିଜେଲ ବାହାନ ଉପରେ ପ୍ରଦୂଷଣ ଟ୍ୟାକ୍ସ ଲଗାଇବା ପାଇଁ ଆଲୋଚନା ଚାଲିଛି । ବର୍ତ୍ତମନ କେବଳ ଆଲୋଚନା ଚାଲିଛି କିନ୍ତୁ ଯଦି ଆଗାମୀ ଦିନରେ ପ୍ରଦୂଷଣ ନିୟନ୍ତ୍ରଣକୁ ନଆସେ ତାହେଲେ ପ୍ରଦୂଷଣ ଟ୍ୟାକ୍ସ ଲାଗୁ କରିବା ପାଇଁ ପ୍ରସ୍ତାବ ଆସିବ । ତେଣୁ ସମୟ ଥାଉ ଥାଉ ଲୋକେ ସାବଧାନ ହୁଅନ୍ତୁ ଏବଂ ଗ୍ରିନ୍ ଏନର୍ଜି ବ୍ୟବହାର ଉପରେ ଗୁରୁତ୍ୱ ଦିଅନ୍ତୁ । ସରକାର ବାରମ୍ବାର ଲୋକଙ୍କୁ ସଚେତନ କରିଆସୁଛନ୍ତି । କିନ୍ତୁ ଲୋକେ ସରକାରଙ୍କ କଥାକୁ ସର୍ବଦା ଅଣଦେଖା କରିଆସୁଛନ୍ତି । ଯଦି ଏଥର ବି ଲୋକେ ସରକାରଙ୍କ କଥାକୁ କର୍ଣ୍ଣପାତ ନକରନ୍ତି ତେବେ ବାଧ୍ୟ ହୋଇ ସରକାର ଟିକସ ଲଗାଇବେ ।