କନକ ବ୍ୟୁରୋ : ଧିରେଧିରେ ଦେଶର ବିମାନସେବାରେ ବାରମ୍ବାର ତୃଟି ପରିଲକ୍ଷିତ ହେଉଛି । ଗତକାଲି ଇଣ୍ଡିଗୋ ବିମାନରେ ଏକ ଅଘଟଣ ଦେଖିବାକୁ ମିଳିଥିବା ବେଳେ ୨୪ ଘଣ୍ଟା ନପୁରୁଣୁ ପୁଣି ଇଣ୍ଡିଗୋ ବିମାନକୁ ଜରୁରୀ ଅବତରଣ କରିବାକୁ ପଡିଛି । ହାଇଦ୍ରାବାଦରୁ ଶାରଜାହ ଯାଉଥିବା ଇଣ୍ଡିଗୋ ବିମାନରେ ତୃଟି ଦେଖାଦେବାରୁ ବିମାନଟିକୁ କରାଚୀରେ ଜରୁରୀ ଅବତରଣ କରାଯାଇଛି । ଏବେ ବିମାନର ତୃଟି ନେଇ କରାଚୀ ବିମାନ ବନ୍ଦରରେ ଯାଂଚ କରାଯାଉଛି । ସେପଟେ ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଂଚାଇବାକୁ ଇଣ୍ଡିଗୋ ପକ୍ଷରୁ ଆଉ ଗୋଟିଏ ବିମାନକୁ କରାଚୀ ପଠାଇବାକୁ ଯୋଜନା କରୁଥିବା କଥା କୁହାଯାଉଛି ।

Advertisment

ଇଣ୍ଡିଗୋ ପକ୍ଷରୁ ଜାରୀ କରାଯାଇଥିବା ବୟାନରେ କୁହାଯାଇଛି କି, ଶାରଜାହ-ହାଇଦ୍ରାବାଦ ଉଡାଣ ବେଳେ ବିମାନରେ କିଛି ତୃଟି ଦେଖିବାକୁ ପାଇଥିଲେ ପାଇଲଟ । ଏନେଇ କଣ୍ଟ୍ରୋଲ ରୁମକୁ ସୂଚନା ଦେବା ପରେ ବିମାନର ଦିଗ ବଦଳାଇ ଏହାକୁ ତୁରନ୍ତ କରାଚୀରେ ଅବତରଣ କରିବାକୁ କଣ୍ଟ୍ରୋଲ ରୁମ ପକ୍ଷରୁ ନିର୍ଦ୍ଦେଶ ମିଳିଥିଲା । କହିରଖୁ କି ଏହା ପୂର୍ବରୁ ଜୁଲାଇ ୫ ତାରିଖରେ ସ୍ପାଇସଜେଟ ବିମାନରେ ବି ସମାନ ତୃଟି ଦେଖିବାକୁ ମିଳିଥିଲା । ଦିଲ୍ଲୀରୁ ଦୁବାଇ ଯାଉଥିବା ଏକ ବିମାନରେ ତୃଟି ଦେଖାଦେବାରୁ ଏହାକୁ ତୁରନ୍ତ କରାଚୀରେ ଅବତରଣ କରାଯାଇଥିଲା ।

ଏସବୁ ଭିତରେ ଭାରତରୁ ଅପରେଟ ହେଉଥିବା ବିମାନରେ ଯାତ୍ରୀଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି । ଗତ କିଛିଦିନ ହେବ ଭାରତର ୩ ପ୍ରମୁଖ ଏୟାରଲାଇନ ସ୍ପାଇସଜେଟ, ବିସ୍ତରା ଓ ଇଣ୍ଡିଗୋ ବିମାନରେ ଲଗାତର ତୃଟି ଦେଖିବାକୁ ମିଳୁଛି । ଏହାକୁ ନେଇ ଏବେ ଚିନ୍ତାରେ ବିମାନ ଯାତ୍ରୀ ।