ମହଙ୍ଗା ପଡିଲା ମହିଳା ଯାତ୍ରୀଙ୍କୁ ଦୁର୍ବ୍ୟବହାର । ଅଫ-ରୋଷ୍ଟର ହେଲେ ଇଣ୍ଡିଗୋ ପାଇଲଟ୍

383

କନକ ବ୍ୟୁରୋ : ଜଣେ ମହିଳା ଯାତ୍ରୀ ଏବଂ ହୁଇଲ୍-ଚେୟାର୍ ବସିଥିବା ତାଙ୍କ ୭୦ ବର୍ଷୀୟ ମାଆଙ୍କୁ ହଇରାଣ ଏବଂ ଦୁର୍ବ୍ୟବହାର କରିଥିବା ଇଣ୍ଡିଗୋ ଏୟାରଲାଇନ ପାଇଲଟଙ୍କୁ ‘ଅଫ୍-ରୋଷ୍ଟର୍’ ( କାର୍ଯ୍ୟରୁ ଅନ୍ତର) କରାଯିବା ସହ ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଥିବା ହୋଇଛି। ମହିଳାଜଣକ ଏ ସଂକ୍ରାନ୍ତରେ ଟୁଇଟ୍ କରି ଅଭିଯୋଗ କରିବା ପରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ଯେ ଘଟଣାରେ ସମ୍ପୃକ୍ତ ପାଇଲଟଙ୍କୁ ‘ଅଫ୍-ରୋଷ୍ଟର୍’ (କାର୍ଯ୍ୟରୁ ଅନ୍ତର) କରାଯାଇଛି।

ସେ ପାଇଲଟଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ବୁଧବାର ଦିନ ଇଣ୍ଡିଗୋ ଏୟାରଲାଇନ ଅଭିଯୋଗକାରିଣୀ ମହିଳା ଯାତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଛି। ଟୁଇଟ୍ କରି ଇଣ୍ଡିଗୋ ଏୟାରଲାଇନ କହିଛି: ଚେନ୍ନାଇ-ବାଙ୍ଗାଲୋର୍ ବିମାନରେ ଜଣେ ଯାତ୍ରୀ କରିଥିବା ଅଭିଯୋଗ କଥା ଆମକୁ ମାଲୁମ ଅଛି। ଘଟଣା ସମ୍ପର୍କରେ ଅଭ୍ୟନ୍ତରୀଣ ସମୀକ୍ଷା ଚାଲିଛି ଏବଂ ଏହା ପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତାଙ୍କର ଅଭିଯୋଗ ଉତ୍ତମ ଭାବେ ହୃଦୟଙ୍ଗମ କରିବା ସହ ଭବିଷ୍ୟତରେ ଏ ଭଳି ଘଟଣା ଏଡ଼ାଇବା ନିମନ୍ତେ ଆମ୍ ଟିମ୍ ଅଭିଯୋଗକାରିଣୀଙ୍କ ସହ ଯୋଗାଯୋଗ ରଖିଛି।