ଓଏଏସ୍ ଅଧିକାରୀଙ୍କ ଘରେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ : ଅଧିକାରୀଙ୍କ ଭୁବନେଶ୍ୱର ଘରେ ଚଢ଼ାଉ କରି ଖାଲି ହାତରେ ଫେରିଲା ପୋଲିସ

  ଅଧିକାରୀଙ୍କ ଶ୍ୱଶୁର ସମ୍ପର୍କ ରଖିବା ସହ ଜୀବନରୁ ମାରିଦେବାକୁ ଦେଇଥିଲେ ଧମକ

262

କନକ ବ୍ୟୁରୋ : ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ଓଏଏସ ଅଧିକାରୀଙ୍କ ଘରେ କାମଧନ୍ଦା କରୁଥିବା ଆଦିବାସୀ ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇଥିବା ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ ହୋଇଛି । ପୀଡିତା ନାବାଳିକା ଜଣଙ୍କ ଏବେ ୫ ମାସର ଗର୍ଭବତୀ ଥିବା ଜଣାପଡିଥିବା ବେଳେ ବାଲିଚନ୍ଦ୍ରପୁର ପୁଲିସ ଘଟଣାର ତଦନ୍ତ କରୁଛି । ନାବାଳିକା ଜଣଙ୍କ ଭୁବନେଶ୍ୱର ମହାନଗର ନିଗମରେ କାର୍ଯ୍ୟରତ ପ୍ରମୋଦ ପୃଷ୍ଟିଙ୍କ ଘରେ କାମ କରୁଥିଲେ । ଏଥିପାଇଁ ତାଙ୍କୁ ମାସକୁ ୩ ହଜାର ଟଙ୍କା ଦରମା ଦେଉଥିଲେ ।

ନାବାଳିକା ଜଣଙ୍କ ଓଏଏସ ବାବୁଙ୍କ ଘରେ କାମ କରୁଥିବା ବେଳେ ତାଙ୍କ ଶ୍ୱଶୁର ପ୍ରଫୁଲ୍ଲ ତାଙ୍କ ସହ ଦୁଷ୍କର୍ମ କରିଛନ୍ତି । ଏବଂ ଏକଥା କାହାକୁ କହିଲେ ଛାତରୁ ତଳକୁ ପେଲି ମାରି ଦେବାର ଧମକ ଦେଇଥିବା ନାବାଳିକାଙ୍କ ପରିବାର ପକ୍ଷରୁ ହୋଇଥିବା ଏତଲାରେ ଦର୍ଶା ଯାଇଛି । ଥାନାରେ ଲିଖିତ ଏତଲା ଦିଆଯିବା ପରେ ପୁଲିସ ପକ୍ଷରୁ ନାବାଳିକାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଏହାସହ ବାଲିଚନ୍ଦ୍ରପୁର ପୁଲିସ ଏହି ମାମଲାରେ ଭୁବନେଶ୍ୱର ଶୈଳଶ୍ରୀ ବିହାର ସ୍ଥିତ ପ୍ରମୋଦ ପୃଷ୍ଟିଙ୍କ ଘରେ ଚଢା କରିଥିଲେ ମଧ୍ୟ ଖାଲି ହାତରେ ଫେରିଛି ।