କନକ ବ୍ୟୁରୋ: ଚଳିତ ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆର ବିଜୟଧାରା ଜାରି । ଗୁରୁବାର ସୁପର-୮ରେ ଭାରତ ତା’ର ପ୍ରଥମ ମ୍ୟାଚରେ ଆଫଗାନିସ୍ତାନକୁ ୪୭ ରନର ବଡ଼ ବ୍ୟବଧାନରେ ପରାସ୍ତ କରିଛି । ମ୍ୟାଚରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଦମ୍ ଦେଖାଇଥିଲା ରୋହିତ ବାହିନୀ । ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ କରିଥିଲା ୧୮୧ ରନ୍ । ସୂର୍ଯ୍ୟକୁମାର ଲଗାତର ଦ୍ୱିତୀୟ ଅର୍ଦ୍ଧଶତକ ମାରିଥିଲେ । ସେ ମାତ୍ର ୨୮ ବଲରେ ୫୩ ରନର ଇନିଂସ ଖେଳିଥିଲେ । ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ୩୨, ବିରାଟ କୋହଲି ୨୪, ଋଷଭ ପନ୍ତ ୨୦ ରନର ଯୋଗଦାନ କରିଥିଲେ । ଆଫଗାନସ୍ତାନ ପାଇଁ ଅଧିନାୟକ ରାଶିଦ୍ ଖାନ୍ ଓ ଫଜଲ ଫାରୁକି ୩ଟି ଲେଖାଏଁ ୱିକେଟ୍ ନେଇଥିଲେ । ୧୮୨ ରନର ଲକ୍ଷ୍ୟର ପିଛା କରୁଥିବା ଆଫଗାନିସ୍ତାନ ପ୍ରଥମ ଓଭରରୁ ଭଲ ଷ୍ଟାର୍ଟ କରିଥିଲା । ତେବେ ବୁମରାଙ୍କ ଘାତକ ସ୍ପେଲ ଏବଂ ଅନ୍ୟ ବୋଲରଙ୍କ ଦମଦାର ପ୍ରଦର୍ଶନ ବଳରେ ଭାରତ, ପଡ଼ୋଶୀ ଦଳକୁ ୧୩୪ ରନ୍ରେ ସୀମିତ ରଖିଥିଲା । ବୁମରା ଓ ଅର୍ଶଦୀପ ୩ଟି ଲେଖାଏଁ ସଫଳତା ପାଇଥିବା ବେଳେ କୁଲଦୀପ ୨ଟି ୱିକେଟ୍ ନେଇଥିଲେ । ସୂର୍ଯ୍ୟକୁମାର ଯାଦବ ମ୍ୟାନ୍ ଅଫ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।

Advertisment