କନକ ବ୍ୟୁରୋ : ଦିନିକିଆ ସିରିଜ ପରେ ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଜିତିଲା ଟିମ୍ ଇଣ୍ଡିଆ । କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଦ୍ୱିତୀୟ ଟି-୨୦ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୮ ରନରେ ପରାସ୍ତ କରିଛି ଭାରତ । ଏହି ବିଜୟ ସହ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଭାରତ ୨-୦ରେ ଆଗୁଆ ରହି ସିରିଜ କବଜା କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୮୬ ରନ କରିଥିଲା । ବିରାଟ କୋହଲି ଓ ରିଷଭ ପନ୍ଥଙ୍କ ଅର୍ଦ୍ଧଶତକ ବଳରେ ଭାରତ ୱେଷ୍ଟଇଣ୍ଡିଜ ଆଗରେ ରଖିଥିଲା ୧୮୭ ରନର ବିଜ ଲକ୍ଷ୍ୟ ।

Advertisment

ହେଲେ ୱେଷ୍ଟଇଣ୍ଡିଜ ୨୦ ଓଭରରେ ୧୭୮ ରନ କରି ଅଳ୍ପକେ ବିଜୟରୁ ବଂଚିତ ହୋଇଛି । ଭ୍ରମଣକାରୀ ଦଳ ୱେଷ୍ଟଇଣ୍ଡିଜ ପକ୍ଷରୁ ନିକୋଲାସ ପୁରନ ୬୨ ରନ୍ ଓ ରୋଭମେନ ପାୱେଲ ୬୮ ରନର ଚମତ୍କାର ଇନିଂସ ଖେଳିଥିଲେ, ହେଲେ ଏହା ୱେଷ୍ଟଇଣ୍ଡିଜର ବିଜୟରେ ସହାୟକ ହୋଇନଥିଲା । ଶେଷ ଓଭରରେ ୱେଷ୍ଟଇଣ୍ଡିଜକୁ ବିଜୟ ପାଇଁ ୨୫ରନର ଆବଶ୍ୟକତା ଥିଲା । ରୋଭମେନ ପାୱେଲ ଲଗାତାର ୨ଟି ଛକା ମାରି ଭାରତୀୟ ଦର୍ଶକଙ୍କ ହୃଦସ୍ପନ୍ଦନ ବଢାଇ ଦେଇଥିଲେ । ହେଲେ ଭାରତ ଶେଷ ଓଭରରେ ବିଜୟୀ ହୋଇ ସିରିଜ କବଜା କରିଛି ।

ତେବେ ଫେବ୍ରୁଆରି ୨୪ରୁ ଖେଳାଯିବାକୁ ଥିବା ଶ୍ରୀଲଙ୍କା ବିପକ୍ଷ ଘରୋଇ ଟ୍ବେଣ୍ଟି-୨୦ ଶୃଙ୍ଖଳାରୁ ବିରାଟ କୋହଲି ଓହରିପାରନ୍ତି । ବାସ୍ତବରେ ଏହି ଶୃଙ୍ଖଳା ପରେ ଖେଳାଯିବାକୁ ଥିବା ଦୁଇ ମ୍ୟାଚ୍‌ ଟେଷ୍ଟ୍ ଶୃଙ୍ଖଳା ପୂର୍ବରୁ କୋହଲିଙ୍କୁ ବିଶ୍ରାମ ଦେବାକୁ ଯୋଜନା କରିଛି ବିସିସିଆଇ । ମୋହାଲିରେ ଖେଳାଯିବାକୁ ଥିବା ମ୍ୟାଚ୍‌ କୋହଲିଙ୍କ ୧୦୦ତମ ଟେଷ୍ଟ୍‌ ହେବ ।‌ ସେହିଭଳି ଟେଷ୍ଟ୍ ଶୃଙ୍ଖଳା ପାଇଁ ରବୀନ୍ଦ୍ର ଜାଦେଜା ଏବଂ ଯଶପ୍ରୀତ୍ ବୁମରା ଦଳକୁ ଫେରିବା ଏକ ପ୍ରକାର ନିଶ୍ଚିତ ହୋଇଛି ।