କରୋନାରେ ଭାରତର ଅଲୋଡା ରେକର୍ଡ : ବିଶ୍ୱରେ ସର୍ବାଧିକ ସଂକ୍ରମିତ ରାଷ୍ଟ୍ର ତାଲିକାରେ ବ୍ରାଜିଲକୁ ହଟାଇ ଦ୍ୱିତୀୟ ସ୍ଥାନରେ ଭାରତ ; ମହାମାରୀ ଜନିତ ମୃତ୍ୟୁ ମାମଲାରେ ତୃତୀୟ ଦେଶ

319

କନକ ବ୍ୟୁରୋ : କରୋନା ସଂକ୍ରମଣ ମାମଲାରେ ଭାରତ ପୁଣି ଅଲୋଡା ରେକର୍ଡ କରିଛି । ୱାର୍ଲଡୋ ମିଟରର ତଥ୍ୟ ଅନୁସାରେ ବିଶ୍ୱର ସର୍ବାଧିକ ସଂକ୍ରମିତ ଦେଶ ତାଲିକାରେ ଭାରତ ଏବେ ବ୍ରାଜିଲକୁ ହଟାଇ ଦ୍ୱିତୀୟ ସ୍ଥାନରେ ପହଂଚିଛି । କରୋନା ଆକ୍ରାନ୍ତ ତାଲିକାରେ ଭାରତ ଉପରେ ଏବେ କେବଳ ଆମେରିକା ରହିଛି । ପୂର୍ବରୁ ଭାରତ ସକ୍ରିୟ ସଂକ୍ରମିତ ତାଲିକାରେ ବିଶ୍ୱର ଦ୍ୱିତୀୟ ଥିବା ବେଳେ ଏବେ ପଜିଟିଭ ମାମଲାରେ ମଧ୍ୟ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି । ଭାରତରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୧ ଲକ୍ଷ ୯ ହଜାର ୪୭୬ ପହଂଚିଛି । ବ୍ରାଜିଲରେ ଏବେ ୪୦ ଲକ୍ଷ ୯୩ ହଜାର ୫୮୬ ପଜିଟିଭ ମାମଲା ଚିହ୍ନଟ ହୋଇଥିବା ୱାର୍ଲଡୋମିଟର କହୁଛି । ସେହିପରି ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ଆମେରିକାରେ ପଜିଟିଭ ସଂଖ୍ୟା ୬୪ଲକ୍ଷ ୧୦ହଜାର ୨୯୫ ରହିଛି । ସେହିପରି ବିଶ୍ୱରେ ସକ୍ରିୟ ସଂକ୍ରମିତ ତାଲିକାରେ ଶୀର୍ଷରେ ଆମେରିକା, ଦ୍ୱିତୀୟରେ ଭାରତ ଓ ତୃତୀୟରେ ରହିଛି ବ୍ରାଜିଲ ।

ଆମେରିକାରେ ସଂକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୫ଲକ୍ଷ ୭୪ ହଜାର ୨୪୩କୁ ବୃଦ୍ଧିପାଇଛି, ଭାରତରେ ୮୬ ଲକ୍ଷ ୧ହଜାର ୧୩୬ ସକ୍ରିୟ ସଂକ୍ରମିତ ଥିବା ବେଳେ ବ୍ରାଜିଲରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୮ ଲକ୍ଷ ୯ ହଜାର ୬୮୪ । ତେବେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ଭାରତ ତୃତୀୟ ସ୍ଥାନରେ ରହିଛି । ଆମେରିକାରେ କରୋନା ୧ଲକ୍ଷ ୯୨ ହଜାର ୪୨୫ ମୁଣ୍ଡ ନେଇଥିବା ବେଳେ ବ୍ରାଜିଲରେ ମହାମାରୀ ଭୁତାଣୁରେ ୧ଲକ୍ଷ ୨୫ ହଜାର ୬୫୯ ଜଣଙ୍କ ଜୀବନ ଯାଇଛି । ସେହିପରି ଭାରତରେ କରୋନାରେ ୭୦ ହଜାର ୬୭୩ ଜଣଙ୍କ ମୃତ୍ୟୁ ହୋଇଛି ।