କନକ ବ୍ୟୁରୋ : ଲୋକସଭା ପରେ ଏବେ ରାଜ୍ୟସଭାରେ ବି ଚୀନକୁ ପ୍ରତିରକ୍ଷା ମନ୍ତ୍ରୀଙ୍କ କଡା ସନ୍ଦେଶ । ସୀମା ବିବାଦର ସମାଧାନ ପକ୍ଷରେ ଭାରତ ଥିବା ବେଳେ ପ୍ରକୃତ ନିୟନ୍ତ୍ରଣ ରେଖାକୁ ଚୀନ୍ ମାନୁନଥିବା କହିଛନ୍ତି ରାଜନାଥ ସିଂ । ଏହାସହ କଡା ଭାଷାରେ ରାଜନାଥ କହିଛନ୍ତି ଯେ କୌଣସି ପରିସ୍ଥିତିରେ ଦେଶର ମୁଣ୍ଡକୁ କ୍ଷତି ପହଂଚାଇବାକୁ ଦେବୁନାହିଁ ।
ସୀମା ବିବାଦ ମଧ୍ୟରେ କଡା ଭାଷାରେ ଚୀନ୍କୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ସନ୍ଦେଶ । ରାଜନାଥ ସିଂ ପୁଣି ଚୀନ୍କୁ ଚେତାଇ ଦେଇଛନ୍ତି । ଦେଶ ପାଇଁ ବଡ ପଦକ୍ଷେପ ନେବାକୁ ପଛାଇବୁ ନାହିଁ ବୋଲି ସିଧାସଳଖ କହିଛନ୍ତି ରାଜନାଥ । ରାଜ୍ୟସଭାରେ ନିଜ ବକ୍ତବ୍ୟରେ ରାଜନାଥ ସ୍ପଷ୍ଟ କରିଛନ୍ତି ଯେ କୌଣସି ପରିସ୍ଥିତିରେ ଦେଶର ମୁଣ୍ଡକୁ କ୍ଷତି ପହଂଚାଇବାକୁ ଦେବୁନାହିଁ । ଦୁଇ ଦେଶ ମଧ୍ୟରେ ସୀମା ବିବାଦ ସମାଧାନ ପାଇଁ କୂଟନୈତିକ ଏବଂ ସାମରିକ କମାଣ୍ଡର ସ୍ତରୀୟ ଆଲୋଚନା ଜାରି ରଖିବାକୁ ଉଦ୍ୟମ ଜାରି ରହିଛି । ଦୁଇ ପକ୍ଷ ପୂର୍ବରୁ ହୋଇଥିବା ସମସ୍ତ ଚୁକ୍ତିକୁ ପାଳନ କରିବାର ଆବଶ୍ୟକତା ରହିଛି । କିନ୍ତୁ ଚୀନ୍ ଏହାକୁ ପାଳନ କରୁନାହିଁ । ଏବଂ ପେଟ୍ରୋଲିଂକୁ କୌଣସି ପରିସ୍ଥିତିରେ ବନ୍ଦ କରାଯିବ ନାହିଁ ବୋଲି କହିଛନ୍ତି ରାଜନାଥ ।
ଚୀନ୍ ୧୯୬୩ ମସିହାରୁ ଲଦାଖ କେନ୍ଦ୍ରଶାସିତ ଅଂଚଳର ୩୮ ହଜାର ବର୍ଗ କିଲୋମିଟର ଅଂଚଳ ଅନଧିକାର ଭାବେ ଅକ୍ତିଆର କରି ରଖିଛି । ସେହିପରି ପିଓକେର ସିଆଚୀନ୍ ଅଂଚଳର ୫ ହଜାର ୧୮୦ ବର୍ଗ କିମି ଅଂଚଳ ପାକିସ୍ତାନ ଚୀନ୍ ହାତକୁ ଟେକି ଦେଇଛି । ଏହାସହ ୧୯୯୩ ଓ ୧୯୯୬ ମସିହାର ସୀମା ଚୁକ୍ତିକୁ ଉଲ୍ଲଙ୍ଘନ କରୁଛି ଡ୍ରାଗନ ସେନା । ଗତ ୨୯ ଅଗଷ୍ଟରେ ସୀମାରେ ଚୀନ ସେନା ପକ୍ଷରୁ ଅନଧିକାର ଅନୁପ୍ରବେଶ ଉଦ୍ୟମ ଓ ଗୁଳି ବିନିମୟ ହୋଇଥିଲା । ଏହି ଘଟଣା ସ୍ପଷ୍ଟ କରିଛି ଚୀନ୍ ଭାରତ ସହିତ କଥାବାର୍ତା ଭିତରେ ବିବାଦ ସମାଧାନ ଚାହୁଁନାହିଁ । ଅସ୍ଥିରତା ସୃଷ୍ଟି ପାଇଁ ଚୀନ୍ ପକ୍ଷରୁ ବାରମ୍ୱାର ଉଦ୍ୟମ ହୋଇ ଆସୁଛି ।
ବର୍ତମାନ ଚୀନ୍ ଏହା ପାଶ୍ୱର୍ରେ ବହୁ ସଂଖ୍ୟାରେ ସୈନ୍ୟବଳ ମହଜୁଦ୍ କରିଛି । ଏହାକୁ ଜବାବ ଦେବାକୁ ଭାରତ ମଧ୍ୟ ସୀମାରେ ସୈନ୍ୟ ବଳ ବଢାଇଛି । ସୀମାରେ ଭିତିଭୂମି ବିକାଶ କରି ଚୀନକୁ ଜବାବ ଦେବାକୁ ଭାରତ ସମସ୍ତ ଉଦ୍ୟମ କରୁଥିବା ରାଜ୍ୟସଭାରେ କହିଛନ୍ତି ରାଜନାଥ ସିଂ । ଆବଶ୍ୟକ ହେଲେ ଦେଶ ହିତରେ କୌଣସି ବି ବଡ ପଦକ୍ଷେପ ନେବାକୁ ପଛ ଘୁଂଚା ଦେବନି ବୋଲି ସ୍ପଷ୍ଟ କରିଛନ୍ତି ରାଜନାଥ ।
ଭାରତ ଓ ଚୀନ ମଧ୍ୟରେ ରହିଛି ୩ ହଜାର ୫ଶହ କିଲୋମିଟରର ସୀମା । ଏବଂ ଏହି ସୀମାକୁ ନେଇ ସବୁବେଳେ ବିବାଦ ଲାଗି ରହିଛି । ଏହାରି ଭିତରେ ୧୯୬୨ ଯୁଦ୍ଧ ପରେ ଜୁନ୍ ୧୫ ତାରିଖରେ ଲଦ୍ଦାଖ ସୀମାର ଗଲୱାନରେ ଘଟିଥିବା ସଂଘର୍ଷ ବିବାଦକୁ ଆହୁରି ବଢାଇଦେଇଛି ।