ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା । ରୋହିତ, କୋହଲିଙ୍କୁ ବିଶ୍ରାମ, ୩ଟି ଫର୍ମାଟ ପାଇଁ ତିନି ଅଲଗା ଅଲଗା ଅଧିନାୟକ ।

511

କନକ ବ୍ୟୁରୋ: ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଘୋଷଣା ହୋଇଛି ଟିମ୍ ଇଣ୍ଡିଆ । ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ତିନୋଟି ଯାକ ଫର୍ମାଟ ପାଇଁ ଦଳ ଘୋଷଣା କରାଯାଇଛି । ଦିନିକିଆ ଓ ଟି-୨୦ ଦଳରୁ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ସୁଯୋଗ ମିଳିନାହିଁ । ଦୁହେଁ ସିରିଜ୍ ପାଇଁ ଉପଲବ୍ଧ ହେବେ ନାହିଁ ବୋଲି ପୂର୍ବରୁ ବୋର୍ଡକୁ ଜଣାଇଥିଲେ । ତେବେ ଟେଷ୍ଟ ସିରିଜ୍ ପାଇଁ ରୋହିତଙ୍କୁ ଦଳର ନେତୃତ୍ୱ ଭାରତ ପ୍ରଦାନ କରାଯାଇଥିବା ବେଳେ ବିରାଟଙ୍କୁ ମଧ୍ୟ ଚୟନ କରାଯାଇଛି ।

ଟି-୨୦ ସିରିଜ୍ ପାଇଁ ସୂର୍ଯ୍ୟକୁମାର ଯାଦବ ଓ ଲୋକେଶ ରାହୁଲଙ୍କୁ ଦିନିକିଆ ସିରିଜ୍ ପାଇଁ ଅଧିନାୟକ କରାଯାଇଛି । ଟି-୨୦ରେ ଜବରଦସ୍ତ ପ୍ରଦର୍ଶନ କରିଥିବା ରିଙ୍କୁ ସିଂଙ୍କୁ ପ୍ରଥମଥର ଦିନିକିଆ ଦଳକୁ ଡାକରା ମିଳିଛି । ତାଙ୍କ ସହ ବି. ସାଇ ସୁଦର୍ଶନଙ୍କୁ ମଧ୍ୟ ୫୦ ଓଭର ଫର୍ମାଟ୍ରେ ନୂଆମୁହଁ ଭାବେ ସାମିଲ କରାଯାଇଛି । ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲ ଓ ୱିକେଟ୍କିପର-ବ୍ୟାଟର୍ ସଂଜୁ ସାମସନ ଦିନିକିଆ ଦଳକୁ ଫେରିଛନ୍ତି । ଭେଟେରାନ୍ ବ୍ୟାଟର୍ ଅଜିଙ୍କ୍ୟ ରାହାଣେ ଓ ଚେତେଶ୍ୱର ପୂଜାରାଙ୍କୁ ଟେଷ୍ଟ ଦଳରୁ ବାଦ୍ ଦିଆଯାଇଛି । ଋତୁରାଜ ଗାଏକ୍ୱାଡଙ୍କୁ ତିନୋଟି ଯାକ ଫର୍ମାଟ ପାଇଁ ଚୟନ କରାଯାଇଛି । ଶୁବମନ ଗିଲ୍ଙ୍କୁ ଦିନିିକିଆ ସିରିଜ୍ ପାଇଁ ଚୟନ କରାଯାଇନାହିଁ । ତେବେ ସେ ଟି-୨୦ ଓ ଟେଷ୍ଟ ସିରିଜ୍ ପାଇଁ ଦଳରେ ସ୍ଥାନ ପାଇଛନ୍ତି । ଆହତ ଯୋଗୁଁ ବାଦ୍ ପଡ଼ିଛନ୍ତି ମହମ୍ମଦ ସାମି । ଡିସେମ୍ବର ୧୦ ତାରିଖରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆରମ୍ଭ ହେବ । ଏହା ପରେ ଡିସେମ୍ବର ୧୭, ୧୯ ଏବଂ ୨୧ ତାରିଖରେ ଦିନିକିଆ ସିରିଜ୍ ଖେଳାଯିବ । ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଡିସେମ୍ବର ୨୬ରୁ ଏବଂ ଜାନୁଆରୀ ୩ରୁ ଆରମ୍ଭ ହେବ ।