ଚିନ୍ତା ବଢ଼ାଉଛି କରୋନା: ଦେଶରେ ଦିନକରେ ୪୩ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ୧୯୭ ଜଣ ଆକ୍ରାନ୍ତ ମୃତ ।

Advertisment
ଚିନ୍ତା ବଢ଼ାଉଛି କରୋନା: ଦେଶରେ ଦିନକରେ ୪୩ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ୧୯୭ ଜଣ ଆକ୍ରାନ୍ତ ମୃତ ।
କନକ ବ୍ୟୁରୋ: ପୁଣି କାୟା ମେଲାଉଛି କରୋନା । ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ଅନିୟନ୍ତ୍ରିତ ହେବାରେ ଲାଗିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ୪୩,୮୪୬ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ୪ ମାସ ମଧ୍ୟରେ ଏହା ସର୍ବାଧିକ ସଂକ୍ରମଣ । ଗତ ନଭେମ୍ବର ୨୯ରେ ଶେଷ ଥର ପାଇଁ ଦେଶର ସର୍ବାଧିକ ସଂକ୍ରମଣ ସଂଖ୍ୟା ୪୧,୮୧୦ ଥିଲା । ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୧,୧୫,୯୯,୧୩୦କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁସଂଖ୍ୟା ୧,୫୯,୫୫୮ ରହିଛି।
ବିଗତ ୨୪ ଘଣ୍ଟା ମଧ୍ୟରେ ୧୯୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ ମହାରାଷ୍ଟ୍ର, ପଂଜାବ, କର୍ଣ୍ଣାଟକ, ଗୁଜରାଟ ଏବଂ ଛତିଶଗଡ଼ରେ ୮୦.୬୩ ପ୍ରତିଶତ ଦୈନିକ ନୂଆ ମାମଲା ରହିଛି । ଏସବୁ ରାଜ୍ୟରେ ଆଜି ମଧ୍ୟ ନୂଆ କଟକଣା ଘୋଷଣା କରାଯାଇଛି । ଦେଶରେ ମୋଟ୍‌ ସଂକ୍ରମଣ ମାମଲାର କେବଳ ୬୦ ପ୍ରତିଶତ ମହାରାଷ୍ଟ୍ରରେ ରହିଛି । ମଧ୍ୟପ୍ରଦେଶରେ ବି ସଂକ୍ରମଣ ବଢ଼ିବାରୁ ରାଜ୍ୟ ସରକାର ରାଜଧାନୀ ଭୋପାଳ, ଇନ୍ଦୋର ଏବଂ ଜବଲପୁରରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି।  ମାର୍ଚ୍ଚ ୩୧ ତାରିଖ ପର୍ୟ୍ୟନ୍ତ ଏହି ସହରମାନଙ୍କରେ ସବୁ ସ୍କୁଲ୍‌, କଲେଜ୍‌ ମଧ୍ୟ ବନ୍ଦ ରହିବ। ପଂଜାବରେ ଆଜିଠାରୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ।
ଜାତୀୟ ରାଜଧାନୀ ଦିଲ୍ଲୀରେ ଦିନକରେ ୮୧୩ ନୂଆ ମାମଲା ଚିହ୍ନଟ ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ୮ ରାଜ୍ୟରେ ଲଗାତାର ସଂକ୍ରମଣ ବଢ଼ୁଛି। ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ମହାରାଷ୍ଟ୍ରରେ ସକ୍ରିୟ ମାମଲା ବଢ଼ୁଛି କିନ୍ତୁ କେରଳରେ କମୁଛି। ମହାରାଷ୍ଟ୍ରରେ ସକ୍ରିୟ ମାମଲା ୬୨ ପ୍ରତିଶତ ଥିବାବେଳେ କେରଳରେ ୮.୮୩ ପ୍ରତିଶତ ଏବଂ ପଂଜାବରେ ସକ୍ରିୟ ମାମଲା ୫.୩୬ ପ୍ରତିଶତ ରହିଛି। ମହାରାଷ୍ଟ୍ରରେ ୫ ଜିଲ୍ଲା ପୁନେ (୩୭,୩୮୪), ନାଗପୁର (୨୫,୮୬୧), ମୁମ୍ବାଇ (୧୮,୮୫୦), ଥାନେ (୧୬,୭୩୫) ଏବଂ ନାଶିକ (୧୧,୮୬୭)ରୁ ସର୍ବାଧିକ ସଂକ୍ରମଣ ମାମଲା ରହିଛି । ଇତି ମଧ୍ୟରେ ୧୫ ରାଜ୍ୟ ଏବଂ ‌କେନ୍ଦ୍ର ଶାସିତ ଅଞ୍ଚଳରେ ବିଗତ ୨୪ ଘଣ୍ଟା ମଧ୍ୟରେ କୌଣସି କରୋନା ମୃତ୍ୟୁ ହୋଇନଥିବା ଆଶ୍ୱସ୍ତିର କାରଣ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଏଯାବତ୍‌ ଦେଶରେ ୪ କୋଟିରୁ ଅଧିକ ଲୋକ ଟିକା ନେଲେଣି । ମୋଟ୍‌ ୪,୪୬,୦୩,୮୪୧ ଜଣଙ୍କୁ ଟିକା ଦିଆସରିଛି ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe