କନକ ବ୍ୟୁରୋ : ବିପଦ ସଂଙ୍କୁଳ ଅବସ୍ଥାରେ ଏବେ ଅନେକ ଅନଲାଇନ ଗେମିଂ ଇଣ୍ଡଷ୍ଟ୍ରିଜ । ଜିଏସଟି ବିଭାଗ ତରଫରୁ ଆସୁଛି କୋଟି କୋଟି ଟଙ୍କାର କର ଠକେଇର ଅଭିଯୋଗ । ଡାଇରେକ୍ଟର ଜେନେରାଲ ଆଣ୍ଡ ସର୍ଭିସ ଟ୍ୟାକ୍ସ ଇଣ୍ଟେଲିଜେନ୍ସ ଡିଜିଜିଆଇ ଗତ ସେପ୍ଟେମ୍ବରରେ ପ୍ରାୟ ୬ଟି ବଡ ଗେମିଂ କମ୍ପାନୀକୁ କର ପୈଠ ନୋଟିସ୍ ପଠାଇଛନ୍ତି । ଏହାସହ ଏଇ ଆର.ଏନ.ଜି- ରିଅଲ ମନି ଗେମିଂ କମ୍ପାନୀ ଗୁଡିକ ପ୍ରାୟ ୫୫ ହଜାର କୋଟିର ଜିଏସଟି ନ ଭରିଥିବାରୁ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇଛି ଡି.ଜି.ଜି.ଆଇ । ଆଗାମୀ ସପ୍ତାହରେ ବିଭିନ୍ନ କମ୍ପାନୀ ଗୁଡିକୁ ଆହୁରି ଏକ ଲକ୍ଷ କୋଟିର ଜିଏସଟି ନୋଟିସ ପଠାଯିବ ବୋଲି ସୂତ୍ର ସୂଚନା ରହିଛି ।

Advertisment

ହେଲେ ଏହି ଟିକସ ଫାଙ୍କୁଥିବା କମ୍ପାନୀ ଗୁଡିକ ମଧ୍ୟରେ ଡ୍ରିମ ୧୧ ସମସ୍ତଙ୍କ ନଜରରେ ରହିଛି । କମ୍ପାନୀର ନା ଯେତେ ବଡ, ସେତେ ବଡ ଜିଏସଟି ଫାଙ୍କିର ନୋଟିସ ମଧ୍ୟ ମିଳିଛି । ଗତ ବର୍ଷ ଏପରି ୨୧ ହଜାର କୋଟି ଟଙ୍କାର ଜିଏସଟି ଫାଙ୍କିଥିବା ନେଇ ନୋଟିସ ବେଙ୍ଗୋଲୁରୁସ୍ଥିତ ଏକ ଗେମିଂ ଷ୍ଟାର୍ଟଅପ୍ କମ୍ପାନୀ ଗେମସ୍ କ୍ରାଫ୍ଟକୁ ପଠାଯାଇଥିଲା । ଚଳିତ ବର୍ଷ କିନ୍ତୁ ହର୍ଷ ଜୈନଙ୍କ ଦ୍ୱାରା ପରିଚାଳିତ ଡ୍ରିମ୍ ୧୧କୁ କର ବିଭାଗ ୪୦ ହଜାର କୋଟିର ଟ୍ୟାକ୍ସ୍ ପୈଠ କରିବାକୁ ନୋଟିସ ମିଳିଛି । ତେବେ ଏହା ଭାରତ ଇତିହାସରେ ପ୍ରଥମ ଥର ପାଇଁ ଏତେ ବଡ ପରିମାଣର କର ପୈଠ ନୋଟିସ କୌଣସି ଗେମିଂ କମ୍ପାନୀକୁ ମିଳିଛି । ଏହାକୁ ବିରୋଧ କରି ଡ୍ରିମ ୧୧ର ଏକ ବିଭାଗ ଡ୍ରିମ ସ୍ପୋର୍ଟସ ବମ୍ବେ ହାଇକୋର୍ଟରେ ରିଟ୍ ପିଟିସନ ଜାରି କରିଛି । ଗତ ବର୍ଷ ଗେମସ୍ କ୍ରାଫ୍ଟକୁ ମିଳିଥିବା ନୋଟିସ ବିରୋଧରେ ଉକ୍ତ କମ୍ପାନୀ ସେ ଅଭିଯୋଗ ଭୁଲ ବୋଲି ଦର୍ଶାଇ କର୍ଣ୍ଣାଟକ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲା । କର୍ଣ୍ଣାଟକ ହାଇକୋର୍ଟ ଏ ନେଇ ଗେମସ୍ କ୍ରାଫ୍ଟକୁ ନିର୍ଦ୍ଦୋଷ ସାବ୍ୟସ୍ତ କରଥିଲା । କିନ୍ତୁ ସରାକାର ପୁଣି ସୁପ୍ରିମ କୋର୍ଟରେ ଏ ମାମାଲା ଉଠାଇଥିଲେ ଓ କୋର୍ଟ ଏବେ ଏହି ମାମଲା ଶୁଣାଣି ଉପରେ ରୋକ ଲଗାଇଛନ୍ତି । ଯଦି କୋର୍ଟ ଶୁଣାଣିରେ ଗେମସ୍ କ୍ରାଫ୍ଟକୁ କ୍ଲିନ ଚିଟ୍ ଦିଏ ତାହେଲେ ଡ୍ରିମ ୧୧କୁ ଏ ବିବାଦରୁ ମୁକୁଳିବାକୁ ସୁବିଧା ହେବ ।

ଅନଲାଇନ୍ ଗେମିଂ ଇଣ୍ଡଷ୍ଟ୍ରିଜ ପ୍ରତି ଲୋକପ୍ରିୟତା ବଢୁଥିବ ବେଳେ ସରକାରଙ୍କର ନୂଆ ସର୍ତାବଳୀ ଲାଗୁ ହେବା ପରଠୁ ହଠାତ୍ ଏକ୍ଷେତ୍ରରେ ହଇଚଇ ଦେଖାଦେଇଛି । ନିକଟ ଅତୀତରେ ନିୟମରେ ପରିବର୍ତନ ଆଣିବା ସହ ସରକାର ଅନଲାଇନ୍ ଗେମିଂ ପ୍ଲାଟଫର୍ମର ଜିଏସଟି ଶୁଳ୍କ ୨୮ ପ୍ରତିଶତ କୁ ବୃଦ୍ଧି କରିଦେଇଥିଲେ । ଉଦାହରଣ ସ୍ୱରୂପ ଯଦି ଜଣେ ୧୦୦ ଟଙ୍କା ବାଜି ଲଗାଇ ଖେଳୁଛି ତାହେଲେ ତାକୁ ୨୮ ଟଙ୍କାର ଟ୍ୟାକ୍ସ ଦେବାକୁ ପଡିବ । ଏହି କାରଣରୁ ଲୋକ ମାନେ ଧିରେ ଧିରେ ବାଜି ଲଗାଇବା ପାଇଁ ଆଗ୍ରହ ଦେଖାଉ ନାହାନ୍ତି ।

ଡ୍ରିମ ୧୧ ଦେଖିବାକୁ ଗଲେ ଗେମିଂ କ୍ଷେତ୍ରରେ ଏକ ବଡ କମ୍ପାନି । ୮ ବିଲିୟନ ଡଲାରର ଏହି ଗେମିଂ ପ୍ଲାଟଫର୍ମ ଗତବର୍ଷ ୧୪୨ କୋଟିର ଲାଭ ପାଇଥିବା ବେଳେ ଏବେ ପ୍ରାୟ ୧୮୦ ମିଲିୟନ ବ୍ୟବହାରାକାରୀ ଅଛନ୍ତି । ହେଲେ ଜିଏସଟିର ସ୍ଲାବରେ ବୃଦ୍ଧି ହେତୁ ଆଉ ଆଗଭଳି ଲୋକମାନେ ଆଗ୍ରହ ଦେଖାଇବେ ନାହିଁ ବୋଲି ଆଶଙ୍କା ବ୍ୟକ୍ତ କରୁଛନ୍ତି ଗେମିଂ କମ୍ପାନି । ୨୮ପ୍ରତିଶତ ଜିଏସଟି ଲାଗୁ ହେବାପର ଠାରୁ ଗେମିଂ କମ୍ପାନି ଏମପିଏଲ ତାର ୩୫୦ କର୍ମଚାରୀଙ୍କୁ ଛଟେଇ କରିଦେଇଥିବା ବେଳେ କେଭିନ୍ ମତଲଙ୍କର କମ୍ପାନି ପ୍ରାୟ ୨୫ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିଥିଲା । ସେହିପରି ଗତ ବର୍ଷ ସ୍ପାର୍ଟନ ପୋକର ନିଜର ୧୨୫ ଜଣ କର୍ମଚାରୀଙ୍କୁ ବାହାର କରିଦେଇଥିବା ବେଳେ କ୍ୱିଜି ଓ ଫାନ୍ଟୋକ ଭଳି କିଛି କମ୍ପାନି ତ ସଂସ୍ଥାକୁ ପୁରା ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି । ଏନେଇ ଅନଲାଇନ ଗେମିଂରେ ବଢୁଥିବା ଜିଏସଟିକୁ ଦେଖିଲାପରେ ରାଜନୀତିରେ ପଶିବା ହିଁ ଠିକ ରହିବ ବୋଲି ସୋସିଆଲ ମିଡିଆରେ କଟାକ୍ଷ କରିଥିଲେ ଉଦ୍ୟୋଗପତି ଅଂଶୀର ଗ୍ରୋଭର ।

ହେଲେ ସରକାର ଯେମିତି ସିଗାରେଟ୍ ଓ ମଦ ଉପରେ ଅଧିକ ଟିକସ ଲଗାଉଛନ୍ତି ସେମିତି ଆନଲାଇନ ଗେମିଂ ଉପରେ ଟିକସ ବଢାଇବା କିଛି ଭୁଲ ନୁହଁ ବୋଲି ମତ ବାଢୁଛନ୍ତି କିଛିଲୋକ । ଆଗକୁ ଗେମିଂ ଇଣ୍ଡଷ୍ଟ୍ରିର ଭବିଷ୍ୟତ କଣ ମୋଡ ନେବ ଏନେଇ ଚିନ୍ତାରେ ଅଛନ୍ତି କିଛି ଉଦ୍ୟୋଗପତି ।