ଭୟ ବଢାଇଲା କରୋନାର ନୂଆ ପ୍ରଜାତି ଓମିକ୍ରନ : ଗୋଟିଏ ଦିନରେ ୧୭ ଜଣ ସଂକ୍ରମିତ ଚିହ୍ନଟ

ରାଜସ୍ଥାନରେ ୯, ମହାରାଷ୍ଟ୍ରରେ ନୂଆ ୭ ମାମଲା ଠାବ; ଦେଶରେ ୨୧ରେ ପହଂଚିଲା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା

365

କନକ ବ୍ୟୁରୋ : ଦେଶରେ ଓମିକ୍ରନ ଆତଙ୍କ ବଢିବାରେ ଲାଗିଛି । ରାଜସ୍ଥାନରେ ୯ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜୟପୁରର ଗୋଟିଏ ପରିବାର ସମସ୍ତେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଏମାନେ ସମସ୍ତେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଥିଲେ । ଏହା ସହ ମହାରାଷ୍ଟ୍ରରେ ଆହୁରି ୭ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ କେବଳ ମହାରାଷ୍ଟ୍ରରେ ୮ ଏବଂ ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୨୧କୁ ଛୁଇଁଛି ।

ମହାରାଷ୍ଟ୍ର ପୁଣେରେ ନାଇଜେରିଆରୁ ପିମ୍ପର ଚିଂଚୱାଡାକୁ ଫେରିଥିବା ଜଣେ ୪୪ ବର୍ଷୀୟ ମହିଳା କରୋନାର ନୂଆ ପ୍ରଜାତିରେ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତ ମହିଳାଙ୍କ ଦୁଇ ଝିଅ, ତାଙ୍କ ଭାଇ ଓ ଭାଇଙ୍କ ଦୁଇ ଝିଅ ମଧ୍ୟ ଓମିକ୍ରନରେ ସଂକ୍ରମିତ ହୋଇଛନ୍ତି । ଗତମାସରେ ଫିନଲାଣ୍ଡରୁ ପୁଣେ ଫେରିଥିବା ୪୭ବର୍ଷ ବୟସ୍କ ଜଣେ ବ୍ୟକ୍ତି ମଧ୍ୟ ଓମିକ୍ରନ ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି । ଶନିବାର ପୁଣିରେ ଡୋମ୍ବିଭିଲ ସହରକୁ ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଜଣେ ୩୩ବର୍ଷୀୟ ଯୁବକ ଓମିକ୍ରନରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ଏହାକୁ ମିଶାଇ କେବଳ ମହାରାଷ୍ଟ୍ରରେ ୮ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେପଟେ ଦିଲ୍ଲୀରେ ଜଣେ ତାଞ୍ଜାନିଆ ଫେରନ୍ତା ଯାତ୍ରୀଙ୍କ ଠାରେ ଓମିକ୍ରନ ଭୁତାଣୁକୁ ଠାବ କରାଯାଇଛି । ସେ ଦେଶର ପଂଚମ ଓମିକ୍ରନ ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଥିଲେ । ତାଙ୍କୁ ଦିଲ୍ଲୀର ଲୋକନାୟକ ଜୟପ୍ରକାଶ ହସ୍ପିଟାଲରେ ଭର୍ତି କରାଯାଇ ଚିକିତ୍ସା କରାଯାଉଛି । ପୂର୍ବରୁ କର୍ଣ୍ଣାଟକ ୨ଜଣ ଗୁଜୁରାଟରୁ ଜଣେ ମହାରାଷ୍ଟ୍ରରୁ ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କିନ୍ତୁ ପୁଣେରୁ ଆହୁରି ୭ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ପରେ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ଓ ଦେଶରେ ଏହି ସଂଖ୍ୟା ୨୧କୁ ବୃଦ୍ଧି ପାଇଛି ।