ଭାରତର ମିଶନ ‘ମତ୍ସ୍ୟା’, ଅନ୍ତରୀକ୍ଷ ପରେ ବର୍ତ୍ତମାନ ସମୁଦ୍ରରରେ ଇତିହାସ ରଚିବ ଭାରତ

213

କନକ ବ୍ୟୁରୋ: ଆପଣ ଜାଣିଛନ୍ତି କି ଭାରତର ମିଶନ ମତ୍ସ୍ୟା ବାବଦରେ? ଅନ୍ତରୀକ୍ଷ ପରେ ବର୍ତ୍ତମାନ ସମୁଦ୍ରରରେ କେଉଁ ମିଶନ ପାଇଁ ପ୍ରସ୍ତୁତ ହେଉଛି ଭାରତ । କଣ ଏହି ପ୍ରକଳ୍ପର ବିଶେଷତା । ଆସନ୍ତୁ ଜାଣିବା ଏହା ବାବଦରେ ବିସ୍ତୃତ ଭାବେ ।

ଆମେରିକା, ଚୀନ ଭଳି ବିକଶିତ ଦେଶ ପରେ ଭାରତ ସମୁଦ୍ର ଭିତରର ଦୁନିଆକୁ ସନ୍ଧାନ କରିବାକୁ ପ୍ରସ୍ତୁତ ହେଉଛି । ଏଥିପାଇଁ ଯୋଜନା ବି ପ୍ରସ୍ତୁତ ହୋଇଛି । ଅନ୍ତରୀକ୍ଷରେ ଇତିହାସ ରଚିବା ପରେ ବର୍ତ୍ତମାନ ସମୁଦ୍ରରେ ଇତିହାସ ଲେଖିବାକୁ ପ୍ରୟାସ ଆରମ୍ଭ କରିଛି । ସମୁଦ୍ର ବକ୍ଷରେ ଏହି ମିଶନର ଶୁଭାରମ୍ଭ ହେବାକୁ ଯାଉଛି । ନିକଟରେ ରାଜ୍ୟସଭାରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ଭାରତ ବହୁତ ଶୀଘ୍ର ନିଜର ପ୍ରଥମ ମହାସାଗର ମିଶନ ସମୁଦ୍ରଯାନରେ ଏକ ବୁଡାଜାହାଜ ସାହାଯ୍ୟରେ ଗଭୀର ସମୁଦ୍ରକୁ ମଣିଷକୁ ପଠାଇବାକୁ ଯୋଜନା କରିଛି । ଏହି ଜାହାଜ ୩ ଜଣଙ୍କୁ ଗଭୀର ସମୁଦ୍ର ମଧ୍ୟକୁ ନେଇଯିବ । ପାଖାପାଖି ୬ ହଜାର ମିଟର ଗଭୀରତାକୁ ଏହା ନେଇଯାଇପାରିବ । ବୁଡାଜାହାଜର ନାଁ ମତ୍ସ୍ୟ ୬ ହଜାର ରଖାଯାଇଛି । ଏହାର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ୨୦୨୪ ମାର୍ଚ୍ଚ ମାସ ମଧ୍ୟରେ ଶେଷ ହେବ । ଅର୍ଥାତ ବର୍ଷ ୨୦୨୬ ଯାଏ ମତ୍ସ୍ୟ ୬ ହଜାର ୩ ଜଣଙ୍କୁ ଗଭୀର ସମୁଦ୍ରକୁ ନେଇଯାଇପାରିବ ।

ତେବେ ଆସନ୍ତୁ ପ୍ରଥମେ ଏହି ସମୁଦ୍ରଯାନ ମିଶନ କଣ ତାକୁ ବୁଝିନେବା । ଏହି ମିଶନର ଶୁଭାରମ୍ଭ କେନ୍ଦ୍ର ସରକାରଙ୍କ ବ୍ଲୁ ଇକୋନମି ଅନୁସାରେ କରାଯାଇଛି । ଏହା ଭାରତ ସରକାରଙ୍କ ପ୍ରଥମ ସମୁଦ୍ର ମିଶନ ଯେଉଁଥିରେ ମଣିଷ ଗଭୀର ସମୁଦ୍ରକୁ ଯିବା ପାଇଁ ଯୋଜନା କରାଯାଇଛି । ମିଶନର ଲକ୍ଷ୍ୟ ଗଭୀର ସମୁଦ୍ର ମଧ୍ୟରେ ଥିବା ଜିନିଷ ବାବଦରେ ଅନୁଧ୍ୟାନ କରିବା । ତା ସହ ଜୈବ ବିବିଧତା ଉପରେ ମଧ୍ୟ ଅନୁଧ୍ୟାନ କରିବା । ବର୍ତ୍ତମାନ ଏହି ମିଶନ ଉପରେ ଚେନ୍ନାଇର ରାଷ୍ଟ୍ରୀୟ ମହାସାଗର ପ୍ରଦ୍ୟୋଗିକ ସଂସ୍ଥା ଏନଆଇଓଟି କାମ କରୁଛି ।

ସମୁଦ୍ରାୟନ ମିଶନରେ ୩ ଜଣଙ୍କୁ ସମୁଦ୍ରର ୬ ହଜାର ମିଟର ଗଭୀରତାକୁ ପଠାଯିବ । ଏହି ୩ ଜଣଙ୍କୁ ସେଠାକୁ ପହଞ୍ଚାଇବା ପାଇଁ ଯେଉଁ ଯାନର ବ୍ୟବସ୍ଥା କରାଯାଇଛି ତାକୁ ମତ୍ସ୍ୟ ୬ ହଜାର ଭାବେ ନାମିତ କରାଯାଇଛି । କିଛି ସମୟ ପୂର୍ବରୁ ମୁଁ ଆପଣଙ୍କୁ ବ୍ଲୁ ଇକୋନୋମି ବାବଦରେ କହିଥିଲି । ଆସନ୍ତୁ ଏ ବାବଦରେ ମଧ୍ୟ ଟିକେ ଜାଣିନେବା । ବିଶ୍ୱବ୍ୟାଙ୍କ ଅନୁସାରେ ଅର୍ଥନୈତିକ ଅଭିବୃଦ୍ଧି, ଉନ୍ନତ ଜୀବିକା ଏବଂ ଚାକିରୀ ପାଇଁ ସମୁଦ୍ର ସମ୍ପଦର ନିରନ୍ତର ବ୍ୟବହାର ।

ସାଧାରଣ ଭାଷାରେ କହିବାକୁ ଗଲେ ସମୁଦ୍ର ଦୁନିଆର ଉପଯୋଗ କରି ଅର୍ଥନୀତିକୁ ସୃଷ୍ଟି କରିବା । ଏଥିରେ ୯ଟି ବିଭାଗ ସାମିଲ ରହିଛି । ଆମେ ସମସ୍ତେ ଜାଣିଛେ ଯେ ଗଭୀର ସମୁଦ୍ରରେ ଲୁଚିରହିଥିବା ବ୍ଲୁ ହୁଏଲ ବାବଦରେ ଜାଣିବା କେତେ ଜରୁରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଗାତର ୨ ଥର ୨୦୨୧ ଏବଂ ୨୦୨୨ରେ ସ୍ୱାଧୀନତା ଦିବସର ଅଭିଭାଷଣରେ ଡିପ ଓସେନ ମିଶନ ଅର୍ଥାତ ସମୁଦ୍ର ଅଭିଯାନ ବାବଦରେ କହିଥିଲେ ।

ଏବେ ଟିକେ କହିଦେବାକୁ ଚାହିଁବି ଯେ ଏହି ବ୍ଲୁ ଇକୋନମି କାହିଁକି କୌଣସି ବି ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ । ଭାରତ ହେଉକି ଆମେରିକା । କୌଣସି ବି ଦେଶ ପାଇଁ ବ୍ଲୁ ଇକୋନମି ଅନେକ ଗୁରୁତ୍ୱପୂର୍ଣ୍ଣ । ଭାରତ ପାଇଁ ଏହା ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଯେ ଭାରତ ପାଖରେ ଏକ ବଡ ସମୁଦ୍ର କ୍ଷେତ୍ର ରହିଛି । ଭାରତ ପାଖରେ ୧୩୮୨ ଦ୍ୱୀପ ସହ ୭ ହଜାର ୫୧୭ କିମି ଲମ୍ବା ତଟରେଖା ରହିଛି । ୯ଟି ତଟୀୟ ରାଜ୍ୟରେ ଏହା ବ୍ୟାପିରହିଛି । ୧୨ଟି ପ୍ରମୁଖ ଏବଂ ୨ ଶହ ଛୋଟ ଛୋଟ ବନ୍ଦର ରହିଛି । ଦେଶର ୯୫ ପ୍ରତିଶତ ବ୍ୟାପାରରେ ଏହା ସମ୍ପୃକ୍ତ ରହିଛି । ଦେଶର ଜିଡିପିରେ ବ୍ଲୁ ଇକୋନିମିର ୪ ପ୍ରତିଶତର ଯୋଗଦାନ ରହିଛି । ଏହିଭଳି ଭାବେ ଭାରତ ପାଖରେ ସବୁଠାରୁ ବିସ୍ତୃତ ତଟୀୟରେଖା ରହିଛି । ତେଣୁ ମହାସାଗରୀୟ ଅଧାରିତ ପର୍ଯ୍ୟଟନର ବିକାଶ ବଢିଯିବାର ଆଶା ରହିଛି । ବ୍ଲୁ ଇକୋନୋମି କେତେ ଗୁରୁତ୍ୱପୂର୍ଣ୍ଣ ତାହା ଏଥିରୁ ସ୍ପଷ୍ଟ ହୋଇଥାଏ ଯେ ବିଶ୍ୱର ୮୦ ପ୍ରତିଶତ ଆର୍ଥିକ କାରବାର ସମୁଦ୍ରଦ୍ୱାରା ହୋଇଥାଏା

ସେହିଭଳି ବିଶ୍ୱ କଥା ଯଦି କହିବା ୪୦ ପ୍ରତିଶତର ଜନସଂଖ୍ୟା ତଟୀୟ ଅଞ୍ଚଳରେ ରହିଛି । ସେହିଭଳି ୩ ଅରବ ଲୋକ ନିଜର ଜୀବିକା ପାଇଁ ସମୁଦ୍ର ଉପରେ ନିର୍ଭର କରିଥାନ୍ତି । ଏବେ ଆସନ୍ତୁ ଜାଣିନେବା ଏହି ମିଶନର କେମିତି ଶୁଭାରମ୍ଭ ହୋଇଥିଲା । ସମୁଦ୍ରଯାନ ମିଶନ ୨୦୨୧ ଅକ୍ଟୋବର ୨୯ରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଏହାକୁ ଲଞ୍ଚ କରିଥିଲେ । ଏହାର ଶୁଭାରମ୍ଭ ସହ ଭାରତ ଅନେକ ଦେଶର ତାଲିକାରେ ସାମିଲ ହୋଇଥିଲା ଯେଉଁମାନଙ୍କ ପାଖରରେ ସମୁଦ୍ରଗତିବିଧିର ଯାଞ୍ଚ ପାଇଁ ବିଶେଷ ଜ୍ଞାନକୌଶଳ ରହିଛି । ମିଶନକୁ ପୂରା କରିବା ପାଇଁ ୬ ହଜାର କୋଟିର ବଜେଟ ରଖାଯାଇଛି । ତେବେ ଦେଖିବାକୁ ବାକି ରହିଲା ଭାରତର ଏହି ସମୁଦ୍ରଯାନ ମିଶନ କେତେ ସଫଳ ହେଉଛି ।