ବଦଳିଲା ଭାରତର ସାମରିକ ନୀତି । ଅସ୍ତ୍ରଶସ୍ତ୍ର ବ୍ୟବହାର ପାଇଁ ସେନାକୁ ମିଳିଲା ସ୍ୱାଧୀନତା

Advertisment
ବଦଳିଲା ଭାରତର ସାମରିକ ନୀତି । ଅସ୍ତ୍ରଶସ୍ତ୍ର ବ୍ୟବହାର ପାଇଁ ସେନାକୁ ମିଳିଲା ସ୍ୱାଧୀନତା

କନକ ବ୍ୟୁରୋ : ପୂର୍ବ ଲଦାଖ୍‌ର ଗଲ୍‌ୱାନ ଘାଟିରେ ଚୀନ୍‌ ସୈନିକଙ୍କ ବିଶ୍ୱାସଘାତ ଏବଂ ବର୍ବର ଆକ୍ରମଣ ପରେ ଭାରତ ଏବେ ପ୍ରକୃତ ନିୟନ୍ତ୍ରଣ ରେଖା(ଏଲ୍‌ଏସି)ରେ ସାମରିକ ନିୟମ ତଥା ସୀମା ପରିଚାଳନା ରଣନୀତିକୁ ବଦଳାଇ ଦେଇଛି। ନୂଆ ନିୟମ ଅନୁସାରେ ଭାରତୀୟ ସେନା ଏଣିକି ଚୀନ୍‌ ସେନାର ଯେ କୌଣସି ଅତିକ୍ରମଣକୁ ଦୃଢ଼ ହସ୍ତରେ ତତ୍କାଳ ଦମନ କରିବ ଏବଂ ଏଥିପାଇଁ ଅସ୍ତ୍ର ବ୍ୟବହାର ମଧ୍ୟ କରିବ। ସୀମା ସ୍ଥିତି ସୁଦୃଢ଼ କରିବାକୁ ସେନାକୁ ଅସ୍ତ୍ର ବ୍ୟବହାର ପାଇଁ ସ୍ୱାଧୀନତା ଦିଆଯାଇଛି। ଆବଶ୍ୟକସ୍ଥଳେ ଭାରତୀୟ ସେନା ନିଜର ସୁରକ୍ଷା ପାଇଁ ଯେ କୌଣସି ଅସ୍ତ୍ର ବ୍ୟବହାର କରିପାରିବେ ବୋଲି ନିର୍ଦ୍ଦେଶ ମିଳିଛି। ସୀମାରେ ସେନାକୁ ଏଭଳି ସ୍ୱାଧୀନତା ଭାରତର ସାମରିକ ନୀତିରେ ଏକ ବଡ଼ ପରିବର୍ତ୍ତନ ଆଣିଛି।

ଏବେ ଭାରତ-ଚୀନ୍‌ ସୀମାରେ ମୁତୟନ ହୋଇଥିବା କମାଣ୍ଡିଂ ଅଫିସର୍‌ମାନେ ସ୍ଥିତି ସମ୍ଭାଳିବା ପାଇଁ ଯବାନଙ୍କୁ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପୂର୍ଣ୍ଣ ସ୍ୱାଧୀନତା ପ୍ରଦାନ କରିପାରିବେ। ନିକଟରେ ଚୀନ୍‌ ସେନାର ଅତିକ୍ରମଣକୁ ରୋକିବାକୁ ପ୍ରୟାସରେ ଭାରତର ୨୦ ଯବାନଙ୍କ ମୃତ୍ୟୁ ପରେ ସରକାର ଏହି ବଡ଼ ପରିବର୍ତ୍ତନ ଆଣିଛନ୍ତି। ପୂର୍ବ ଚୁକ୍ତି ଅନୁଯାୟୀ ଅସ୍ତ୍ର ବ୍ୟବହାର ହେବନାହିଁ ବୋଲି ଯେଉଁ ବ୍ୟବସ୍ଥା ଥିଲା ତାହା ଆଉ ଲାଗୁ ହେବନାହିଁ। ସୈନିକମାନେ ପରିସ୍ଥିତିକୁ ଦେଖି ଯେ କୌଣସି ଅସ୍ତ୍ର ବ୍ୟବହାର କରିପାରିବେ ବୋଲି ସରକାରଙ୍କ ନିର୍ଦ୍ଦେଶ ପରେ ଏ ବାବଦ ସମସ୍ତ ପୂର୍ବ ଚୁକ୍ତି ଅକାମୀ ହୋଇଯାଇଛି।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ଜେନେରାଲ ବିପିନ ରାୱତ ଏବଂ ତିନି ସେନା ମୁଖ୍ୟଙ୍କ ସହିତ ଲଦାଖ୍‌ ସ୍ଥିତି ନେଇ ଉଚ୍ଚସ୍ତରୀୟ ବୈଠକ କରିଥିଲେ। ଚୀନ୍‌ ସେନା ଲଦାଖ୍‌ରେ ବାରମ୍ବାର ଏଲଏସି ଅତିକ୍ରମଣ ପାଇଁ ପ୍ରୟାସ କରୁଥିବାରୁ ଏବେ ସାମରିକ ନୀତି ବଦଳାଇ ଦିଆଯାଇଛି ଏବଂ ସେନା ପ୍ରତିଟି ଅତିକ୍ରମଣକୁ ଦମନ କରିବାକୁ ଅତି କଠୋର ପଦକ୍ଷେପ ଗ୍ରହଣ କରିବ। ଚୀନ୍‌ ସହ ସ୍ଥଳ ସୀମା, ବାୟୁ ସୀମା ଏବଂ ରଣନୀତିକ ସମୁଦ୍ର ରାସ୍ତାରେ ଚୀନ୍‌ର ଗତିବିଧି ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଚୀନ୍‌ ସହ ୩୫୦୦ କିମି ସୀମାରେ ମୁତୟନ ଭାରତୀୟ ଯବାନ ଏଣିକି ନୂଆ ସାମରିକ ନୀତି ଅନୁଯାୟୀ ପଦକ୍ଷେପ ନେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe