କନକ ବ୍ୟୁରୋ: ପ୍ୟାରିସ ଅଲିମ୍ପିକ୍ସରେ ବଢ଼ିବାରେ ଲାଗିଛି ଭାରତର ପଦକ ଆଶା । ଆଜି ପୁରୁଷ ଏକକ ବ୍ୟାଡମିଣ୍ଟନରେ ଭାରତ-ଡେନମାର୍କ ଲଢ଼େଇ । ଡେନମାର୍କର ଭିକ୍ଟର ଆକ୍ସେଲସେନଙ୍କ ସହ ଭାରତର ଲକ୍ଷ୍ୟ ସେନଙ୍କ ମୁକାବିଲା ହେବ । ତେବେ ପ୍ରଥମ ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ ଖେଳାଳି ଭାବେ ଅଲିମ୍ପିକ୍ସର ସେମିଫାଇନାଲରେ ପ୍ରବେଶ କରିଛନ୍ତି ଲକ୍ଷ୍ୟ ସେନ । ଏବେ ପଦକ ନିଶ୍ଚିତ କରିବାକୁ ତାଙ୍କ ଆଗରେ ଦୁଇଟି ମ୍ୟାଚ୍ ରହିଛି । ଏଥିରୁ ଗୋଟିଏ ମ୍ୟାଚ୍ ଜିତିବା ଆବଶ୍ୟକ । ପଦକ ଦୌଡ଼ରେ ଲକ୍ଷ୍ୟଙ୍କ ସାମ୍ନାରେ ବଡ଼ ବାଧା ହେଉଛନ୍ତି ଡେନମାର୍କର ଭିକ୍ଟର ଆକ୍ସେଲସେନ୍। ସେମିଫାଇନାଲରେ ଯଦି ଭିକ୍ଟରଙ୍କୁ ଲକ୍ଷ୍ୟ ହରାଇ ଦେଉଛନ୍ତି, ତାହେଲେ ଫାଇନାଲକୁ ଯିବା ସହ ପଦକ ନିଶ୍ଚିତ ହୋଇଯିବ । ପୂର୍ବରୁ ଉଭୟଙ୍କ ମଧ୍ୟରେ ୮ ଥର ମ୍ୟାଚ୍ ହୋଇଥିବା ବେଳେ ଭିକ୍ଟର ୭ଥର ବିଜୟୀ ହୋଇଛନ୍ତି ।
ସେପଟେ ପୁରୁଷ ହକି କ୍ୱାର୍ଟରରେ ଆଜି ଭାରତ-ଗ୍ରେଟ୍ ବ୍ରିଟେନ ଲଢ଼େଇ । ଅଷ୍ଟ୍ରେଲିଆ ବିପକ୍ଷ ବିଜୟ ପରେ ଏବେ ଭାରତୀୟ ଟିମର ମନୋବଳ ଦୃଢ଼ ରହିଛି । ତେବେ ଆଜିର ମ୍ୟାଚ୍ ଭାରତୀୟ ଟିମ୍ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି । ଗ୍ରେଟ୍ ବ୍ରିଟେନ ବିଶ୍ୱର ଦୁଇ ନମ୍ବର ଦଳ ହୋଇଥିବାରୁ ଆଜି ଉଭୟ ଟିମ୍ ମଧ୍ୟରେ ବଡ଼ ଲଢ଼େଇ ଦେଖିବାକୁ ମିଳିବ ।