ବ୍ରିଟେନରୁ ଫେରିଲା ଭାରତ ସୁନା: ୧ ଲକ୍ଷ କେଜି ସୁନା ଫେରାଇ ଆଣିଲା ଆରବିଆଇ

629

କନକ ବ୍ୟୁରୋ: ବ୍ରିଟେନ୍ ବ୍ୟାଙ୍କରେ ଥିବା ୧୦୦ ଟନ୍ରୁ ଅଧିକ ସୁନା ଭାରତ ଫେରାଇ ଆଣିଛି ରିଜର୍ବ ବ୍ୟାଙ୍କ ଅଫ୍ ଇଣ୍ଡିଆ । ଭାରତର ସୁନା ଭଣ୍ଡାରରେ ଏହି ସୁନାକୁ ସାଇତିକି ରଖା ଯାଇଛି । ଆଗାମୀ ମାସରେ ଏତିକି ପରିମାଣର ଆହୁରି ସୁନା ଫେରାଇ ଆଣିବାକୁ ଯୋଜନା କରିଛି ଆରବିଆଇ । ଦେଶରେ ଆର୍ଥିକ ସ୍ଥିତି ସ୍ଥିର ରଖିବା ପାଇଁ ବିଦେଶରେ ଥିବା ସୁନା ଆରବିଆଇ ଫେରାଇ ଆଣୁଥିବା ଜଣାପଡିଛି ।

ବିଦେଶରେ ଥିବା ସୁନା ଫେରାଇ ଆଣୁଛି ଆରବିଆଇ । ୧୦୦ଟନରୁ ଅଧିକ ସୁନା ବ୍ରିଟେନରୁ ଭାରତ ଫେରାଇ ଆଣିଛି, ଭାରତୀୟ ରିଜର୍ବ ବ୍ୟାଙ୍କ । ଲଣ୍ଡନ ବ୍ୟାଙ୍କର ଟ୍ରେଜେରୀରେ ସାଇତା ହୋଇ ରଖାଯାଇଥିଲା ଏହି ସବୁ ସୁନା । ଯାହାକୁ ଭାରତ ଅଣାଯାଇ, ନିଜ ସୁନା ଭଣ୍ଡାରରେ ଗଚ୍ଛିତ ରଖାଯାଇଥିବା ସୂଚନା ମିଳିଛି । ୧୯୯୧ ମସିହା ପରଠାରୁ ପ୍ରଥମ ଥର ଏତେ ମାତ୍ରାରେ ସୁନା ସ୍ୱଦେଶ ଫେରାଇ ଅଣାଯାଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ –

ବ୍ରିଟେରୁ ଫେରିଲା ଭାରତ ସୁନା
– ମାର୍ଚ୍ଚ ୨୦୨୪ ଶେଷ ସୁଦ୍ଧା ଆରବିଆଇ ପାଖରେ ୮୨୨.୧ ଟନ୍ ସୁନା ରହିଥିଲା
– ଏଥିରୁ ୪୧୩.୮ ଟନ୍ ସୁନା ବିଦେଶରେ ଜମା ରହିଥିଲା
– ବ୍ୟାଙ୍କ ଅଫ୍ ଇଲଣ୍ଡରେ ଜମା ରହିଛି ଭାରତୀୟ ସୁନା
– ଏଥିପାଇଁ ମୋଟା ଅଙ୍କର ସିକ୍ୟୁରିଟି ଫି’ ଦେଉଥିଲା ଭାରତ
– ବିଦେଶରେ ଥିବା ସୁନାରୁ ୧୦୦ ଟନ୍ ଅର୍ଥାତ୍ ୧ ଲକ୍ଷ କେଜି ସୁନା ଭାରତ ଫେରିଛି

ଭାରତୀୟ ରିଜର୍ବ ବ୍ୟାଙ୍କ ନିଜ ଭଣ୍ଡାରରେ ଥିବା ଅଧାରୁ ଅଧିକ ସୁନା ବିଦେଶରେ ଜମା ରଖିଥିଲା । ହେଲେ ଏବେ ଆର୍ଥିକ ସ୍ଥିରତା ପାଇଁ ଏହି ସୁନାକୁ ସ୍ୱଦେଶ ଫେରାଇ ଆଣୁଛି ଆରବିଆଇ । ଆଉ ଏହି ସୁନା ଫେରାଇ ଆଣିବା ପାଇଁ ବର୍ଷ ବର୍ଷ ଧରି ଯୋଜନା କରାଯାଉଥିଲା ।

ଭାରତର କେନ୍ଦ୍ରୀୟ ବ୍ୟାଙ୍କ ହେଉଛି ରିଜର୍ବ ବ୍ୟାଙ୍କ । ଯାହା ଦେଶର ଆର୍ଥିକ ସ୍ଥିତି ଉପରେ ସବୁବେଳେ ନଜର ରଖେ । ଗତ କିଛି ବର୍ଷ ହେବ ଆରବିଆଇ ନିଜ ସୁନାର ଭଣ୍ଡାର ବୃଦ୍ଧି କରିବାରେ ଲାଗିଛି । ଗତ ଆର୍ଥିକ ବର୍ଷରେ ୨୭.୫ ଟନ୍ର ସୁନା କିଣିଥିଲା ଭାରତୀୟ ରିଜର୍ବ ବ୍ୟାଙ୍କ । ଏହା ନିଶ୍ଚିତ ଭାବେ ଦେଶର ଆର୍ଥିକ ସ୍ଥିତକୁ ସୁଦୃଢ କରିପାରିଛି । ତେବେ ବିଦେଶରେ ଥିବା ନିଜ ସୁନାକୁ ବି ଫେରାଇ ଆଣିବା ପାଇଁ ଦୀର୍ଘ ଦିନ ଧରି ଯୋଜାନ କରୁଥିଲା ଆରବିଆଇ । ସୂଚନା ଅନୁସାରେ –

ବ୍ରିଟେନରୁ ଫେରିଲା ଭାରତ ସୁନା
– ମାସ ମାସର ଯୋଜନା ପରେ ଏହାକୁ କାର୍ଯ୍ୟରେ ଲଗାଇଥିଲା ଆରବିଆଇ
– ଅର୍ଥ ମନ୍ତ୍ରାଳୟ, ଆରବିଆଇ ଏବଂ ଅନ୍ୟ ସରକାରୀ ବିଭାଗ ଏହି ଯୋଜନାରେ ସାମିଲ ଥିଲେ
– ଆରବିଆଇ ସୁନା ଭାରତ ଆଣିବା ପାଇଁ ସୀମା ଶୁଳ୍କରେ ରିହାତି ମିଳିଥିଲା
– ହେଲେ ଆମଦାନୀରେ ଲାଗୁ ହେଉଥିବା ଜିଏସ୍ଟିରେ ମିଳି ନଥିଲା ରିହାତି
– ସୁନା ଆଣିବା ପାଇଁ ଏକ ସ୍ୱତନ୍ତ୍ର ବିମାନ ହୋଇଥିଲା ନିୟୋଜିତ

୧ ଲକ୍ଷ କେଜିରୁ ଅଧିକ ସୁନା ଭାରତ ଫେରିବା ପରେ ଏହାକୁ ଆରବିଆଇ ସୁନା ଭଣ୍ଡାରରେ କଡା ସୁରକ୍ଷା ଭିତରେ ରଖାଯାଇଛି । ତେବେ ସବୁଠାରୁ ବଡ କଥା ହେଉଛି, ଇଂଲଣ୍ଡ ବ୍ୟାଙ୍କରେ ସୁନା ସାଇତି ରଖିବା ପାଇଁ ଯେଉଁ ମୋଟା ଅଙ୍କର ଫି ଦେଉଥିଲା ଭାରତ, ତାହା ଅନେକ ମାତ୍ରାରେ କମ୍ ହୋଇ ଯାଇଛି ।

ଆରବିଆଇ ନିଜର ସବୁ ସୁନା ମୁମ୍ବାଇ ସ୍ଥିତ ପୁରୁଣା ବିଲ୍ଡିଂରେ କଡା ସୁରକ୍ଷା ଭିତରେ ରଖିଥାଏ । ପରେ ଏହାକୁ ନାଗପୁର ସ୍ଥିତ ଏକ ଟ୍ରେଜେରୀରେ ସ୍ଥାନାନ୍ତର କରେ । ସୁରକ୍ଷା ଦୃଷ୍ଟି କୋଣରୁ ଆରବିଆଇ ଭିନ୍ନ ଭିନ୍ନ ସ୍ଥାନରେ ନିଜର ସୁନା ସାଇତି ରଖେ ।