କନକ ବ୍ୟୁରୋ : ୨୦୨୧-୨୨ ଆର୍ଥିକ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି ହାର ୯ ଦଶମିକ ୨ପ୍ରତିଶତ ହେବ । ଦେଶର ଜିଡିପି ଅଭିବୃଦ୍ଧି ହାର ୯ଦଶମିକ ୫ପ୍ରତିଶତ ହେବ ବୋଲି ପୂର୍ବରୁ ଆକଳନ କରାଯାଇଥିଲା । କିନ୍ତୁ ଏହି ଆକଳନରେ ସାମାନ୍ୟ ହ୍ରାସ ପାଇ ୯ ଦଶମିକ ୨% ହେବ ବୋଲି ଅନୁମାନ କରିଛି ଜାତୀୟ ପରିସଂଖ୍ୟାନ ସଂସ୍ଥାନ । ୨୦୨୧-୨୨ ଆର୍ଥିକ ବର୍ଷରେ ଦେଶର ପ୍ରକୃତ ଜିଡିପି ୧୪୭ ଦଶମିକ ୫୪ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ବିଶେଷ କରି କୃଷି, ଖଣି ଓ ଉତ୍ପାଦନ କ୍ଷେତ୍ରରେ ପ୍ରି-କୋଭିଡ୍ ସ୍ତରକୁ ଅତିକ୍ରମ କରିବ । ତେବେ ଓମିକ୍ରନ ଭାରିଆଂଟ ଦ୍ୱାରା ବର୍ତମାନ ସଂକ୍ରମଣ ବଢ଼ୁଥିବାରୁ ଜିଡିପି ଅଭିବୃଦ୍ଧି ପ୍ରଭାବିତ ହୋଇପାରେ ବୋଲି ସତର୍କ କରିଛନ୍ତି ଅର୍ଥନୀତିଜ୍ଞ ।

Advertisment

ଜିଡିପିକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଯେଉଁ ଆକଳନ କରିଥିଲା ତା’ଠାରୁ ଅଭିବୃଦ୍ଧି କମ୍ ରହିବ ବୋଲି ଏନ୍‌ଏସ୍‌ଓ ଆକଳନ କରିଛି । ରିଜର୍ଭ ବ୍ୟାଙ୍କର କହିଥିଲା ଯେ ଜିଡିପି ଅଭିବୃଦ୍ଧି ୯.୫% ରହିବ । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଦେଶର ଜିଡିପି ଅଭିବୃଦ୍ଧି ୨୦.୧% ଭଳି ଉଚ୍ଚ ସ୍ତରରେ ରହିଥିଲା । ଏହା ପରେ ଦ୍ବିତୀୟ ତ୍ରୟମାସ ଅଭିବୃଦ୍ଧି ୮.୪% ରହିଛି । ୨୦୨୧-୨୨ ଆର୍ଥିକ ବର୍ଷରେ କୃଷି ଅଭିବୃଦ୍ଧି ୩.୯% ରହିବ ବୋଲି ଆକଳନ କରାଯାଇଛି । ୨୦୨୦-୨୧ରେ କୃଷି କ୍ଷେତ୍ର ୩.୬% ଅଭିବୃଦ୍ଧି ହାସଲ କରିଥିଲା। ମାନୁଫାକ୍‌ଚରିଂ ଅଭିବୃଦ୍ଧି ୧୨.୫% ରହିବ ବୋଲି ଏଥର ଆକଳନ କରାଯାଇଛି ଯାହା ଗତବର୍ଷ ୭.୨% ହ୍ରାସ ପାଇଥିଲା ।