୨୦୨୨-୨୩ରେ ଦେଶର ଅଭିବୃଦ୍ଧି ହାର ୭.୨% : ଫେଲ୍ ମାରିଲା ବିଶ୍ୱର ପ୍ରମୁଖ ରେଟିଂ ସଂସ୍ଥାର ପୂର୍ବାନୁମାନ; ବିଶ୍ୱରେ ଅଭିବୃଦ୍ଧିରେ ସର୍ବାଧିକ ହେଲା ଭାରତ
କନକ ବ୍ୟୁରୋ : ୨୦୨୨-୨୩ରେ ଭାରତର ଅଭିବୃଦ୍ଧି ହାର ବା ଜିଡିପି ୭.୨ ପ୍ରତିଶତ ରହିଛି । ବୁଧବାର କେନ୍ଦ୍ର ପରିସଂଖ୍ୟାନ ମନ୍ତ୍ରଣାଳୟ ଏ ସଂକ୍ରାନ୍ତରେ ତଥ୍ୟ ପ୍ରକାଶ କରିଛି । ଏହି ଅଭିବୃଦ୍ଧି ସହ ଭାରତୀୟ ଅର୍ଥନୀତି ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତିରେ ପରିଣତ ହୋଇଛି । ଚୀନ୍, ଆମେରିକା, ୟୁରୋପୀୟ ରାଷ୍ଟ୍ର ଗୁଡିକର ଅଭିବୃଦ୍ଧି ହାରଠୁ ଭାରତ ଆଗରେ ରହିଛି । ଭାରତର ଅର୍ଥନୀତିକୁ ନେଇ ପୂର୍ବରୁ ବିଶ୍ୱର ପ୍ରମୁଖ ରେଟିଂ ସଂସ୍ଥାମାନେ ଯେଉଁ ପୂର୍ବାନୁମାନ କରିଥିଲେ ସେଥିରେ କୁହାଯାଇଥିଲା ୨୦୨୨-୨୩ରେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ୭ ପ୍ରତିଶତ ତଳକୁ ଖସିବ ।

Kanak News is now on WhatsApp
Join and get latest news updates delivered to you via WhatsApp
ଏପରିକି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ବା ଆଇଏମଏଫ ବି ଭାରତର ଅଭିବୃଦ୍ଧି ହାର ୬.୮ ପ୍ରତିଶତ ରହିବ ବୋଲି କହିଥିଲା । କିନ୍ତୁ ୭.୨ ପ୍ରତିଶତ ଅଭିବୃଦ୍ଧି ସହ ଭାରତ ଏସବୁ ପୂର୍ବାନୁମାନକୁ ଭୁଲ ପ୍ରମାଣିତ କରିଦେଇଛି । କ୍ରମାଗତ ଦୁଇଟି ତ୍ରୈମାସିକ ହ୍ରାସ ପରେ ଏଥର ତ୍ରୈମାସିକ ଜାନୁଆରୀରୁ ମାର୍ଚ୍ଚ ଜିଡିପି ଅଭିବୃଦ୍ଧି ହାର ବୃଦ୍ଧି ପାଇଛି । ଏହି ଅଭିବୃଦ୍ଧି ଦେଶର ଅର୍ଥନୀତିର ସ୍ଥିରତା ଦର୍ଶାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିବା ବେଳେ କଂଗ୍ରେସ କହିଛି ଖୁସି ହେବାର ଆବଶ୍ୟକ ନାହିଁ । ଉଭୟ ଉତ୍ପାଦନ ଏବଂ ଉପଯୋଗରେ ଭାରତ ପଛରେ ରହିଛି କହିଲା ବିରୋଧୀ ।
ଆର୍ଥିକ ବର୍ଷ ୨୦୨୨-୨୩ର ଅଭିବୃଦ୍ଧି ତଥ୍ୟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁସି ପ୍ରକଟ କରିଛନ୍ତି । ସେ କହିଛନ୍ତି ଯେ ବହୁ ପ୍ରକାର ଆହ୍ବାନ ସତ୍ତ୍ବେ ଏହା ଭାରତୀୟ ଅର୍ଥନୀତିର ସ୍ଥିରତାକୁ ଦର୍ଶାଉଛି । ଏହି ଦୃଢ଼ ପ୍ରଦର୍ଶନ ଓ ମୋଟ ଉପରେ ରହିଥିବା ଆଶା ଆମ ଅର୍ଥନୀତି ସଠିକ୍ ପଥରେ ଥିବା ଏବଂ ଆମ ଲୋକମାନଙ୍କ ଦୃଢ଼ତାର ପ୍ରତିଫଳନ ବୋଲି ସେ କହିଛନ୍ତି ।