କନକ ବ୍ୟୁରୋ : ଆକାଶ ମାର୍ଗରୁ ଶତ୍ରୁ ଉପରେ ଆକ୍ରମଣ କରିବାର ରଣନୀତି ଲଗାତାର ବଦଳିବାରେ ଲାଗିଛି । ଏବେ ଏୟାରକ୍ରାପ୍ଟ ଜରିଆରେ ଯୁଦ୍ଧ କଳା ଧିରେ ଧିରେ କମିବାରେ ଲାଗିଛି । ନିଜ ଦେଶରେ ବସି ଶତ୍ରୁ ଉପରେ କିଭଳି ଆକ୍ରମଣ କରାଯାଇପାରିବ ସେନେଇ ପ୍ରାୟ ସବୁଦେଶ ନିଜର ସାମରିକ ଶକ୍ତିକୁ ଉନ୍ନତରୁ ଉନ୍ନତତର କରିବାରେ ଲାଗିଛନ୍ତି । ଆଉ ଏଥିରୁ ବାଦ ପଡିନି ଭାରତ । ଭାରତୀୟ ସେନାକୁ ଏପରି ଏକ ଅସ୍ତ୍ର ମିଳିବାକୁ ଯାଉଛି । ଯାହା ଶତ୍ରୁର ବଂକର, ଅସ୍ତ୍ରଶସ୍ତ୍ର ଡିପୋ, ପାୱାର ପ୍ଲାଣ୍ଟ ଆଦିକୁ ଅତି ସହଜରେ ଧ୍ୱଂସ କରିପାରିବ । ଆଉ ଶତ୍ରୁକୁ ଖବର ବି ମିଳିବନି ।
ଖୁବଶୀଘ୍ର ଭାରତୀୟ ସେନାରେ ସାମିଲ ହେବାକୁ ଯାଉଛି ଅତ୍ୟାଧୁନୀକ ଅସ୍ତ୍ର ‘ଫୁଫା’ । ଫୁଫାର ମାନେ ଫ୍ୟୁଚରିଷ୍ଟିକ୍ ଅନମ୍ୟାନଡ୍ ଫାଇଟର ଏୟାରକ୍ରାପ୍ଟ । ଭବିଷ୍ୟତରେ ଏହା ଏପରି ଏକ ଫାଇଟର ଜେଟ୍ ହେବ ଯାହା ଶତ୍ରୁର ନିଦ ହଜାଇଦେବ । ଭାରତୀୟ ପ୍ରତିରକ୍ଷା ଏବଂ ଅନୁସନ୍ଧାନ ସଂଗଠନ “ଡିଆରଡିଓ’ର ଏକ ସଂଗଠନ ‘ଏଡିଇ’ ନିକଟରେ ଏକ ଟେଣ୍ଡର ଜାରି କରିଛି । ସେଥିରେ କୁହାଯାଇଛି ଯେ ଏଭଳି ଏକ ୱିଙ୍ଗ୍ ଟନେଲ ନିର୍ମାଣ କରାଯାଉ, ଯେଉଁଥିରେ ‘ଫୁଫା’ର ପରୀକ୍ଷଣ କରାଯାଇପାରିବ । ବର୍ତ୍ତମାନ ଟନେଲ ନିର୍ମାଣ କାମ ଯୋରଦାର ଚାଲିଛି । ଏହି ପ୍ରୋଜେକ୍ଟ ପ୍ରାରମ୍ଭିକ ପର୍ଯ୍ୟାୟରେ ଥିବାରୁ ଏହା ବାବଦରେ କୌଣସି ଅଧିକ ସୂଚନା ଦିଆଯାଇନାହିଁ । କିନ୍ତୁ ମିଳିଥିବା ସ୍ୱଳ୍ପ ତଥ୍ୟ ଆଧାରରେ ଫୁଫା ଜରିଆରେ ଭାରତ ଚାରୋଟି ବଡ କାମ କରିପାରିବ । ପ୍ରଥମ –ଷ୍ଟ୍ରାଟେଜିକ୍ ଆଫେନ୍ସିବ୍ ଦ୍ୱିତୀୟ – କ୍ଲୋଜ୍ ଏୟାର ସପୋର୍ଟ, ତୃତୀୟ – ମିଜାଇଲ ଆଫେନସିଭ୍, ଚତୁର୍ଥରେ – ଶତ୍ରୁର ସୁରକ୍ଷା କବଚକୁ ଭେଦିବା ଭଳି ବଡ କାମ ଏହି ଅତ୍ୟାଧୁନିକ ଏୟାରକ୍ରାପ୍ଟ ଜରିଆରେ କରାଯାଇପାରିବ । ଏହି ଏୟାରକ୍ରାପ୍ଟର ମାରକ କ୍ଷମତା ବାବଦରେ ଯଦି କଥା ହେବା ତାହେଲେ, ଏହି ଏୟାରକ୍ରାପ୍ଟ ୨୧ଶହ କିଲୋଗ୍ରାମର ଓଜନ ବୋହିନେଇ ଆକାଶରେ ଉଡିବାର କ୍ଷମତା ରହିଛି । କିନ୍ତୁ ଭବିଷ୍ୟତରେ ଏହାର କ୍ଷମତା ବଢି ୫୫ଶହ କିଲୋଗ୍ରାମର ଓଜନ ବୋହିନେବାର କ୍ଷମତା ରହିବ । ସବୁଠୁ ବଡ କଥା ହେଉଛି, ଶତ୍ରୁ ଉପରେ ଅଚାନକ ବୋମା ବର୍ଷା କରିବାରେ ଏହି ଏୟାରକ୍ରାପ୍ଟର ଭୂମୀକା ବେସ୍ ଅଧିକ ରହିବ । ଏହାସହିତ ଦରକାର ପଡିଲେ ଏହି ଏୟାରକ୍ରାପ୍ଟକୁ ବି ବୋମା ଆକାରରେ ବ୍ୟବହାର କରିପାରିବେ ସେନା । ଏହି ଏୟାରକ୍ରାପ୍ଟରେ ସ୍କ୍ରେମଜେଟ୍ ଇଂଜିନ ଲଗାଜାଇଛି, ଯେଉଁଥି ପାଇଁ ଏହାର ବେଗ ଯଥେଷ୍ଟ ଅଧିକ ରହିଛି । ବର୍ତ୍ତମାନ ତ ଏହି ପ୍ରୋଜେକ୍ଟ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି, ତଥାବି ଅନୁମାନ କରାଯାଉଛି କି, ଏହାର ଘଣ୍ଟାପ୍ରତି ବେଗ ୪୦୦୦ କିଲୋମିଟର ରହିବ । ଏହି ଅତ୍ୟାଧୁନିକ ଅସ୍ତ୍ର ଭାରତୀୟ ସେନାରେ ସାମିଲ ହେବା ପରେ ଶତ୍ରୁର ନିଦ ହଜିଯିବ । କେତେବେଳେ କେଉଁଠି ଓ କେଉଁ ସମୟରେ ଯେ ଆକ୍ରମଣ ହୋଇଯିବ, ତାହା ଶତ୍ରୁକୁ ଖବର ବି ମିଳିବନି ।