ଶତ୍ରୁ ହେବେ ଥରହର, କ୍ଷଣିକରେ ଶତ୍ରୁକୁ ସଂହାର କରିବ ଭାରତର ଏହି ବ୍ରହ୍ମାସ୍ତ୍ର । 

156

କନକ ବ୍ୟୁରୋ : ଭାରତୀୟ ନୌସେନାର ବଢିବ ଶକ୍ତି । ସାବାଡ ହେବେ ଶତ୍ରୁ । ଆଉ ଆଖି ଉଠାଇ ଦେଖିବାକୁ ବି କରିବେନି ସାହାସ । କାରଣ ଭାରତୀୟ ନୌସେନାରେ ସାମିଲ ହେବାକୁ ଯାଉଛି ଆଇଏନଏସ ବିଶାଖାପଟ୍ଟନମ । ଆସନ୍ତାକାଲି ଅଥାର୍ତ ୨୧ ନଭେମ୍ବରରେ ଭାରତୀୟ ନୌସେନାରେ ଏହାକୁ ବିଧିବଦ୍ଧ ଭାବେ ସାମିଲ କରାଯିବ । ଆଉ ଏହି ଯୁଦ୍ଧ ଜାହାଜ ଭାରତୀେ ନୌସେନାରେ ସାମିଲ ହେବା ସହ ଶତ୍ରୁ ଶିବିରର ଚିନ୍ତା ବଢିବ । କାରଣ ଅତି ଗୁପ୍ତ ଭାବେ ଶତ୍ରୁ ଶିବିର ଉପରେ ଆକ୍ରମଣ କରିବାରେ ପାରଙ୍ଗମ ଏହି ଯୁଦ୍ଧ ଜାହାଜ । ମାତ୍ର କିଛି ସେକେଣ୍ଡ ମଧ୍ୟରେ ଶତ୍ରୁ ଶିବିରକୁ ଧ୍ୱଂସ କରିବାରେ ସିଦ୍ଧହସ୍ତ ଏହି ଯୁଦ୍ଧ ଜାହାଜ ।  ଆତ୍ମନିର୍ଭର ଭାରତ ଅଭିଯାନ ଅନୁଯାୟୀ, ଏହି ଯୁଦ୍ଧ ଜାହାଜରେ ୭୫ ପ୍ରତିଶତ ସ୍ୱଦେଶୀ ଉପକରଣ ବ୍ୟବହାର କରାଯାଇଛି ।

୧୬୩ ମିଟର ଲମ୍ବର ଆଇଏନଏସ ବିଶାଖାପଟ୍ଟନମରେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯାଇଛି । ଯାହା ଏହି ଯୁଦ୍ଧ ଜାହାଜକୁ ଆହୁରି ଶକ୍ତିଶାଳୀ କରିଛି । ଏହାର ଚଉଡା ୧୭ ମିଟର ଥିବା ବେଳେ ଏହାର ଓଜନ ପାଖାପାଖି ୭୪୦୦ ଟନ୍ ରହିଛି । ଆଉ ସବୁଠୁ ବଡ କଥା ହେଲା, ୫୫.୫୬ କିଲୋମିଟର  ଘଣ୍ଟାପ୍ରତି ବେଗରେ ଗତି କରୁଥିବା ଏହି ଯୁଦ୍ଧ ଜାହାଜରେ ୪ଟି ଗ୍ୟାସ୍ ଟରବାଇନ ଇଞ୍ଜିନ ଲାଗିଛି ।

ଏହାକୁ ନୌସେନାରେ ସାମିଲ କରାଯିବା ପରେ ମଧ୍ୟ ଏଥିରେ ଆଉ କିଛି ଜ୍ଞାନକୌଶଳ ବ୍ୟବହାର କରାଯିବ । ଯାହାଦ୍ୱାରା ଏହାକୁ ଆହୁରି ଶକ୍ତିଶାଳୀ କରାଯାଇପାରିବ । ସବୁଠୁ ବଡ କଥା ହେଉଛି, ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ଯୁଦ୍ଧ ଜାହାଜରୁ ଅତି ସହଜରେ କ୍ଷେପଣାସ୍ତ୍ର ମାଡ କରାଯାଇପାରିବ । ଆଉ କ୍ଷଣିକରେ ଶତ୍ରୁ ଶିବିରର ବିମାନ ଓ ମିସାଇଲକୁ ନଷ୍ଟ କରିପାରିବ । ଏଥିରେ ବ୍ରହ୍ମୋସ ସୁପରସୋନିକ  ମିସାଇଲ ସହ ଅନ୍ୟ ମିସାଇଲ ସିଷ୍ଟମ ଏବଂ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରହିବ ଯାହା ଏହି ଯୁଦ୍ଧ ଜାହାଜକୁ ଆହୁରି ଶକ୍ତିଶାଳୀ କରିବ ।

ଆକାଶପଥରୁ ଶତ୍ରୁ ଆକ୍ରମଣରୁ ବର୍ତ୍ତିବାକୁ ଏହି ଯୁଦ୍ଧ ଜାହାଜରେ ଘାତକ ମିସାଇଲ ବ୍ୟବହାର କରାଯାଇଛି । ଏହାଛଡା ଶତ୍ରୁର ରାଡାରରେ ଧରା ନ ପଡିବା ପାଇଁ ଏଥିରେ ଷ୍ଟେଲଥ ଡେଷ୍ଟ୍ରୋୟର ବ୍ୟବହାର କରାଯାଇଛି । ଏହି ଯୁଦ୍ଧ ଜାହାଜର ନିର୍ମାଣ ପାଇଁ ପାଖାପାଖି ୩୫ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି । ପ୍ରତିରକ୍ଷା ମନ୍ତ୍ରୀଙ୍କ ଉପସ୍ଥିତିରେ ଏହାକୁ ଭାରତୀୟ ନୌସେନାକୁ ଦିଆଯିବ ।