ଗୁଜୁରାଟରେ ଅତ୍ୟାଧୁନିକ ରେଲୱେ ଷ୍ଟେସନ । ଉପରେ ୫ ଷ୍ଟାର ହୋଟେଲ, ତଳେ ରେଲୱେ ଷ୍ଟେସନ । ଆସନ୍ତା କାଲି ପ୍ରଧାନମନ୍ତ୍ରୀ କରିବେ ଉଦଘାଟନ

216

କନକ ବ୍ୟୁରୋ: ରେଲୱେ ଷ୍ଟେସନ କହିଲେ ଆମ ମନକୁ ଆସିଥାଏ ପ୍ଲାଟଫର୍ମ, ଆଉ କେତୋଟି ହାତଗଣତି ଦୋକାନ । ହେଲେ ଆମେ ଆପଣଙ୍କୁ ଏମିତି ଏକ ରେଲୱେ ଷ୍ଟେସନ ଦେଖାଇବୁ ଯାହା ହୁଏତ ଆପଣ ଆଗରୁ କେବେ ବି ଦେଖି ନଥିବେ । କାରଣ ରେଲୱେ ଷ୍ଟେସନରେ ଏଭଳି ଅତ୍ୟାଧୁନିକ ସେବା ଦେଶରେ କେଉଁଠି ବି ନାହିଁ । ତଳେ ରେଲୱେ ଷ୍ଟେସନ ଆଉ ଉପରେ ୫ ଷ୍ଟାର ହୋଟେଲ । ଆଉ ଏହି ହୋଟେଲକୁ ଦେଖିଲେ ଆପଣଙ୍କ ଆଖି ଝଲସି ଉଠିବ ।

ଗୁଜୁରାଟ ଗାନ୍ଧୀନଗର ଏହି ରେଲୱେ ଷ୍ଟେସନକୁ, ଏହି ଷ୍ଟେସନରେ ଏବେ ମୁଖ୍ୟ ଆକର୍ଷଣ ପାଲଟିଛି ୫ ଷ୍ଟାର ହୋଟେଲ । ଆଉ ଏହି ୫ ଷ୍ଟାର ହୋଟେଲରେ ଗ୍ରାହକଙ୍କ ପାଇଁ ଉନ୍ନତ ସେବା ମଧ୍ୟ ରହିଛି । ଏହି ହୋଟେଲରେ ପ୍ରାର୍ଥନା ରୁମ ଓ ବେବି ଫିଡିଙ୍ଗ ରୁମ ମଧ୍ୟ ରହିଛି । ଏହି ହୋଟେଲରେ ପ୍ରାୟ ୩୦୦ ରୁମ ରହିଛି । ସବୁଠାରୁ ଖାସ କଥା ହେଉଛି ରେଲୱେ ଷ୍ଟେସନ ଉପରେ ତିଆରି ହୋଇଥିବା ଏହି ହୋଟେଲ ଗାନ୍ଧୀ ନଗରର ସବୁଠାରୁ ଉଚ୍ଚା ବିଲ୍ଡିଂ । ଆଉ ଏହି ବିଲ୍ଡି ଉପରୁ ଗାନ୍ଧୀ ନଗର, ମହାତ୍ମା ମନ୍ଦିର ଓ ବିଧାନସଭାକୁ ଗୋଟିଏ ଲାଇନରେ ଦେଖିବାର ମଜା ନେଇ ପାରିବେ ଲୋକେ ।

ସବୁଠାରୁ ବଡ କଥା ହେଉଛି ଏହି ହୋଟେଲ ରେଲୱେ ଷ୍ଟେସନ ଉପରେ ତିଆରି ହୋଇଛି, ଆଉ ଟ୍ରେନରେ ଆସୁଥିବା ଯାତ୍ରୀ ମାନଙ୍କ ପାଇଁ ଷ୍ଟେସନ ଭିତରୁ ହୋଟେଲକୁ ଯିବାର ସୁବିଧା ରହିଛି । ସେହିପରି ହୋଟେଲର ମୁଖ୍ୟ ପ୍ରବେଶ ଦ୍ୱାର ପାଖରେ ଲିପ୍ଟ ଓ ଏସ୍କାଲାଟୋର ଲଗାଯାଇଛି । ଯାହା ଦ୍ୱାରା ଲୋକମାନେ ପ୍ଲାଟଫର୍ମରେ ପହଞ୍ଚିବାକୁ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ଏହାସହ ପ୍ରାଥମିକ ଚିକିତ୍ସା ପାଇଁ ଏଠାରେ ଏକ ହସ୍ପିଟାଲ ମଧ୍ୟ ନିର୍ମାଣ କରାଯାଇଛି ।

ଷ୍ଟେସନ ପରିସରରେ ତିଆରି ହୋଇଥିବା ଏହି ବିଲ୍ଡିଂରେ ଏଣ୍ଟ୍ରି ଗେଟ, ଟିକେଟ ବୁକିଂ, ଲିପ୍ଟ- ଏସ୍କାଲାଟୋର, ବୁକ ଷ୍ଟଲ ଓ ଫୁଡ ଷ୍ଟଲର ସୁବିଧା ମଧ୍ୟ ରହିଛି । ଏହାସହ ଷ୍ଟେସନ କାନ୍ଥରେ ଗୁଜୁରାଟର ବିଭିନ୍ନ ପାରମ୍ପରିକ ଚିତ୍ର ଅଙ୍କା ଯାଇଛି । ଆଉ ଷ୍ଟେସନ ଭିତରେ ଅଙ୍କା ଯାଇଥିବା ଅଯୋଦ୍ଧାର ରାମ ମନ୍ଦିର ଚିତ୍ର ଲୋକ ମାନଙ୍କୁ ବେଶି ଆକର୍ଷିତ କରୁଛି ।

୨୦୧୭ ମସିହାରେ ଗାନ୍ଧୀ ନଗର ରେଲୱେ ଷ୍ଟେସନର ପୁନଃ ନିର୍ମାଣ କାମ ଆରମ୍ଭ ହୋଇଥିଲା । ଆଉ ଏବେ ଏହି କାମ ପୂରା ହୋଇଛି । ଗୁଜୁରାଟ ସରକାରଙ୍କ ସୂଚନା ଅନୁସାରେ ଜୁଲାଇ ୧୬ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଷ୍ଟେସନର ଉଦଘାଟନ କରିବେ । ଆଉ ଏହାପରେ ଯାତ୍ରୀମାନେ ଏଭଳି ଏକ ଅତ୍ୟାଧୁନିକ ରେଲୱେ ଷ୍ଟେସନର ସୁବିଧା ପାଇପାରିବେ ।