କରୋନାକୁ ମାତ୍ ଦେବାପାଇଁ ଜାରି ରହିଛି ବୈଜ୍ଞାନିକଙ୍କ ପ୍ରୟାସ । ହରିଆଣା ଓ ପୁଣେରେ ଦେଶୀ କରୋନା ଟିକାର ମାନବ ପରୀକ୍ଷଣ ଆରମ୍ଭ । ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭ୍ୟାକ୍ସିନର ହ୍ୟୁମାନ ଟ୍ରାଏଲ ଆରମ୍ଭ

386

କନକ ବ୍ୟୁରୋ: ଲଣ୍ଡନର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ, ଆମେରିକା, ଋଷିଆ ଓ ଚୀନ କରୋନା ଟିକାର ମାନବ ପରୀକ୍ଷଣ ଆରମ୍ଭ କରିଦେଇଥିବା ବେଳେ ଆମ ଦେଶରେ ମଧ୍ୟ ଭାରତ ବାୟୋଟେକ୍ କମ୍ପାନୀ, କୋଭାକ୍ସିନ ଟିକାର ମାନବ ପରୀକ୍ଷଣ ଆରମ୍ଭ କରିଛି । ଆଜି ହରିଆଣାରେ ୩ ଜଣଙ୍କ ଦେହରେ ଏହି ଟିକା ପ୍ରୟୋଗ କରାଯାଇଛି । ଏହି ସପ୍ତାହରେ ପାଟଣାର ଏମ୍ସରେ ମଧ୍ୟ ମାନବ ପରୀକ୍ଷଣ କରାଯାଇଛି ।

ବିନା ପାଶ୍ୱର୍ ପ୍ରତିକ୍ରିୟାରେ ସଫଳ ପରୀକ୍ଷଣ । ମଣିଷ ଉପରେ କରୋନା ଟୀକା କୋଭାକସିନର ହ୍ୟୁମାନ ଟ୍ରାଏଲ ଆରମ୍ଭ ହୋଇଯାଇଛି । ରୋହତକର ପୋଷ୍ଟଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସେସରେ ଏହି ପରୀକ୍ଷଣ କରାଯାଉଛି । ମଣିଷ ଉପରେ ଏହି କ୍ଲିନିକାଲ ଟ୍ରାଏଲର ଏହା ପ୍ରଥମ ପର୍ଯ୍ୟାୟ ବୋଲି କୁହାଯାଉଛି । ୩ଜଣ ଭଲ୍ୟୁଂଟରଙ୍କ ଶରୀରରେ ଏହି ପରୀକ୍ଷଣ ହୋଇଥିଲା । ଏବଂ ବିନା ପାଶ୍ୱର୍ ପ୍ରତିକ୍ରିୟାରେ ସେମାନେ ଏହାକୁ ସହ୍ୟ କରିନେଇଥିବା ଜଣାପଡିଛି ।

ସିନିଅର ପ୍ରଫେସର ଧ୍ରୁବ ଚୌଧୁରୀଙ୍କ ସୂଚନା ଅନୁସାରେ, ୮ଜଣ ଭଲ୍ୟୁଂଟରଙ୍କ ସ୍ୱାସ୍ଥ୍ୟପରୀକ୍ଷା ପରେ ୩ଜଣଙ୍କ ଠାରେ ପରୀକ୍ଷା ପାଇଁ ନିଷ୍ପତି ହୋଇଥିଲା । ସେମାନଙ୍କ ଲିଭର ଠିକ ସେ କାମ କରୁଛି କି ନାହିଁ ଏବଂ କୌଣସି ଇନଫେକସନ ଅଛି କି ନାହିଁ, ଏହା ଜାଣିବା ପରେ ୩ଜଣ ଭଲ୍ୟୁଂଟରଙ୍କୁ ଦିଆଯାଇଥିଲା ଏହି ଟୀକା । ତେବେ ଟିକା ଦେବା ପରେ ପ୍ରାୟ ୨ ଘଂଟା ପାଇଁ ସେମାନଙ୍କୁ ଅବଜରଭେସନରେ ରଖାଯାଇଥିଲା । ଆଗାମୀ ୨୪ରୁ ୪୮ ଘଂଟା ମଧ୍ୟରେ ସେମାନଙ୍କ ଠାରେ ଆଉ କଣ ପ୍ରତିକ୍ରିୟା ଦେଖାଯାଉଛି ତା ଉପରେ ମଧ୍ୟ ନଜର ରଖାଯାଇଛି । ସିନିଅର ପ୍ରଫେସର ଧ୍ରୁବ ଚୌଧୁରୀ କହିଛନ୍ତି, ପଶୁମାନଙ୍କ ଉପରେ ଏହି ଟିକାର ସଫଳ ପରୀକ୍ଷଣ ହୋଇସାରିଛି । ତେବେ ମଣିଷ ଉପରେ ଚାଲିଥିବା କ୍ଲିନିକାଲ ଟ୍ରାଏଲର ପ୍ରକ୍ରିୟା ପାଇଁ ୬ମାସ ସମୟ ଲାଗିବ ।

ହରିଆଣା ସ୍ୱାସ୍ଥ୍ୟ ମନ୍ତ୍ରୀ ଅନିଲ ଭିଜ ଟ୍ୱିଟ କରି କହିଛନ୍ତି, କୋଭାକସିନର ପରୀକ୍ଷଣ ୩ଜଣଙ୍କ ଉପରେ ହୋଇଛି, ସମସ୍ତେ ଏହାକୁ ସହ୍ୟ କରିନେଇଛନ୍ତି ଏବଂ ସେମାନଙ୍କ ଠାରେ କୌଣସି ପାଶ୍ୱର୍ ପ୍ରତିକ୍ରିୟା ଦେଖାଯାଇନାହିଁ ।  ତେବେ ୨ ଦିନ ପୂର୍ବରୁ ପାଟନାର ଏମସରେ ମଧ୍ୟ କୋଭାକସିନର ହ୍ୟୁମାନ ଟ୍ରାଏଲ ଆରମ୍ଭ ହୋଇଥିଲା । ୧୦ଜଣ ଭଲ୍ୟୁଂଟରଙ୍କ ଠାରେ ଏହାର ପ୍ରଥମ ଡୋଜ ଦିଆଯାଇଛି । ୧୪ଦିନ ବିଶ୍ରାମ ପରେ ଦ୍ୱିତୀୟ ଡୋଜ ଦିଆଯିବ । ଏହାର କଣ ରହିଛି ପାଶ୍ୱର୍ ପ୍ରତିକ୍ରିୟା ତା ଉପରେ ମଧ୍ୟ ନଜର ରଖାଯାଇଛି ।