ରାଜ୍ୟରେ କମୁଛି ପ୍ରଜନନ ହାର : ପୂର୍ବ ତୁଳନା କମ୍ ପିଲା ଜନ୍ମ ଦେଉଛନ୍ତି ମହିଳା

ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ-୫ର ରିପୋର୍ଟରୁ ସାମନାକୁ ଆସିଲା ତଥ୍ୟ ; ବିଶେଷଜ୍ଞଙ୍କ ମତ ଟିଏଫଆର କମିବା ଭଲ ଖବର

787

କନକ ବ୍ୟୁରୋ : ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଉଛି ପ୍ରଜନନ ହାର । ପୂର୍ବ ତୁଳନାରେ ମହିଳାମାନେ କମ୍ ପିଲା ଜନ୍ମ ଦେଉଛନ୍ତି । ଗତ ୫ ବର୍ଷ ଭିତରେ ଏହା ଶୂନ ଦଶମିକ ୩ ପଏଂଟ ହ୍ରାସ ପାଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ କରାଯାଇଥିବା ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ-୫ରୁ ଏଭଳି ତଥ୍ୟ ସାମନାକୁ ଆସିଛି । ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ୨୦୧୫-୧୬ରେ ରାଜ୍ୟରେ ପ୍ରଜନନ ହାର ୨ଦଶମିକ ୧ ଥିବାବେଳେ ୨୦୨୦-୨୧ରେ ଏହା ୧ ଦଶମିକ ୮ ପ୍ରତିଶତକୁ ଖସି ଆସିଛି ।

ତେବେ ସହରାଂଚଳ ଅପେକ୍ଷା ଗ୍ରାମାଂଚଳରେ ମହିଳାଙ୍କ ପ୍ରଜନନ କ୍ଷମତା କିଛି ପରିମାଣରେ ଅଧିକ ରହିଛି । ସହରାଂଚଳରେ ଏହା ୧ଦଶମିକ ୫ପ୍ରତିଶତ ଥିବାବେଳେ ଗ୍ରାମାଂଚଳରେ ୧ ଦଶମିକ ୯ପ୍ରତିଶତ ରହିଛି । ଅର୍ଥାତ ରାଜ୍ୟର ୫ଜଣ ମହିଳା ଏବେ ୯ ଜଣ ଶିଶୁଙ୍କୁ ଜନ୍ମ ଦେଉଛନ୍ତି । ଆଜିକାଲି ଦମ୍ପତିଙ୍କ ଭିତରେ ଜନସଂଖ୍ୟା ବୃଦ୍ଧିକୁ ନେଇ ସଚେତନତା, ପରିବାର ନିୟୋଜନ ପାଇଁ ବିଭିନ୍ନ ପଦ୍ଧତି ଆପଣାଇବା କାରଣରୁ ମୋଟ ପ୍ରଜନନ ହାର ବା ଟିଏଫଆର କମ୍ ହେଉଥିବା ଏହି ରିପୋର୍ଟରେ କୁହାଯାଇଛି ।

ଏହା ଏକ ଭଲ ସଂକେତ ବୋଲି କହିଛନ୍ତି ସନ୍ତାନ ଫର୍ଟିଲିଟିର ସିଇଓ ରାଘବ ପ୍ରସାଦ ପଣ୍ଡା । କହିଛନ୍ତି ବିକଶିତ ରାଷ୍ଟ୍ରମାନଙ୍କରେ ଲୋକଙ୍କ ଟିଏଫଆର କମ୍ ରହିଥାଏ । ଆଉ ଆମେ ସେହି ଦିଗରେ ଗତିରେ କରୁଛି । ଜଣେ ମହିଳା ନିଜ ପ୍ରଜନନ ବୟସ ଭିତରେ ଯେତିକି ସଂଖ୍ୟକ ଶିଶୁଙ୍କୁ ଜନ୍ମ ଦେଇଥାନ୍ତି ତାହାକୁ ଟିଏଫଆର ବୋଲି କୁହାଯାଏ ।

ରାଜ୍ୟରେ ପ୍ରଜନନ ହାର କମିବା ସହ ରାଜ୍ୟରେ ମାତୃ ଓ ଶିଶୁ ମୃତ୍ୟୁ ହାର ବି ହ୍ରାସ ପାଉଛି । ଏନଏଚଏଫଏସ ରିପୋର୍ଟ ଅନୁସାରେ ୨୦୧୫-୧୬ରେ ରାଜ୍ୟରେ ପ୍ରତି ୧ଲକ୍ଷ ପ୍ରସବରେ ମୃତ୍ୟୁ ସଂଖ୍ୟା ୧୬୮ ଥିବାବେଳେ ୨୦୧୬-୧୮ରେ ଏହା ୧୫୦କୁ ହ୍ରାସ ପାଇଥିଲା । ୨୦୧୯ରେ ଏହା ୧୦୭କୁ ଖସି ଆସିଥିଲା । ସେହିପରି ୧୯୯ରେ ପ୍ରତି ୧ହଜାର ନବଜାତକଙ୍କ ମଧ୍ୟରୁ ୯୦ ଶିଶୁ ପ୍ରାଣ ହରାଉଥିଲେ । କିନ୍ତୁ ୨୦୧୮ ବେଳକୁ ଏହା ୪୦କୁ ହ୍ରାସ ପାଇଛି ।

୨୦୨୦-୨୧ ଶିଶୁ ମୃତ୍ୟୁ ସଂଖ୍ୟା ହାର ପ୍ରତି ହଜାରେ ଜନ୍ମରେ ୩୬ ଦଶମିକ ୩ ରହିଛି । ୨୦୧୫-୧୬ରେ ଏହା ୩୯ ଦଶମିକ ୬ ଥିଲା । ସେହିପରି ୨୦୨୦-୨୧ରେ ନବଜାତ ମୃତ୍ୟୁ ହାର ପ୍ରତି ହଜାରରେ ୨୭ ରହିଥିବାବେଳେ ୨୦୧୫-୧୬ରେ ଏହା ୨୮ଦଶମିକ ୨ ଥିଲା । ଶିଶୁ ଓ ମାତୃ ମୃତ୍ୟୁ ହାର କମିବା ପଛରେ ଜନନୀ ସୁରକ୍ଷା ଯୋଜନାର ବଡ ଭୂମିକା ଥିବା କୁହାଯାଉଛି । ସେହିପରି ଓଡ଼ିଶା ଶିଶୁ ଟିକାକରଣ ଓ ପୋଷଣରେ ଆଗୁଆ ରହିଛି ।