କନକ ବ୍ୟୁରୋ : ତୃତୀୟ ଲହରରେ ପ୍ରଥମ ପାଇଁ କମିଲା ସାପ୍ତାହିକ ସଂକ୍ରମଣ ହାର । ଜାନୁଆରୀ ୨୪ରୁ ୩୦ ମଧ୍ୟରେ ଦେଶରେ ୧୭ ଲକ୍ଷ ୫୦ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକି ଗତ ସପ୍ତାହ ତୁଳନାରେ ୧୯ ପ୍ରତିଶତ କମ୍ । ପୂର୍ବ ସପ୍ତାହ ଅର୍ଥାତ୍ ୧୭ରୁ ୨୩ ତାରିଖ ମଧ୍ୟରେ ୨୧ ଲକ୍ଷ ୭୦ ହଜାର ମାମଲା ଆସିଥିଲା । ଯାହାକି ତୃତୀୟ ଲହରରେ ସର୍ବାଧିକ ଥିଲା । ସେହିପରି ଏହି ସପ୍ତାହରେ କରୋନା ଟେଷ୍ଟିଂ ମଧ୍ୟ କମ୍ ହୋଇଛି । ପ୍ରଥମ ୭ ଦିନ ତୁଳନାରେ ୧୦ ପ୍ରତିଶତ କମ୍ ଟେଷ୍ଟ ହୋଇଛି ।

Advertisment

ଫଳରେ ସାପ୍ତାହିକ ଟେଷ୍ଟ ପଜିଟିଭି ରେଟ୍ ୧୫ ଦଶମିକ ୬୮ ପ୍ରତିଶତକୁ ଖସି ଆସିଛି । ପୂର୍ବ ସପ୍ତାହରେ ଟେଷ୍ଟ ପଜିଟିଭି ରେଟ୍ ଥିଲା ୧୭ ଦଶମିକ ୨୮ ପ୍ରତିଶତ । ସବୁଠୁ ବଡ଼ କଥା ହେଉଛି ସାପ୍ତାହିକ ସଂକ୍ରମଣ କମିଥିଲେ ବି ମୃତ୍ୟୁ ହାର ବୃଦ୍ଧି ପାଇଛି । ଦେଶରେ କରୋନା ମୃତ୍ୟୁ ହାର ଗତ ସପ୍ତାହ ତୁଳନାରେ ୪୧ ପ୍ରତିଶତକୁ ବୃଦ୍ଧି ପାଇଛି । ଜାନୁଆରୀ ୨୪ରୁ ୩୦ ମଧ୍ୟରେ ଦେଶରେ ୩ ହଜାର ୭୭୦ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଗତ ସପ୍ତାହରେ ଏହି ସଂଖ୍ୟା ଥିଲା ୨ ହଜାର ୬୮୦ । ଏବେ ଦେଶରେ ଲଗାତର କରୋନା ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି ।