ଦେଶରେ ବଢି ଚାଲିଛି କରୋନା ସଂକ୍ରମଣ: ଆଜି ୩୦ ଲକ୍ଷ ସୀମା ପାର କରିବ ଆକ୍ରାନ୍ତଙ୍କ ସଂଖ୍ୟା; ମାତ୍ର ୧୬ ଦିନରେ ନୂଆ ଦଶ ଲକ୍ଷ ଚିହ୍ନଟ

ସେପଟେ ବିଶ୍ୱରେ ୨ ବର୍ଷ କାୟା ବିସ୍ତାର କରିବ କରୋନା, କହିଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ

116

କନକ ବ୍ୟୁରୋ: ଗତକାଲି ଗୋଟିଏ ଦିନରେ ୬୮ ହଜାର ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଜି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦ ଲକ୍ଷ ଛୁଇଁବା ଆଶଙ୍କା ବଢିଛି । ହିସାବ ଅନୁସାରେ ଆଉ ମାତ୍ର ୩୦ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହେଲେ ଭାରତ ୩୦ଲକ୍ଷ ଆକ୍ରାନ୍ତ ସଂଖ୍ୟା ଟପିବ । ବିଶ୍ୱରେ କରୋନା ସଂକ୍ରମଣ ସଂଖ୍ୟାରେ ତୃତୀୟ ରହିଥିବା ଭାରତ ଆଉ ଏକ ଅନାବଶ୍ୟକ ମାଇଲଖୁଂଟ ପ୍ରତିଷ୍ଠା କରିବାକୁ ଯାଉଛି । ଯଦି ଆଜି କରୋନା ମିଟର ୩୦ଲକ୍ଷ ଛୁଉଁଛି, ତେବେ ଦେଶରେ ୨୦ ଲକ୍ଷରୁ ୩୦ ଲକ୍ଷ ଆସିବାକୁ ମାତ୍ର ୧୬ ଦିନ ସମୟ ହେବ । ଅନ୍ୟ ଦୁଇ ଶୀର୍ଷ ଦେଶ ଆମେରିକା ଓ ବ୍ରାଜିଲ ତୁଳନାରେ ଏହି ଦିନ ସବୁଠୁ କମ୍ । ଅର୍ଥାତ୍ ସଂକ୍ରମଣ ଅଧିକ ବଢିଛି ଭାରତରେ ।

ହିସାବ ଅନୁସାରେ ୨୦ ଲକ୍ଷରୁ ୩୦ ଲକ୍ଷ ଆକ୍ରାନ୍ତ ସଂଖ୍ୟା ଛୁଇଁବାକୁ ବ୍ରାଜିଲକୁ ୨୩ ଦିନ ଲାଗିଥିବା ବେଳେ ଆମେରିକା ଲାଗିଥିଲା ୨୮ ଦିନ । କିନ୍ତୁ ଭାରତ କ୍ଷେତ୍ରରେ ଏହା ମାତ୍ର ୧୬ ଦିନ ରହିଛି । ଅନ୍ୟପଟେ ପ୍ରଥମ ୧୦ ଲକ୍ଷ ସଂକ୍ରମଣ ହେବାକୁ ଭାରତରେ ସବୁଠାରୁ ଅଧିକ ୧୩୮ ଦିନ ଲାଗିଥିଲା । ଏହି ସଂଖ୍ୟକ ଆକ୍ରାନ୍ତ ପାଇଁ ଆମେରିକାକୁ ୯୮ ଦିନ ଲାଗୁଥିବା ବେଳେ ବ୍ରାଜିଲକୁ ଲାଗିଥିଲା ୧୧୪ ଦିନ । କିନ୍ତୁ ଧିରେ ଧିରେ ଭାରତରେ ସଂକ୍ରମଣ ଅଧିକ ତୀବ୍ର ହେବାରେ ଲାଗିଲା । ତଥାପି ଅନ୍ୟ ଦୁଇ ଦେଶ ତୁଳନାରେ ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବେଶ୍ କମ୍ । ବ୍ରାଜିଲ ଓ ଆମେରିକାରେ ୩୦ ଲକ୍ଷ ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷରୁ ଅଧିକ ରହିଛି ।

ପରିସଂଖ୍ୟାନ ଅନୁସାରେ ଭାରତରେ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ଛୁଇଁଛି । ଶେଷ ଏକ ଲକ୍ଷ ଆକ୍ରାନ୍ତ ପାଇଁ ୧୫ ଦିନ ସମୟ ଲାଗୁଥିଲା । କିନ୍ତୁ ୫ ଲକ୍ଷରୁ ୬ ଲକ୍ଷ ସକ୍ରିୟ ଆକ୍ରାନ୍ତ ଚିହ୍ନଟ ହେବା ପାଇଁ ମାତ୍ର ୯ ଦିନ ସମୟ ଲାଗିଥିଲା । ତେବେ ସକ୍ରୀୟ ଆକ୍ରାନ୍ତ ବୃଦ୍ଧି ହାର କମିବା ପଛରେ ଅଧିକ୍ ସୁସ୍ଥ ହାର ଦାୟୀ । ଅନ୍ୟପଟେ ଏବେ ବି ଭାରତ ତାର ସବୁଠାରୁ ଅଧିକ ସଂକ୍ରମଣ ସ୍ଥିତିକୁ ପହଂଚି ନାହିଁ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।