କନକ ବ୍ୟୁରୋ: ଭାରତର କରୋନା ସ୍ଥିତିକୁ କେମିତି ଦେଖୁଛନ୍ତି ଅନ୍ତର୍ଜାତୀୟ ଗଣମାଧ୍ୟମ । ଆପଣଙ୍କ ମନରେ ବି ଏହି ପ୍ରଶ୍ନ ଆସୁଥିବ । ଭାରତୀୟ ଗଣମାଧ୍ୟମ ଠାରୁ ବିଦେଶୀ ଗଣମାଧ୍ୟମ ଗୁଡିକ , ଭାରତର କରୋନା ଚିତ୍ରକୁ ଅତି ସାଂଘାତିକ ଭାବେ ଖବର କରୁଛନ୍ତି । ବିଦେଶୀ ମିଡିଆର ରିପୋର୍ଟିଂ ଦେଖିଲେ ଆପଣ ସହଜରେ ବୁଝିପାରିବେ , ଦେଶରେ ବର୍ତମାନ କରୋନା ସ୍ଥିତି କଣ, ଏହାର ମୁକାବିଲା କରିବାରେ ଭାରତ ରହିଛି କିପରି ସ୍ଥିତିରେ ।
ଗୋଟି ଗୋଟି କରି ଜଳୁଛି କୋଭିଡ ସଂକ୍ରମଣରେ ମୃତକଙ୍କ ଜୁଇ । କିଛି ଜଳୁଛି , କିଛି ପୁଣି ଦାହ ସଂସ୍କାର ପରେ ସେହି ସ୍ଥାନରେ ଆଉ ଗୋଟିଏ ଶବକୁ ଦାହ କରିବା ପାଇଁ ବ୍ୟବସ୍ଥା କରୁଛନ୍ତି । ଆଉ କିଛି ସ୍ଥାନରେ ଶବ ଦାହ ପାଇଁ ହୋଇ ସାରିଛି ପ୍ରସ୍ତୁତି । ଜୁଇରେ ସଜେଇ ହୋଇ ରହିଛି କାଠ, ତା ଉପରେ ଲଦା ରହିଛି ଶବ । କେବଳ ଅଗ୍ନି ସଂଯୋଗକୁ ଅପେକ୍ଷା ।
ଦିଲ୍ଲୀ ଗାଜିପୁର ଶ୍ମାଶାନର ଏ ନିତି ଦିନିଆ ଦୃଶ୍ୟ । ପ୍ରତି ଦିନ ଜଳୁଛି ଜୁଇ । ଏ ଚିତ୍ର ହିଁ ବୟାନ କରୁଛି ଭାରତର ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣର ବାସ୍ତବତା , କରୋନା ମୃତକଙ୍କ ସଂଖ୍ୟା କେମିତି ରହୁଛି । ଗାଜିପୁର ଶ୍ମଶାନ ଭିତରେ ଯେତିକି ଶବ ଦାହ ଚାଲିଛି, ବାହାରେ ଆଂବୁଲାନ୍ସରେ ଅପେକ୍ଷା କରି ରହିଛନ୍ତି ଆହୁରି ଶବ । ଏସବୁ ଭିତରେ କରୋନା ସଂକ୍ରମଣରେ ପରିଜନଙ୍କୁ ହରାଇଥିବା ଲୋକଙ୍କ ମାନସିକ ଅବସ୍ଥା କେମିତି ରହୁଥିବ ଚିନ୍ତାକରନ୍ତୁ । ଏହାକୁ ଦେଖିବା ପରେ ଆପଣଙ୍କ ମନ ବ୍ୟସ୍ତ ହେବ ଯେତିକି, ରାଗ ବି ଲାଗିବ ସେତିକି ।
ଏ ତ ଥିଲା ଭାରତର କରୋନା ସଂକ୍ରମଣର ଚିତ୍ର । ଏବେ ଆସନ୍ତୁ ନଜର ପକାଇବା ଅନ୍ତର୍ତାଜୀୟ ଗଣମାଧ୍ୟମ ସବୁ କିପରି ରିପୋର୍ଟିଂ କରୁଛନ୍ତି , ଭାରତର କରୋନା ସ୍ଥିତିକୁ । ନ୍ୟୁୟର୍କ ଟାଇମସ, ଦି ଗାର୍ଡିଆନ୍, ଗ୍ଲୋବାଲ ଟାଇମସରେ ଅନେକ ଲେଖା ପ୍ରକାଶ ପାଉଛି ପ୍ରତିଦିନ । ଏହାରି ଭିତରେ ସାମ୍ନାକୁ ଆସୁଛି ଦେଶର କରୋନା ପରିସ୍ଥିତିର ବାସ୍ତବତା କଣ ।
ନ୍ୟୁୟର୍କ ଟାଇମସରେ ଭାରତର କରୋନା ସ୍ଥିତିକୁ ନେଇ ପ୍ରକାଶ ପାଇଛି ଖବର । ଭାରତର ଏକ ଶ୍ମଶାନରେ ଗୋଟିଏ ସ୍ଥାନରେ ସଜା ହୋଇ ରହିଛି ୫୦ରୁ ଅଧିକ ଜୁଇ । ଏହି ଫଟୋକୁ ଛାପି , ମୃତ୍ୟୁ ହିଁ ଏକମାତ୍ର ସତ ବୋଲି ଉଲ୍ଲେଖ କରିଛି ନ୍ୟୁୟର୍କ ଟାଇମ୍ସ । ଆଗରେ ପରିଜନଙ୍କ ଚିତା । ନିକଟରେ ମୁହଁରେ ମାସ୍କ ଓ ହାତରେ ଜୁଇରେ ଲଗାଇବାକୁ ନିଆଁ ଧରି ଉପସ୍ଥିତ ରହିଛନ୍ତି ଆତ୍ମୀୟ ।
ନ୍ୟୁୟର୍କ ଟାଇମସରେ ପ୍ରକାଶିତ ହୋଇଥିଲା ଏକ ଫଟୋ । ଏହି ଫୋଟ ଥିଲା ଗାଜିପୁରର ଗୋଟିଏ ପାର୍କିଂ ସ୍ଥଳର । ହେଲେ ଏଠାରେ କରାଯାଉଛି ଶବ ଦାହ । ଜୁଇ ପାଖରେ ଠିଆ ହୋଇଥିବା ମହିଳା ହେଉଛନ୍ତି ମନସ୍ତତ୍ୱବିତ୍୍ ମାଳବିକା ପାରେଖ । ଆଗରେ କପଡା ଗୁଡେଇ ରଖା ଯାଇଛି ବାପାଙ୍କ ଶବ । ଦାହ ସଂସ୍କାର ପାଇଁ ସାଥୀରେ ଯେଉଁମାନେ ଆସିଥିଲେ ଅସୁସ୍ଥ ଅନୁଭବ କରିବାରୁ ସେମାନେ, ଯାଇଛନ୍ତି ଡାକ୍ତରଖାନା । ଏବେ ମଶାଣୀରେ ଏକାକି ମାଳବିକା ।
ଦି ଗାର୍ଡିଆନ୍ ଭାରତର କରୋନା ସ୍ଥିତିକୁ କିଛି ଏପରି ରିପୋର୍ଟିଂ କରିଛି । ଏ ଦୃଶ୍ୟକୁ ଦେଖିଲେ ଆପଣଙ୍କୁ ଦୁଃଖ ଲାଗିବ ଯେତିକି, ରାଗ ବି ଲାଗିବ ସେତିକି । ଗତ ଶୁକ୍ରବାର ଦିଲ୍ଲୀରେ ୩୯୫ କୋରନା ମୃତ୍ୟୁ ରିପୋର୍ଟ ହେବା ପରେ ମଶାଣୀରେ କିଛି ଏପରି ଚିତ୍ର ଦେଖିବାକୁ ମିଳିଥିଲା । ଏପଟେ ଜୁଇ ଜଳୁଥିଲା. ସେପଟେ ଅନ୍ତିମ ସଂସ୍କାର ପାଇଁ ବୁହା ଚାଲିଥିଲା ଶବ । ଆଉ କେଉଁଠି ଜୁଇକୁ ଯିବାକୁ ଅପେକ୍ଷା କରିଥିଲା ଶବ । ଆମେ କେହି ସ୍ୱତନ୍ତ୍ର ନୁହଁ ବୋଲି ରିପୋର୍ଟ କରିଛି ଗାର୍ଡିଆନ୍ । ଏହା ସହିତ ଭାରତରେ କରୋନା ମୁକାବିଲାର ନୀତି ନିର୍ଧାରଣ କରୁଥିବା ସରକାରଙ୍କୁ ବି ସମାଲୋଚନା କରିଛି ଦି ଗାର୍ଡିଆନ୍ ।
ଭାରତର ପଡୋଶୀ ଚୀନ ର ମୁଖପତ୍ର ଗ୍ଲୋବାଲ ଟାଇମସ୍ ମଧ୍ୟ ଭାରତର କରୋନା ସ୍ଥିତିକୁ ନେଇ ରିପୋର୍ଟ ପ୍ରକାଶ କରିଛି । କୁମ୍ଭମେଳାର ଫଟୋକୁ ନେଇ କିଛି ଦିନ ଆଗରୁ ରିପୋର୍ଟ କରିଥିଲା ଗ୍ଲୋବାଲ ଟାଇମସ୍ । ଉଲ୍ଲେଖ କରିଥିଲା ସ୍ଥିତିକୁ ଚାରିଆଡୁ ମୁକାବିଲା ନକଲେ ଭୟଙ୍କର ହୋଇଯିବ । ଆଉ ଏବେ ଆମେରିକା ଭାରତର ବିମାନ ସେବା ଉପରେ କଟକଣା ଲଗାଇବାକୁ ନେଇ ଖବର ଛାପିଛି ।