ଦେଶରେ ଉପୁଜିପାରେ ବିଦ୍ୟୁତ ସଙ୍କଟ । କୋଇଲା ଅଭାବ ପାଇଁ କେନ୍ଦ୍ର ସରକାରଙ୍କୁ ସମସ୍ୟା ଜଣାଇଲେ ବିଭିନ୍ନ ରାଜ୍ୟର ମନ୍ତ୍ରୀ ।

183

କନକ ବ୍ୟୁରୋ : ଖୁବଶୀଘ୍ର ଭାରତରେ ଉପୁଜିପାରେ ବିଦ୍ୟୁତ ସଂକଟ । କାରଣ ଦେଶରେ ସରି ସରି ଆସୁଛି ଗଚ୍ଛିତ କୋଇଲି । କୋଇଲାର ସଂକଟ ପାଇଁ ଆଗକୁ ବିଦ୍ୟୁତ ସମସ୍ୟା ଉତ୍କଟ ହୋଇପାରେ ବୋଲି ଏବେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେଣି । କୋଇଲା ସଂକଟ ଯୋଗୁ ବିଦ୍ୟୁତ୍ ଯୋଗାଣ ଉପରେ ପ୍ରଭାବ ପଡିବା ଆରମ୍ଭ କଲାଣି ।

ଭାରତରେ କୋଇଲା ସଂକଟ ! ପ୍ରଭାବିତ ବିଦ୍ୟୁତ ସେବା । କୋଇଲା ସଂକଟ ପାଇଁ ସାରା ଦେଶରେ ଏବେ ବିଦ୍ୟୁତ ସେବା ପ୍ରଭାବିତ ହେବା ଆରମ୍ଭ କଲାଣି । ଯାହାକୁ ନେଇ ବିଭିନ୍ନ ରାଜ୍ୟ ସରକାରଙ୍କ ଚିନ୍ତା ବଢିବାରେ ଲାଗିଲାଣି । ରାଜସ୍ଥାନ, ମହାରାଷ୍ଟ୍ର, ଦିଲ୍ଲୀ, ବିହାର ସମେତ ଅନେକ ରାଜ୍ୟରେ ବିଦ୍ୟୁତ ଯୋଗାଣରେ ପ୍ରଭାବ ପଡିଥିବା ଦେଖିବାକୁ ମିଳୁଛି । ଫଳରେ ବିଭିନ୍ନ ରାଜ୍ୟ ସରକାର ଚିଠି ଲେଖି କୋଇଲା ସଂକଟକୁ ଯଥାଶୀଘ୍ର ସମାଧାନ କରିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜଣାଇଛନ୍ତି ।

ସେପଟେ ସାରା ଦେଶରେ ବିଦ୍ୟୁତ ଚାହିଦା ବୃଦ୍ଧି ଯୋଗୁ ବିଦ୍ୟୁତ ଦର ମହଙ୍ଗା ହେବାରେ ଲାଗିଛି । ବର୍ତମାନ ବିଦ୍ୟୁତ ଆବଶ୍ୟକତାକୁ ନେଇ ଖୋଲା ବଜାରରୁ ବିଦ୍ୟୁତ କିଣାଯାଉଛି । ବିଦ୍ୟୁତ୍ ଯୋଗାଉଥିବା ତାପଜ ବିଦ୍ୟୁତ୍ କମ୍ପାନୀ ପାଖରେ ଆବଶ୍ୟକ କୋଇଲା ନାହିଁ । ଫଳରେ ଆଗକୁ ସାରା ଦେଶରେ ବିଦ୍ୟୁତ ସମସ୍ୟା ଉତ୍କଟ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ହେଲେ ସେପଟେ ଏହାକୁ ନେଇ କେନ୍ଦ୍ର ଶକ୍ତି ମନ୍ତ୍ରୀ କହିଛନ୍ତି ଦେଶରେ ଆବଶ୍ୟକ ପରିମାଣର କୋଇଲା ମହଜୁଦ ଅଛି । ବିଦ୍ୟୁତ ବିତରଣ ନେଇ କୌଣସି ସମସ୍ୟା ହେବ ନାହିଁ । ଟାଟା ପାୱାର, ଗେଲ୍ ଏବଂ ଡିସକୋମ ଅଧିକାରୀଙ୍କୁ ନେଇ ବୈଠକ ପରେ ଏପରି ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ଭାରତରେ ୭୦ ପ୍ରତିଶତରୁ ଅଧିକ ବିଜୁଳି, କୋଇଲା ଉତ୍ପାଦିତ । ଭାରତରେ ପ୍ରବଳ ବର୍ଷା ଯୋଗୁଁ କୋଇଲା ଉତ୍ପାଦନ ବାଧାପ୍ରାପ୍ତ ହୋଇଛି । କରୋନା କାଳରେ ଉତ୍ପାଦନ ହ୍ରାସ ପାଇଥିଲା । ସ୍ଥିତିରେ ସୁଧାର ଆସୁଥିବା ବେଳେ ବଢ଼ିଛି କୋଇଲା ଚାହିଦା ।