ସୀମା ବିବାଦ ପ୍ରସଙ୍ଗରେ ଭାରତର ସ୍ପଷ୍ଟୋକ୍ତି । କଥାବାର୍ତା ହିଁ ସମାଧାନର ଏକମାତ୍ର ବିକଳ୍ପ । ବିଶେଷଜ୍ଞଙ୍କ ମତ, ଆଲୋଚନା ନାଁରେ ସମୟ ଗଡାଉଛି ଚୀନ, ବଢାଉଛି ସେନା ମୁତୟନ

130

କନକ ବ୍ୟୁରୋ : ଚୀନ-ଭାରତ ସୀମାରେ ଦେଖାଯାଇଥିବା ସମସ୍ୟାର ସମାଧାନ କେବଳ ଦ୍ୱିପାକ୍ଷିକ ଆଲୋଚନାରେ ସମ୍ଭବ । ଶାନ୍ତି ଫେରାଇ ଆଣିବା ପାଇଁ କେବଳ କଥାବାର୍ତା ହିଁ ବିକଳ୍ପ ବୋଲି ଚୀନକୁ କହିଛି ଭାରତ । ସୀମାରେ ଚାଲିଥିବା ଅଶାନ୍ତ ପରିବେଶ ପାଇଁ ଭାରତ ଚୀନକୁ ଦାୟୀ କରୁଥିବା ବେଳେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି, ଆନ୍ତରିକତାର ସହ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ । ଆସନ୍ତା ସପ୍ତାହରେ ଭାରତର ବୈଦେଶୀକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ମସ୍କୋ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ହେବାକୁ ଥିବା ଏସସିଓ ବୈଠକରେ ଚୀନ ବୈଦେଶିକ ବ୍ୟାପାର ମନ୍ତ୍ରୀ ୱାଙ୍ଗ ୟି ମଧ୍ୟ ଉପସ୍ଥିତ ରହିବେ ।

ପ୍ରଥମ ଥର ପାଇଁ ଏସ ଜୟଶଙ୍କର ଆସନ୍ତା ୧୦ ତାରିଖରେ ନିଜ ପ୍ରତିପକ୍ଷଙ୍କୁ ସାମ୍ନା ସାମ୍ନି ଭେଟିବେ । ତେବେ ଦୁଇ ମନ୍ତ୍ରୀଙ୍କ ମଧ୍ୟରେ ଆନୁଷ୍ଠାନିକ ବୈଠକ ହେବ କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ । ସୀମା ବିବାଦ ଚାଲିଥିବା ବେଳେ ଚୀନ ପ୍ରଶାସନ କଥାବାର୍ତା ନାଁରେ ସମୟ ଗଡାଇବା ସହ ଅଧିକ ସେନା ଠୁଳ କରୁଥିବା ବିଶେଷଜ୍ଞମାନେ ଅଭିଯୋଗ କରୁଛନ୍ତି । ଅନ୍ୟପଟେ ତିନି ଦଶନ୍ଧି ଧରି ଚାଲିଆସିଥିବା ଶାନ୍ତିପୂର୍ଣ୍ଣ ସହାବସ୍ଥାନକୁ ଚୀନ ଉଲ୍ଲଂଘନ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ସେପଟେ ଆମେରିକା ଭାରତ ପ୍ରସଙ୍ଗରେ ଚୀନକୁ ଦେଇଥିବା ବାର୍ତାର ଜବାବ ରଖିଛି ଚୀନ ।

ଦୁଇ ଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ସୀମା ବିବାଦର ସମାଧାନ ପାଇଁ ଉଭୟ ଚୀନ ଓ ଭାରତ ସକ୍ଷମ । ଏଥିରେ ତୃତୀୟ ଦେଶର କୌଣସି ଆବଶ୍ୟକତା ନାହିଁ । ଏଭଳି କାମ ଆଂଚଳିକ ଶାନ୍ତି ଓ ସ୍ଥିରତା ପାଇଁ ବିପଦ ସୃଷ୍ଟି କରିବା ବୋଲି ଗୁରୁବାର ଚୀନ ଦୂତାବାସ ପକ୍ଷରୁ କୁହାଯାଇଛି । ସେପଟେ ଚଳିତ ବର୍ଷ ଶେଷ ଆଡକୁ ଚତୁର୍ଦ୍ଦଶ ମନ୍ତ୍ରୀ ସ୍ତରୀୟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି ଏବଂ ଏହାକୁ ଚୀନ ସକରାତ୍ମକ ଭାବେ ଗ୍ରହଣ କରିବା ସମ୍ଭାବନା କମ୍ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ଏହି ମନ୍ତ୍ରୀ ସ୍ତରୀୟ ବୈଠକରେ ଭାରତ ସମେତ ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନର ପ୍ରତିନିଧି ସାମିଲ ହେବେ ।