ଆଖି ପିଛୁଳାକେ ଶତ୍ରୁର ଟ୍ୟାଙ୍କକୁ ଧ୍ୱଂସ କରିଦେବ ଭାରତର ଧୁବ୍ରାସ୍ତ୍ର । ଥରେ ଟାର୍ଗେଟ କଲେ ରକ୍ଷା ପାଇବନି ଶତ୍ରୁ ସେନାର ଲଢୁଆ ଟ୍ୟାଙ୍କ ।

376

କନକ ବ୍ୟୁରୋ : ସୀମାରେ ଚୀନ ସହ ଉତ୍ତେଜନାମୂଳକ ସ୍ଥିତି ପରେ ସେନାକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କରୁଛି ଭାରତ । ଲଢୁଆ ବିମାନ ଠାରୁ ଆରମ୍ଭ କରି ଶତ୍ରୂକୁ ସାବାଡ କରିବାକୁ ମିଜାଇଲ ଓ ଆଣ୍ଟି ମିଜାଇଲ ସେନାରେ ସାମିଲ କରାଯାଉଛି । ଆଉ ଏହି କ୍ରମରେ ଖୁବଶୀଘ୍ର ଭାରତୀୟ ସେନାକୁ ମିଳିବ ଆଉ ଏକ ନୂଆ ଅସ୍ତ୍ର ଧ୍ରୁବାସ୍ତ୍ର । ଆଉ ଏହି ମିଜାଇଲ ସାମିଲ ହେବା ପରେ ସୀମାରେ ସେନା ଆହୁରି ଶକ୍ତିଶାଳୀ ହୋଇଯିବ । କାରଣ ଏହି ମିସାଇଲ ସେନା ପାଇଁ ଏଭଳି କିଛି କାମ କରିବ ଯାହା ଶତ୍ରୁ ଶିବିରର ନିଦ ହଜାଇ ଦେବ ।

ମିଜାଇଲ ଧ୍ରୁବାସ୍ତ୍ର । ଟାର୍ଗେଟକୁ ପିଛା କରି ମାରିବାରେ ମାହିର । ଭାରତରେ ନିର୍ମିତ ଏହି ମିଜାଇଲ ଏବେ ସେନାର ଶକ୍ତି ବଢାଇବ । ଗତ ଜୁଲାଇ ୧୫-୧୬ରେ ଏହାର ସଫଳ ପରୀକ୍ଷଣ ହୋଇଛି । ଆଉ ଏହି ଘାତକ ମିସାଇଲକୁ ଖୁବ ଶୀଘ୍ର ସେନାକୁ ଦିଆଯିବ । ଧ୍ରୁବାସ୍ତ୍ର ମିଜାଇଲ ପୂର୍ବରୁ ନାଗ ମିଜାଇଲ ଭାବେ ଜଣାଶୁଣା । ଏହି ମିଜାଇଲ ସେକେଣ୍ଡ ପ୍ରତି ୨୩୦ ମିଟର ତଥା ଘଣ୍ଟାପ୍ରତି ୮୨୮ କିଲୋମିଟର ବେଗରେ ଗତି କରିବ । ଅର୍ଥାତ ଥରେ ମିଜାଇଲକୁ ଲକ କରିବା ମାତେ ଆଖି ପିଛୁଳାକେ ଶତ୍ରୁ ପକ୍ଷର ଲଢୁଆ ଟ୍ୟାଙ୍କକୁ ମାଟିରେ ମିଶାଇ ଦେବ ଧ୍ରୁବାସ୍ତ୍ର ।
ଧ୍ରୁବାସ୍ତ୍ର ୫୦୦ ମିଟରରୁ ୫ କିଲୋମିଟର ରେଞ୍ଜ ଭିତରେ ଥିବା ଶତ୍ରୁ ପକ୍ଷର ଟ୍ୟାଙ୍କକୁ ଧୂଳିସାତ୍ କରିବାରେ ସକ୍ଷମ । ଏହି ମିସାଇଲକୁ ଖୁବଶୀଘ୍ର ଧ୍ରୁବ ହେଲିକପ୍ଟରରେ ଲଗାଯିବ । ଯାହାଦ୍ୱାରା ଲଢୁଆ ହେଲିକ୍ଟପର ତାଲିକାରେ ଧ୍ରୁବ ସାମିଲ ହେବା ସହ ଆକାଶପଥରୁ ଶତ୍ରୁ ଶିବିର ଉପରେ ଆକ୍ରମଣ କରିପାରିବ । ଖରାପ ପାଗ ସହ ଦିନ ଓ ରାତିରେ ଟାର୍ଗେଟକୁ ଭେଦ କରିପାରିବ ଧ୍ରୁବାସ୍ତ୍ର ।

ଏହି ଘାତକ ମିଜାଇଲର ଓଜନ ପ୍ରାୟ ୪୫ କିଲୋଗ୍ରାମ ହୋଇଥିବା ବେଳେ ଏହାର ଲମ୍ବ ୬ ଫୁଟ ୧ ଇଞ୍ଚ ରହିଛି । ୭.୯ ଚଉଡା ବିଶିଷ୍ଟ ଧ୍ରୁବାସ୍ତ୍ର ମିଜାଇଲରେ ୮ କିଲୋ ବିସ୍ଫୋରକ ଭର୍ତ୍ତି କରି ଏହାକୁ ଆହୁରି ଘାତକ ମିସାଇଲ ଭାବେ ନିର୍ମାଣ କରାଯାଇପାରିବ । ଧ୍ରୁବାସ୍ତ୍ରରେ ଅତ୍ୟାଧୁନିକ ହିଟ ସେନ୍ସର ଲାଗିଛି ଯାହା ଶତ୍ରୁ ପକ୍ଷର ଟ୍ୟାଙ୍କର ଉତ୍ତାପକୁ କ୍ୟାପଚର କରିବା ସହ ଦିଗ ବଦଳାଇ ନିର୍ଦ୍ଧାରିତ ଟାର୍ଗେଟକୁ କ୍ଷଣିକରେ ଧ୍ୱଂସ କରିପାରେ । ଧ୍ରୁବାସ୍ତ୍ର ମିଜାଇଲର ସଫଳ ପରୀକ୍ଷଣ ଡିଆରଡିଓ ଓ ସେନା ପାଇଁ ସବୁଠୁ ବଡ ଉପଲବ୍ଧି । ସବୁଠୁ ବଡ କଥା ହେଲା, ଧ୍ରୁବାସ୍ତ୍ରର ସଫଳ ପରୀକ୍ଷଣ ପରେ ଆଣ୍ଟି ଟ୍ୟାଙ୍କ ଗାଇଡେଡ ମିସାଇଲ ପାଇଁ ଅନ୍ୟ ଦେଶ ଉପରେ ଆଉ ଭାରତକୁ ନିର୍ଭର କରିବାକୁ ପଡିବନି । ଗୋଟିଏ ପଟେ ସୀମାରେ ଚୀନ ହରକତ କରୁଥିବା ବେଳେ ଧ୍ରୁବାସ୍ତ୍ରର ସଫଳ ପରୀକ୍ଷଣ ଭାରତୀୟ ସେନା ପାଇଁ ବରଦାନ ସାବ୍ୟସ୍ତ ହୋଇଛି ।