୪ ରାଜ୍ୟରେ ବ୍ୟାପିଲା ‘ଓମିକ୍ରନ’ : ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୫କୁ ବୃଦ୍ଧି

309

କନକ ବ୍ୟୁରୋ : ଦେଶରେ ବଢିବାରେ ଲାଗିଛି ଓମିକ୍ରନ୍ ଭ୍ୟାରିଆଂଟ । ଦିଲ୍ଲୀରୁ ଜଣେ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତାଞ୍ଜାନିଆରୁ ଆସିଥିବା ଯାତ୍ରୀଙ୍କ ନିକଟରୁ ଓମିକ୍ରନ୍ ଭୂତାଣୁ ଚିହ୍ନଟ ହୋଇଛି । ଆକ୍ରାନ୍ତଙ୍କୁ ଦିଲ୍ଲୀ ଏଲ୍ଏନଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୧୨ ଜଣ ଯାତ୍ରୀଙ୍କ ନମୁନା ଜିନମ୍ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା । ଏମାନଙ୍କ ମଧ୍ୟରୁ ଜଣଙ୍କ ଦେହରେ ଓମିକ୍ରନ୍ ଭୂତାଣୁ ଥିବା ବେଳେ ଅନ୍ୟ ୧୧ ଜଣଙ୍କ ଦେହରେ ସାମାନ୍ୟ କରୋନା ଲକ୍ଷଣ ରହିଥିବା ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତେନ୍ଦ୍ର ଜୈନ । ଏହାକୁ ମିଶାଇ ଦେଶରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ପ୍ରଥମେ କର୍ଣ୍ଣାଟକରୁ ୨ ଜଣଙ୍କ ନିକଟରେ ଓମିକ୍ରଣ ଭୂତାଣୁ ଦେଖାଦେଇଥିଲା । ଏହା ପରେ ମହାରାଷ୍ଟ୍ର ଓ ଗୁଜରାଟରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଦୁଇ ଦିନ ତଳେ ଜିମ୍ବାୱେରୁ ଗୁଜୁରାଟର ଜାମନଗର ଫେରିଥିବା ବ୍ୟକ୍ତି ଜଣକ ପଜିଟିଭ ଚିହ୍ନଟ ହୋଇଥିଲେ । ଏହାପରେ ତାଙ୍କର ଜିନୋମ ସିକ୍ୱେନ୍ସିଂ କରାଯାଇଥିଲା, ଯେଉଁଥିରୁ ସେ ‘ଓମିକ୍ରନ’ ସଂକ୍ରମିତ ଥିବା ସ୍ପଷ୍ଟ ହୋଇଛି । ସେହିପରି ମହାରାଷ୍ଟ୍ରକୁ ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଥାଣେ ଜିଲ୍ଲା ଡୋମ୍ବିଭିଲ ସହରର ଜଣେ ୩୩ ବର୍ଷୀୟ ଯୁବକ ଚତୁର୍ଥ ଓମିକ୍ରନ ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଛନ୍ତି । ଦକ୍ଷିଣ ଆଫ୍ରିକାର କେପଟାଉନରୁ ସେ ନଭେମ୍ବର ୨୪ ତାରିଖରେ ମହାରାଷ୍ଟ୍ରକୁ ଆସିଥିଲେ । ସଂପୃକ୍ତ ଯୁବକଙ୍କ ପାଖରେ କୌଣସି ଲକ୍ଷଣ ଦେଖା ଦେଇନାହିଁ । ସେ କ୍ୱାରେନଟିନରେ ଅଛନ୍ତି ଓ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର କହିଛି ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗ । ଓମିକ୍ରନ ଆକ୍ରାନ୍ତ ଯୁବକଙ୍କ ସଂସ୍ପର୍ଶରେ ଆସିଥିବା ୩୫ ଜଣଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି । ସେହିପରି ତାଙ୍କ ସହ ବିମାନରେ ଆସିଥିବା ୨୫ଜଣ ସହ ଯାତ୍ରୀଙ୍କ କରୋନା ରିପୋର୍ଟ ମଧ୍ୟ ନଗେଟିଭ ଆସିଛି । ସେପଟେ ଅର୍ନ୍ତଜାତୀୟ ସ୍ତରରୁ ଆସୁଥିବା ରିପୋର୍ଟ କହୁଛି, ‘ଓମିକ୍ରନ’ରେ ଲୋକ ସଂକ୍ରମିତ ହେଉଛନ୍ତି ହେଲେ ଏପର୍ଯ୍ୟନ୍ତ କାହାର ମୃତ୍ୟୁ ହୋଇନାହିଁ ।