ଭାରତରେ ଚିହ୍ନଟ ହେଲେ ୪ ନମ୍ବର ଓମିକ୍ରନ ଆକ୍ରାନ୍ତ : କର୍ଣ୍ଣାଟକ ପରେ ଗୁଜରାଟ ଓ ମହାରାଷ୍ଟ୍ରରେ ଆକ୍ରାନ୍ତ ଠାବ

ଏପଟେ ୬ ଜିଲ୍ଲାରେ ସଂକ୍ରମଣ ବଢୁଥିବା ନେଇ ଓଡ଼ିଶାକୁ ସତର୍କ କରାଇଲା କେନ୍ଦ୍ର; ଖୋର୍ଦ୍ଧା ସ୍ଥିତି ଉପରେ ନଜର ରଖିବାକୁ ପରାମର୍ଶ

136

କନକ ବ୍ୟୁରୋ : କର୍ଣ୍ଣାଟକ ପରେ ଗୁଜରାଟ ଓ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛନ୍ତି ଓମିକ୍ରନ ଆକ୍ରାନ୍ତ । ଦୁଇ ଦିନ ତଳେ ଜିମ୍ବାୱେରୁ ଗୁଜୁରାଟର ଜାମନଗର ଫେରିଥିବା ବ୍ୟକ୍ତି ଜଣକ ପଜିଟିଭ ଚିହ୍ନଟ ହୋଇଥିଲେ । ଏହାପରେ ତାଙ୍କର ଜିନୋମ ସିକ୍ୱେନ୍ସିଂ କରାଯାଇଥିଲା, ଯେଉଁଥିରୁ ସେ ‘ଓମିକ୍ରନ’ ସଂକ୍ରମିତ ଥିବା ସ୍ପଷ୍ଟ ହୋଇଛି । ସେହିପରି ମହାରାଷ୍ଟ୍ରକୁ ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଥାଣେ ଜିଲ୍ଲା ଡୋମ୍ବିଭିଲ ସହରର ଜଣେ ୩୩ ବର୍ଷୀୟ ଯୁବକ ଚତୁର୍ଥ ଓମିକ୍ରନ ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଛନ୍ତି । ଦକ୍ଷିଣ ଆଫ୍ରିକାର କେପଟାଉନରୁ ସେ ନଭେମ୍ବର ୨୪ ତାରିଖରେ ମହାରାଷ୍ଟ୍ରକୁ ଆସିଥିଲେ ।

ସଂପୃକ୍ତ ଯୁବକଙ୍କ ପାଖରେ କୌଣସି ଲକ୍ଷଣ ଦେଖା ଦେଇନାହିଁ । ସେ କ୍ୱାରେନଟିନରେ ଅଛନ୍ତି ଓ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର କହିଛି ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗ । ଓମିକ୍ରନ ଆକ୍ରାନ୍ତ ଯୁବକଙ୍କ ସଂସ୍ପର୍ଶରେ ଆସିଥିବା ୩୫ ଜଣଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି । ସେହିପରି ତାଙ୍କ ସହ ବିମାନରେ ଆସିଥିବା ୨୫ଜଣ ସହ ଯାତ୍ରୀଙ୍କ କରୋନା ରିପୋର୍ଟ ମଧ୍ୟ ନଗେଟିଭ ଆସିଛି । ସେପଟେ ଅର୍ନ୍ତଜାତୀୟ ସ୍ତରରୁ ଆସୁଥିବା ରିପୋର୍ଟ କହୁଛି, ‘ଓମିକ୍ରନ’ରେ ଲୋକ ସଂକ୍ରମିତ ହେଉଛନ୍ତି ହେଲେ ଏପର୍ଯ୍ୟନ୍ତ କାହାର ମୃତ୍ୟୁ ହୋଇନାହିଁ ।

ସେପଟେ ସଂକ୍ରମଣ ବଢୁଥିବା ନେଇ ରାଜ୍ୟକୁ ସତର୍କ କରିଛନ୍ତି କେନ୍ଦ୍ର ସରକାର । ଗତ ସପ୍ତାହେ ହେବ ଓଡ଼ିଶାର ୬ ଟି ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ପାଉଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସତର୍କ କରିଛି । ତେବେ ଏହି ୬ ଜିଲ୍ଲାକୁ ଛାଡି ଖୋର୍ଦ୍ଧା ଜିଲ୍ଲାରେ ଗତ ସପ୍ତାହେ ମଧ୍ୟରେ ୯ଶହ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ଚିନ୍ତା ବଢାଇଛି । ତେଣୁ ଖୋର୍ଦ୍ଧାର ସ୍ଥିତି ଉପରେ ବି ନଜର ରଖିବାକୁ ପରାମର୍ଶ ଦିଆଯାଇଛି । ସେପଟେ କରୋନାର ଏହି ନୂଆ ପ୍ରଜାତିକୁ ନେଇ ରାଜ୍ୟ ସରକାର ସଜାଗ ଅଛନ୍ତି ଏବଂ ଭୟଭୀତ ନହେବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।