ଆସୁଛି ଭାରତର ସଶସ୍ତ୍ର ପ୍ରହରୀ: ଭାରତର ପ୍ରଥମ ନ୍ୟୁକ୍ଲିଅର୍ ଟ୍ରାକିଙ୍ଗ୍ ସିପ୍ ଆଇଏନଏସ୍ ଧ୍ରୁବ-୧୦, ଶତ୍ରୁ ଉପରେ ରଖିବ କଡା ନଜର

ଶତ୍ରୁର ନ୍ୟୁକ୍ଲିଅର୍ ମିସାଇଲକୁ ଟ୍ରାକ୍ କରି ଧ୍ୱଂସ କରିବ

149

କନକ ବ୍ୟୁରୋ: ଖୁବ ଶିଘ୍ର ଆସୁଛି ଭାରତର ସାମୁଦ୍ରିକ ମହାଶକ୍ତି , ସମୁଦ୍ର ପଥରେ ଶତ୍ରୁକୁ ଦେବ କଡା ଜବାବ୍ । ଶତ୍ରୁର ନ୍ୟୁକ୍ଲିଅର୍ ମିସାଇଲକୁ ଟ୍ରାକ୍ କରି ଧ୍ୱଂସ କରିବାକୁ ଭାରତୀୟ ନୌସେନାରେ ସାମିଲ ହେବାକୁ ଯାଉଛି ଶକ୍ତିଶାଳୀ ଆଇଏନଏସ୍ ଧ୍ରୁବ -୧୦  ।ସାଟେଲାଇଟ୍ ଓ ମିସାଇଲ ଟ୍ରାକିଙ୍ଗ କରୁଥିବା ଭାରତର ପ୍ରଥମ ଜାହାଜ ଆଇଏନଏସ୍ ଧ୍ରୁବ -୧୦ ।

ଏହାର  ଶୁଭ  ଉଦଘାଟନ ସେପ୍ଟେମ୍ବର ୧୦ ତାରିଖରେ ବିଶାଖାପାଟଣାରେ କରାଯିବ । ଭାରତୀୟ ପ୍ରତିରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ଏହାର ଶୁଭ ଉଦଘାଟନ କରିବେ । ଡିଆରଡିଓ(ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ) ଓ ଏନଟିଆରଓ (ଜାତୀୟ ବୈଷୟିକ ଗବେଷଣା ସଙ୍ଗଠନ) ର ମିଳିତ ଜ୍ଞାନକୌଶଳରେ ଇଣ୍ଡିଆନ୍ ସିପୟାର୍ଡ ଦ୍ୱାରା ନିର୍ମିତ ଏହି ଜାହାଜ ଶତ୍ରୁୁର ପରମାଣୁ ମିଶାଇଲକୁ ଟ୍ରାକ୍ କରିବା ଠାରୁ ଆରମ୍ଭ କରି ଶତ୍ରୁପକ୍ଷର ଗୁଇନ୍ଦା ସାଟେଲାଇଟକୁ ଠିକଣା  ଲଗାଇବା ସହ ଏହାକୁ ନଷ୍ଟ କରିବାର ଦକ୍ଷତା ରଖିଛି ।  ଏହାକୁ ନୌସେନାର ସିକ୍ୟୁରିଟି ଫୋର୍ସ କମାଣ୍ଡ ଦ୍ୱାରା ସଂଚାଳିତ କରାଯିବ ।

୧୦, ୦୦୦ ଟନ୍ କ୍ଷମତା ପ୍ରାପ୍ତ ଏହି ଆଣ୍ଟି ବ୍ୟାଲେଷ୍ଟିକ୍ ଜାହାଜ ଭାରତୀୟ ନୌସେନାରେ ଏକ ମହାଶକ୍ତି  ।ଏହି ଯୁଦ୍ଧପୋତ କେବଳ ଫ୍ରାନ୍ସ, ଆମେରିକା, ବ୍ରିଟେନ୍ , ଋଷ ଓ ଚୀନ ପାଖରେ ହିଁ ରହିଛି । ଏହା ଆସିବା ପରେ ଏବେ ସମୁଦ୍ର ପଥରେ ଭାରତ ମଧ୍ୟ  ଏହି ଶକ୍ତିଶାଳୀ ରାଷ୍ଟ୍ର ମାନଙ୍କ ସହ ସମକକ୍ଷ ହେବ । ମହାସାଗରର ମହାପ୍ରହରୀ ଆଇଏନଏସ୍ ଧ୍ରୁବ-୧୦ ଭାରତକୁ ଶତ୍ରୁ ପକ୍ଷର ପ୍ରାକ୍ ସୂଚନା ଦେବ ।

   

ଏବେ ସମୁଦ୍ର ଭିତରେ ସଶସ୍ତ୍ର ଡ୍ରୋନ୍ ଯୁଗ ଚାଲିଥିବାବେଳେ ଆଇଏନଏସ୍ ଧ୍ରୁବ ଏଦିଗରେ ଭାରତକୁ ସୁରକ୍ଷିତ ରଖିବ । ଆଇଏନଏସ୍ ଧ୍ରୁବ ରେ ରହିଛି ଅତ୍ୟାଧୁନିକ ସକ୍ରିୟ ସ୍କାନ ସହ ସଜ୍ଜିତ ରାଡାର ଯାହା ଆଜି ଦୁନିଆଁରେ ଅତ୍ୟନ୍ତ ଉନ୍ନତ ଓ ଗେମ୍ ଚେଂଜର ବୋଲି ବିବେଚନା କରାଯାଉଛି ।

ଭାରତ ଉପରେ ନଜର ରଖୁଥିବା ଗୁପ୍ତଚର ସାଟେଲାଇଟ୍ ତଥା ସମଗ୍ର ଅଂଚଳରେ କ୍ଷେପଣାସ୍ତ୍ର ପରୀକ୍ଷଣ ଉପରେ ତୀକ୍ଷ୍ଣ ନଜର ରଖୁଥିବା ବିଭିନ୍ନ ସ୍ପେକ୍ଟ୍ରମ୍ ସ୍କାନ କରିବାର କ୍ଷମତା ରଖିଛି ଆଇଏନଏସ୍ ଧ୍ରୁବ-୧୦  ।

ଏହା ଆଡେନ୍ ଉପସାଗରରୁ ଦକ୍ଷିଣ ଚୀନ ସାଗରରେ ମାଲାକ୍କା ଷ୍ଟ୍ରେଟ୍, ସୁଣ୍ଡା, ଲୋମ୍ବୋକ୍, ଓମ୍ବାଇ ଓ ୱେଟର ଦେଇ ପ୍ରବେଶ ପଥ ପର୍ଯ୍ୟନ୍ତ ଅଂଚଳରେ ନଜର ରଖିବ ।ଭାରତ ମହାସଗରର ମାନଚିତ୍ର ପ୍ରସ୍ତୁତ କରିବ ଆଇଏନଏସ୍ ଧ୍ରୁବ-୧୦ । କେବଳ ସମୁଦ୍ର ନୁହେଁ ବରଂ ଏହା ଭାରତକୁ ଆକାଶ, ସାଗର ଓ ସ୍ଥଳ ତିନି ଦିଗରେ ଉନ୍ନତ ସାମରିକ ଅପରେସନ୍ ଯୋଜନାରେ ସାହାଯ୍ୟ କରିବ । ବର୍ତ୍ତମାନ ସମୟରେ ଚୀନ୍ ଦୀର୍ଘ ଦୂରଗାମୀ ବିମାନ ବାହକ, ଯୁଦ୍ଧ ଜାହାଜ ଓ ବୁଡା ଜାହାଜରେ ବହୁ ପରିମାଣରେ ଅର୍ଥ ବିନିଯେଗ କରୁଥିବାବେଳେ ଆଇଏନଏସ୍ ଧ୍ରୁବ-୧୦ ଭାରତକୁ ଏହାର ସମାସ୍କନ୍ଦ କରିବ ନିଶ୍ଚୟ ।