କନକ ବ୍ୟୁରୋ : ଯୁଦ୍ଧଭୂମିରୁ ଭାରତୀୟଙ୍କୁ ଉଦ୍ଧାର ପ୍ରକ୍ରିୟା ଜାରି ରହିଥିବା ବେଳେ ଏବେବି ଅନେକ ଛାତ୍ରଛାତ୍ରୀ ଫସି ରହିଛନ୍ତି । ରୁଷ୍ ସୀମାରେ ଥିବା ସୁମି ସହରରେ କିଛି ଓଡ଼ିଆଙ୍କ ସମେତ ବହୁ ଭାରତୀୟ ଛାତ୍ରଛାତ୍ରୀ ଏବେବି ଫସି ରହିଛନ୍ତି । ଭିଡିଓ ବାର୍ତ୍ତା ଦେଇ କହିଛନ୍ତି, ସେମାନଙ୍କୁ ଯଥାଶୀଘ୍ର ଉଦ୍ଧାର କରାଯାଉ, ନହେଲେ ସ୍ଥିତି କ’ଣ ହେବ, କିଏ କହିବ । ଏପରିକି ଚାଲି ଚାଲି ୫୦ କିଲୋମିଟର ଯିବାକୁ ବାହାରିଛନ୍ତି । ଏପଟେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଯେ, ସୁମିରେ ଥିବା ଛାତ୍ରଛାତ୍ରୀଙ୍କ ସହ ଯୋଗାଯୋଗ କରାଯାଉଛି ।

Advertisment

ୟୁକ୍ରେନରେ ଫସିଥିବା ବହୁ ଓଡ଼ିଆଙ୍କୁ ସରକାର ଉଦ୍ଧାର କରିବାରେ ସଫଳ ହୋଇଥିଲେ ବି ଏବେ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । ୟୁକ୍ରେନର ୱାର ଜୋନ ସୁମିରେ ୫ ଜଣ ଓଡ଼ିଆ ଛାତ୍ରଛାତ୍ରୀ ଫସି ରହିଛନ୍ତି । ଓଡ଼ିଶାର କେନ୍ଦୁଝର ଜିଲ୍ଲାର ସ୍ମୃତି ରଞ୍ଜନ ନାୟକ, ବାଲେଶ୍ୱର ଜିଲ୍ଲାର ଗୌରୀ ଶଙ୍କର ପରିଡ଼ା, ତପନ କୁମାର ବୁଗୁଡାଇ, ବିଶ୍ୱଜିତ୍ ଦାସ ଏବଂ ଭୁବନେଶ୍ୱର ସୁମନ ମହାନ୍ତ ଅନ୍ୟ ଭାରତୀୟ ଛାତ୍ରଛାତ୍ରୀଙ୍କ ସହ ଉଦ୍ଧାର ଅପେକ୍ଷାରେ ଅଛନ୍ତି । ସୁମିର ଉତର ଭାଗରେ ଖାଦ୍ୟ ଓ ପାଣି ବିନା ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି, ଯେଉଁଠାରେ ଋଷ ସେନା ପକ୍ଷରୁ ପ୍ରବଳ ବୋମାମାଡ ଏବଂ ଯୁଦ୍ଧ ଜାରି ରହିଛି । ଏପରିକି ଚାଉଳ, ଡାଲି ମଧ୍ୟ ନଥିବା ଦୁଃଖର ସହ ଜଣାଇଛନ୍ତି । ଯୁଦ୍ଧ ପାଇଁ ବିଦ୍ୟୁତ୍ ସରବରାହ ଠିକଠାକ୍ ରହୁନଥିବାବେଳେ ପାଣି ଯୋଗାଣ ମଧ୍ୟ ବନ୍ଦ ରହିଛି । କେନ୍ଦୁଝର ଜିଲ୍ଲାର ସ୍ମୃତି ରଞ୍ଜନ କହିଛନ୍ତି, ପରିସ୍ଥିତି ସୁଧୁରିଲେ ଆମକୁ ସୋମବାର ଏବଂ ମଙ୍ଗଳବାର ଉଦ୍ଧାର କରାଯିବ ବୋଲି କୁହାଯାଇଛି ।

ଋଷ ସେନା ଏୟାରଷ୍ଟ୍ରାଇକ ସହ ଗୁଳି ବର୍ଷା କରୁଥିବା ବେଳେ ଜଟିଳ ପରିସ୍ଥିତି ଭିତରେ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍ଧାର କରାଯାଉଛି । ସେମାନେ ଏବେ ରହୁଥିବା ହଷ୍ଟେଲରେ ବେସମେଣ୍ଟରେ ରହୁଛନ୍ତିି । ସେମାନେ ଏବେ ସୁରକ୍ଷିତ ଅଛନ୍ତି କିନ୍ତୁ କେତେ ସମୟ ସୁରକ୍ଷିତ ରହିବେ ତାହା ଜାଣିନାହାନ୍ତି ବୋଲି କହିଛନ୍ତି ଏହି ୫ ଓଡ଼ିଆ ଛାତ୍ର ।

ୟୁକ୍ରେନର ୱାର ଜୋନରେ ଫସିଥିବା ଥିବା ଭାରତୀୟମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏସବୁ ଭିତରେ ସୁମିରେ ଫଶିଥିବା ଭାରତୀୟ ଛାତ୍ରଛାତ୍ରୀ ଏକ ଭିଡିଓ ପୋଷ୍ଟ କରି ନିଜ ଦୁଃଖ ଜଣାଇଛନ୍ତି । ଏପରିକି ସେମାନଙ୍କୁ ଉଦ୍ଧାର ପାଇଁ ବ୍ୟବସ୍ଥା କରାନଗଲେ ସୁମିଠାରୁ ୫୦ କିଲୋମିଟର ଦୂର ରୁଷ୍ ସୀମାକୁ ଚାଲି ଚାଲି ଯିବା ପାଇଁ ନିଷ୍ପତି ନେଇଛନ୍ତି । ଏହି ସମୟରେ ଯଦି ସେମାନଙ୍କର କିଛି କ୍ଷତି ହୁଏ ତେବେ ଏଥିପାଇଁ ସରକାର ଓ ଦୂତାବାସ ଦାୟୀ ରହିବେ ବୋଲି ଭିଡିଓରେ କହିଛନ୍ତି । ସୁମିରେ ଏବେ ବି ପ୍ରାୟ ୭ଶହ ଛାତ୍ରଛାତ୍ରୀ ରହିଥିବା କୁହାଯାଉଛି ।

ୟୁକ୍ରେନ ଉପରେ ରୁଷ୍ ଆକ୍ରମଣ କରିବା ପରେ ସେଠାରୁ ଭାରତୀୟଙ୍କୁ ଉଦ୍ଧାର ପକ୍ରିୟା ଆରମ୍ଭ କରିଥିଲେ ଭାରତ ସରକାର । ଏହା ଭିତରେ ୧୩ ହଜାରରୁ ଅଧିକ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଅଣାଯାଇଛି । ତେବେ ଯୁଦ୍ଧଭୂମିରୁ ଉଦ୍ଧାର ପ୍ରକ୍ରିୟା କଷ୍ଟକର ହୋଇଥିବା ବେଳେ ଏଥିପାଇଁ ଆହୁରି କିଛିଦିନ ଲାଗିପାରେ ।