ଆଜି ଭାରତୀୟ ଆଇନଜୀବୀ ଦିବସ । ଭାରତର ପ୍ରଥମ ରାଷ୍ଟ୍ରପତି ତଥା ଭାରତରତ୍ନ ଡ. ରାଜେନ୍ଦ୍ର ପ୍ରସାଦଙ୍କ ଜନ୍ମ ଦିବସ । ରାଜେନ୍ଦ୍ର ପ୍ରସାଦଙ୍କ ଜୀବନୀକୁ ନେଇ କିଛି ଅକୁହା କଥା

203

କନକ ବ୍ୟୁରୋ :  ଆଜି ସ୍ୱାଧୀନ ଭାରତର ପ୍ରଥମ ରାଷ୍ଟ୍ରପତି  ତଥା ଭାରତରତ୍ନ ଡ. ରାଜେନ୍ଦ୍ର ପସାଦଙ୍କର ଜନ୍ମ ଦିବସ । ଡ.ରାଜେନ୍ଦ୍ର ପ୍ରସାଦ ୧୮୮୪ ମସିହା ଡିସେମ୍ବର ୩ ତାରିଖରେ ବିହାରର ସୀୱାନ ଜିଲ୍ଲା ଅନ୍ତର୍ଗତ ଜୀରାଦେଇ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପରିବାର ଉତ୍ତରପ୍ରଦେଶର କୁୱାଗାଁଓର ମୂଳବାସିନ୍ଦା ଥିଲେ । ହେଲେ ସେମାନେ ସେଠାରୁ ପଳାଇଆସି ବିହାରର ସରଣ ବା ଏବେର ସୀୱାନ ଠାରେ ରହୁଥିଲେ । ତାଙ୍କ ଜେଜେବାପା ଜଣେ ଜମିଦାର ଥିଲେ । ରାଜେନ୍ଦ୍ରଙ୍କ ବାପାଙ୍କ ନାମ ମହାଦେୱ ସହାୟ ଓ ମାତା କମଲେଶ୍ୱରୀ ଦେବୀଙ୍କର ରାଜେନ୍ଦ୍ର ପ୍ରସାଦ ଥିଲେ ସବୁଠାରୁ ସାନ ପିଲା ।

୫ ବର୍ଷ ବୟସରଙ୍କ ରାଜେନ୍ଦ୍ର ପ୍ରସାଦଙ୍କ ସ୍କୁଲ ଜୀବନ ଆରମ୍ଭ ହୋଇଥିଲା । ତାଙ୍କର ପାରସୀ ଶିକ୍ଷା ପାଇଁ ପରିବାର ତରଫରୁ ବ୍ୟବସ୍ଥା କରାଯାଇଥିା । ପରେ ସେ ବିହାରର ଛପରା ଜିଲ୍ଲା ବିଦ୍ୟାଳୟରେ ଭର୍ତ୍ତି ହୋଇଥିଲେ । ମାତ୍ର ୧୩ ବର୍ଷ ବୟସରଙ୍କ ତାଙ୍କର ବିବାହ ହୋଇଥିଲା । ସେ ରାଜବଂଶୀ ଦେବୀଙ୍କୁ ବିବାହ କରିଥିଲେ । ବିବାହ ପରେ ସେ କୋଲକତାର ପେସିଡେନ୍ସି କଲେଜରେ ବିଜ୍ଞାନ ପଢିଥିଲେ । ସେ କୋଲକତା ବିଶ୍ୱବିଦ୍ୟାଳୟରୁ ଅର୍ଥଶାସ୍ତ୍ରରେ ସ୍ନାତକତ୍ତୋର ପାସ୍ କରିବା ପରେ ମୁଜାଫରପୁର ଠାରେ ଏକ କଲେଜରେ କିଛି କାଳ ଅଧ୍ୟାପକ ଭାବେ କାର୍ଯ୍ୟ କରିଥିଲେ । ଏହାପରେ ସେ ଅଧ୍ୟାପନା ଛାଡି ଆହ୍ଲାବାଦ ବିଶ୍ୱବିଦ୍ୟାଳୟରେ ଆଇନରେ ଡକରେଟ୍ କରିଥିଲେ । ସେ ବିହାର, ଓଡିଶା ଉର୍ଚ୍ଚନ୍ୟାୟାଳୟ ଓ ପରେ ଭାଗଲପୁରରେ ଓକିଲାତି କରିଥିଲେ । ଏହାରି ମଧ୍ୟରେ ସେ ମହାତ୍ମା ଗାନ୍ଧୀଙ୍କ ସଂସ୍ପର୍ଶରେ ଆସି ସ୍ୱାଧିନତା ଆନ୍ଦୋଳନରେ ଯୋଗ ଦେଇଥିଲେ ।

ସ୍ୱଦେଶୀ ଚିନ୍ତାଧାରାରେ ପ୍ରଭାବିତ ହୋଇ ସେ ପ୍ରତିଷ୍ଠା କରିଥିଲେ ‘ବିହାର ବିଦ୍ୟାପୀଠ’ । ଏହାପରେ ସେ ନିଜ ପୁଅକୁ ଇଂଗ୍ରାଜୀ ମାଧ୍ୟମ ସ୍କୁଲରୁ ଆଣି ସ୍ୱଦେଶୀ ବିଦ୍ୟାଳୟରେ ଭର୍ତ୍ତି କରିଥିଲେ । ବ୍ୟକ୍ତିଗତ ଜୀବନରେ ସେ ଅତ୍ୟନ୍ତ ସଚ୍ଚୋଟ ଓ ସରଳ ମଣିଷ ଥିଲେ । ସେ ସର୍ବଦା କୃଷକ ମାନଙ୍କ ଭଳି ସାଧାରଣ ପୋଷାକ ପରିଧାନ କରୁଥିଲେ । ୧୯୩୪ ଓ ୧୯୩୯ ମସିହାରେ ସେ ଜାତୀୟ କଂଗ୍ରେସର ସଭାପତି ଭାବେ ନିଯୁକ୍ତ ହୋଇଥିଲେ । ୧୯୪୭ ମସିହାରେ ଭାରତ ସ୍ୱାଧୀନ ହେବା ପରେ ସେ ସାମ୍ବିଧାନିକ ସଭାର ସଭାପତି ଭାବେ ବି ନିଯୁକ୍ତ ହୋଇଥିଲେ । ଏହାସହ କିଛି କାଳ ସେ କେନ୍ଦ୍ରସରକାରଙ୍କ ମନ୍ତ୍ରୀ ଭାବେ ବି କାର୍ଯ୍ୟ କରିଛନ୍ତି । ୧୯୫୦-୬୨ ପର୍ଯ୍ୟନ୍ତ ସେ ଭାରତର ରାଷ୍ଟ୍ରପତି  ଭାବେ ନିଜୟ ଦାୟିତ୍ୱ ତୁଲାଇଛନ୍ତି ।

ସେ ଏକାଧାରରେ ସ୍ୱାଧିନତା ସଂଗ୍ରାମୀ, ରାଜନେତା ଜଣେ କୃଷକ ନେତା ଭାବେ ନିଜର ପରିଚୟ ସୃଷ୍ଟି କରିଥିଲେ । ଏହା ସହ ହିନ୍ଦୀ ଭାଷା- ସାହିତ୍ୟ ପ୍ରତି ତାଙ୍କର ଥିଲା ଅହେତୁକ ଦୁର୍ବଳତା । ସେ ଇଂରାଜୀ, ହିନ୍ଦୀ, ଉର୍ଦ୍ଦୁ, ପାରସୀ ବାଂଲା ଓ ଗୁଜୁରାତୀ ଭାଷାରେ ଲେଖା ପଢା କରିପାରୁଥିଲେ । ବାପୁ କେ କଦମୋଁ ମେ ବାବୁ, ଇଣ୍ଡିଆ ଡିଭାଇଡେଡ୍, ଚମ୍ପାରଣ, ସତ୍ୟାଗ୍ରହ, ଗାନ୍ଧୀଜୀ କେ ଦେନ, ଭାରତୀୟ ସଂସ୍କୃତି ଓ ଖାଦୀ, ଭଳି ପୁସ୍ତକ ତାଙ୍କ ଦ୍ୱାରା ରଚନା କରାଯାଇଥିଲା । ୧୯୬୨ ମେ ମାସରେ ସେ ରାଷ୍ଟ୍ରପତି ପଦରୁ ଅବସର ନେବା ପରେ ସେହି ମାସ ସେ ପାଟନା ଆସିଥିଲେ । ହେଲେ ମାତ୍ର ବର୍ଷକ ପରେ ଅର୍ଥାତ ୧୯୬୩ ମସିହା ଫେବୃଆରୀ ୨୮ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା । ତାଙ୍କର ଜନ୍ମ ଦିବସକୁ ‘ଭାରତୀୟ ଆଇନଜୀବୀ ଦିବସ ’ ଭାବେ ପାଳନ କରାଯାଏ ।