କରୋନା ସଂକଟ ସମୟରେ ଲୋକଙ୍କ ଶେଷ ଭରଷା ପାଲଟିଛି ସୁନା : ଗୁଜୁରାଣ ମେଂଟାଇବାକୁ ବନ୍ଧକ ରଖୁଛନ୍ତି, ବିକୁଛନ୍ତି ରୋଜଗାର ହରାଇଥିବା ଲୋକ

254

କନକ ବ୍ୟୁରୋ : କରୋନା ମହାମାରୀ ସମାଜର ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି । ରୋଜଗାରର ମାଧ୍ୟମ ହରାଇ ବେକାର ହୋଇପଡ଼ିଥିବା ଏହି ପରିବାରଗୁଡ଼ିକର ଶେଷ ଭରସା ହେଉଛି ସୁନା । ନିଜ ପାଖରେ ଥିବା ସୁନାକୁ ବିକ୍ରି କରି ସେମାନେ ଗୁଜରାଣ ମେଂଟାଉଛନ୍ତି । ଗ୍ରାମୀଣ ଭାରତରେ ଏହି ସମସ୍ୟା ଅତ୍ୟନ୍ତ ଜଟିଳ ।

ବ୍ୟାଙ୍କ ନଥିବା ଅଂଚଳରେ ଲୋକମାନଙ୍କ ଲାଗି ଟଙ୍କା ଯୋଗାଡ କରିବାର ଏକମାତ୍ର ମାଧ୍ୟମ ହେଉଛି ସୁନା । ଅନ୍ୟଥା ସେମାନଙ୍କୁ ମହାଜନଙ୍କ ଠାରୁ ମୋଟା ଅଙ୍କର ସୁଧ ଦେଇ କରଜ ଆଣିବାକୁ ପଡ଼ିବ । ସେଭଳି ସମସ୍ୟାରେ ନପଡ଼ି ସୁନା ବିକିବାକୁ ଲୋକ ଅଧିକ ଉଚିତ ମଣୁଛନ୍ତି । ସ୍ଥାନୀୟ ଲୋକମାନେ ସୁନା ବିକ୍ରି କରୁଥିବାରୁ ସ୍କ୍ରାପ ସୁନା ଯୋଗାଣରେ ବୃଦ୍ଧି ଘଟିଛି । ପୁରୁଣା ସୁନା କିଣୁଥିବା ଦୋକାନୀମାନେ ଏହାକୁ ତରଳାଇ ସୁନା ଗ୍ରହଣା ତିଆରି କରିବା ଲାଗି ଯୋଗଇ ଦେଉଛନ୍ତି । ଏଥର ସ୍କ୍ରାପ ସୁନା ଯୋଗାଣ ୨୧୫ ଟନରୁ ଅଧିକ ହେବ ବୋଲି ଆକଳନ କରାଯାଇଛି ।

ବିଗତ ୯ବର୍ଷ ଭିତରେ ଏହା ହେଉଛି ସର୍ବାଧିକ । ସ୍ଥାନୀୟ ସୁନା ଯୋଗାଣ ବଢ଼ିଥିବାରୁ ଆମଦାନି ହ୍ରାସ ପାଇଛି । କରୋନା ମହାମାରୀର ପ୍ରଥମ ଲହର ପ୍ରଭାବରେ ଜୀବିକା ହରାଇବା ପରେ ଲୋକମାନେ ନିଜ ପାଖରେ ଥିବା ସୁନାକୁ ବନ୍ଧକ ରଖି କିଛି ଦିନ ଚଳିବାକୁ ପ୍ରୟାସ କରିଥିଲେ । ଚଳିତ ବର୍ଷ ଦ୍ୱିତୀୟ ଲହର ଦେଖାଦେବା ପରେ ପୁଣି ଛଟେଇ ଓ ଜୀବକା ହରାଇବା ସଙ୍କଟ ଦେଖାଦେଇଛି । ତେଣୁ ଲୋକମାନେ ନିଜର ଗଚ୍ଛିତ ସୁନା ବିକିବାକୁ ବାଧ୍ୟ ହେଉଛନ୍ତି ।