ଅପରେସନ୍ ଗଙ୍ଗାରେ ଦେଶକୁ ଫେରୁଛନ୍ତି ଭାରତୀୟ: ଭୁବନେଶ୍ୱରରେ ପହଂଚିବା ପରେ କହିଲେ, ସ୍ଥିତି ଖୁବ୍ ଭୟଙ୍କର

170

କନକ ବ୍ୟୁରୋ: ଯୁଦ୍ଧଗ୍ରସ୍ତ ୟୁକ୍ରେନରେ ଫସିଥିବା ଭାରତୀୟ ନାଗରିକଙ୍କୁ ଉଦ୍ଧାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହି କ୍ରମରେ ଏୟାର ଇଣ୍ଡିଆରେ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଓ ପରେ ସେଠାରୁ ଭୁବନେଶ୍ୱର ଆସିଛନ୍ତି ପ୍ରବାସୀ ଓଡିଆ । ଓଡିଶା ପହଂଚିବା ପରେ ସମସ୍ତେ ଶାନ୍ତିରେ ନିଶ୍ୱାସ ମାରିଛନ୍ତି ଛାତ୍ରଛାତ୍ରୀ । ଭାରତ ସରକାରଙ୍କ ଉଦ୍ୟମରୁ ସୁରକ୍ଷିତ ଜନ୍ମମାଟିକୁ ଫେରିଛନ୍ତି ସତ ହେଲେ ସେଠାରେ ଫସି ରହିଥିବା ବନ୍ଧୁଙ୍କୁ ନେଇ ଚିନ୍ତିତ ଅଛନ୍ତି । ଯୁଦ୍ଧର ବିଭୀଷିକାକୁ ଭୁଲି ପାରୁ ନାହାନ୍ତି ।

ୟୁକ୍ରେନରେ ଯୁଦ୍ଧ ଘମାଘୋଟ ଚାଲିଥିବାରୁ ପଡୋଶୀ ରାଷ୍ଟ୍ର ରୋମାନିଆ ଦେଇ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରାଯାଉଛି । ତିନି ଦିନ ହେଲା ରୋମାନିଆ-ୟୁକ୍ରେନ ସୀମାରେ ଏଭଳି ଭିଡ ଦେଖିବାକୁ ମିଳିଛି । ପ୍ରବଳ ଥଣ୍ଡାରେ ଛାତ୍ରଛାତ୍ରୀ ବର୍ଡରରେ ଅଟକି ରହିଛନ୍ତି । ସେପଟେ ଭାରତୀୟ ଛାତ୍ର୍ରଙ୍କୁ ରୋମାନିଆ ପୁଲିସ ମାଡ ମାରିବା ସହ ଛାତ୍ରୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।

କେବଳ ରୋମାନିଆ ନୁହେଁ, ୟୁକ୍ରେନରୁ ପୋଲାଣ୍ଡ ଓ ହଙ୍ଗେରି ଯିବା ପାଇଁ ଭାରତୀୟ ଛାତ୍ରଛାତ୍ରୀ ସୀମା ଭିଡ କରିଛନ୍ତି । ସେପଟେ ଭାରତୀୟ ଦୂତାବାସ ପକ୍ଷରୁ କିଛି ବ୍ୟବସ୍ଥା କରାଯାଇନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ଛାତ୍ରଛାତ୍ରୀ ।

ରୁଷର ବୋମା ଓ ମିଜାଇଲ ମାଡରୁ ସୁରକ୍ଷିତ ରହିବା ପରେ ପାଇଁ ବଙ୍କର ଭାରତୀୟ ନାଗରିକଙ୍କ ଆଶ୍ରୟସ୍ଥଳୀ ପାଲଟିଛି । କିଏ ଜାଣିଛି କେତେ ବେଳ କଣ ଘଟିଯିବ । ଭୀତତ୍ରସ୍ତ ହୋଇ ବଙ୍କରରେ ଲୁଚି ରହିବା ସହ ଉଦ୍ଧାର ପାଇଁ ଭାରତ ସରକାରଙ୍କୁ ଅନୁରୋଧ କରୁଛନ୍ତି । ସେହିପରି ସୁପର ମାର୍କେଟରେ ଖାଦ୍ୟ ସାମଗ୍ରୀ ମିଳୁଥିଲେ ମଧ୍ୟ ଅନ୍ତର୍ଜାତୀୟ ଏଟିଏମ କାର୍ଡ କାମ କରୁନଥିବାରୁ ଟଙ୍କା ଉଠାଣ ବଡ ସମସ୍ୟା ପାଲଟିଛି ।

ଭାରତ ସରକାରଙ୍କ ଅପରେସନ ଗଙ୍ଗା ଅଭିଯାନରେ ଶନିବାର ରୋମାନିଆରୁ ପ୍ରଥମ ବ୍ୟାଚରେ ୨୧୯ ଜଣ ଛାତ୍ରଛାତ୍ରୀ ମୁମ୍ବାଇ ଫେରିଥିଲେ । ରବିବାର ସକାଳେ ଦିଲ୍ଲୀରେ ପହଂଚିଛନ୍ତି ୨୫୦ ପ୍ରବାସୀ ନାଗରିକ । ଏହାଛଡା ବାଙ୍ଗାଲୋର, ଗୋଆରେ ପହଂଚିଛନ୍ତି ୟୁକ୍ରେନ ଫେରନ୍ତା ପ୍ରବାସୀ ଭାରତୀୟ । ସ୍ୱଦେଶ ଫେରିବା ପରେ ଶାନ୍ତିରେ ନିଶ୍ୱାସ ମାରିଛନ୍ତି ସତ, ହେଲେ ଆଖିରେ ଦେଖିଥିବା ଯୁଦ୍ଧର ଭୟବହତାକୁ ଭୁଲି ପାରୁ ନାହାନ୍ତି ।